କାଲି ମୁଁ ଠିକ୍ ଯେତେବେଳେ ମୋର ଅନୁଭୂତିଟିକୁ ଭାଷାରେ ବ୍ୟକ୍ତ କରିବାକୁ ଚେଷ୍ଟା କରୁଥିଲି, ସେତେବେଳେ ମୋତେ ହଠାତ୍ତ୍ ବାଧା ପାଇ ଅଟକି ଯିବାକୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ମନେହେଉଛି ସବୁ ଯେପରି ବଦଳିଯାଇଛି । ସେହି ଯଥାଯଥ ଜ୍ଞାନ, ସେହି ପରିଷ୍କାର ଦୃଷ୍ଟି ଚାଲିଗଲା, ତା’ ସ୍ଥାନରେ ଆସି ଲା, ହେ ପ୍ରଭୁ, ତୋ ପ୍ରତି ବିପୁଳ ପ୍ରେମ ଯାହାକି ମୋର ସମଗ୍ର ସତ୍ତାକୁ ଅଧିକାର କରିଛି – ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗଠାରୁ ଆରମ୍ଭ କରି ଗଭୀରତମ ଚେତନା ପର୍ଯ୍ୟନ୍ତ । ମୋର ସମସ୍ତ କିଛି ତୀବ୍ର ଅଭୀପ୍ସା ନେଇ ତୋର ଚରଣ ତଳେ ସାଷ୍ଟାଙ୍ଗ ପ୍ରଣତ ତୋ ସଙ୍ଗେ ଏକ ହୋଇଯିବା ପାଇଁ, ତୋ ମଧ୍ୟରେ ବୁଡ଼ିଯିବା ପାଇଁ । ସାଧମତେ ମୋର ସମସ୍ତ ଶକ୍ତି ଦେଇ ତୋତେ ଆବାହନ କରୁଛି । କିନ୍ତୁ ଏଥର ମଧ୍ୟ ଦେଖା, ଯେଉଁ ମୁହୂର୍ତ୍ତରେ ମନେ ହେଲା ମୋର ଚେତନା ତୋ ମଧ୍ୟରେ ପ୍ରାୟ ବିଲୀନ ହୋଇଯିବାକୁ ଆରମ୍ଭ କରିଛି, ଯେଉଁ ମୁହୂର୍ତ୍ତରେ ଦେଖିଲି ମୋର ସମଗ୍ର ସତ୍ତା ଆଉ କିଛି ନୁହେଁ, କେବଳ ତୋର ଜାଗ୍ରତ୍ ସତ୍ତାକୁ ପ୍ରତିଫଳିତ କରୁଥିବା ଏକ ବିଶୁଦ୍ଧ ସ୍ତଟିକଖଣ୍ଡ, ଠିକ୍ ସେହି ମୁହୂର୍ତ୍ତରେ ଯେପରି କେହି ଜଣେ ଆସି ମୋର ଏହି ଏକାନ୍ତ ଏକାଗ୍ରତାରେ ବାଧା ଦେଲା ।
ମୋତେ ତୁ ଯେଉଁ ଜୀବନ ପ୍ରଦାନ କରିଛୁ, ଏ ଯେପରି ଠିକ୍ ତା’ର ପ୍ରତୀକ ସେ ଜୀବନରେ ପରମ ସିଦ୍ଧି ଅପେକ୍ଷା ବାହ୍ୟ ପ୍ରୟୋଜନକୁ, ଅନ୍ୟ ସମସ୍ତଙ୍କ ପାଇଁ କର୍ମକୁ ବୃହତ୍ତର ସ୍ଥାନ ଦିଆଯାଇଛି । ମନେହୁଏ ମୋ ଜୀବନର ସମସ୍ତ ଘଟଣା ଓ ପରିସ୍ଥିତି ଯେପରି ତୋ ତରଫରୁ ମୋତେ କହୁଛି : ‘ଚରମ ଏକାଗ୍ରତା ଦ୍ଵାରା ତୁ ଏକତ୍ୱ ଲାଭକରିବୁ ନାହିଁ, ବରଂ ତୁ ଏହା ଲାଭ କରିବୁ ସମସ୍ତଙ୍କ ଭିତରେ ନିଜକୁ ପରିବ୍ୟାପ୍ତ କରିଦେବା ଦ୍ଵାରା” ହେ ଭଗବାନ୍, ତୋର ଇଚ୍ଛା ପୂର୍ଣ୍ଣ ହେଉ ।
ବର୍ତ୍ତମାନ ମୁଁ ସ୍ପଷ୍ଟ ବୁଝିପାରୁଛି ଯେ ତୋ ସଙ୍ଗେ ଏକାମତା ମୋର ଏହି ବ୍ୟକ୍ତିସତ୍ତା ପାଇଁ ଏକ ଦୂରର ଲକ୍ଷ୍ୟ ନୁହେଁ ଯାହାକୁ ଅନୁସରଣ କରିବାକୁ ହେବ, କାରଣ ବହୁଦିନ ପୂର୍ବରୁ ତା’ର ସେ ସିଦ୍ଧିଲାଭ ହୋଇସାରିଛି । ସେଇଥିପାଇଁ ତୁ ଯେପରି ମୋତେ ସର୍ବଦା କହୁଛୁ : “ଏହି ଏକାତାର ଭାବାବେଶରେ ବିଭୋର ହୋଇଯାଅ ନା, ପୃଥିବୀରେ ଯେଉଁ ବ୍ରତର ଭାର ତୋ ଉପରେ ଦେଇଛି ତାହା ତୁ ପୂର୍ଣ୍ଣ କର ।”
ଯେଉଁ ବ୍ୟକ୍ତିଗତ କର୍ମ ସମଷ୍ଟିଗତ କର୍ମ ସଙ୍ଗେ ଯୁଗପତ୍ ସମ୍ପନ୍ନ କରି ଚାଲିବାକୁହେବ ତା’ ହେଲା ମୋର ସମସ୍ତ ଅଙ୍ଗର ଓ ସକଳ ବୃତ୍ତିର ଜ୍ଞାନଲାଭ ଓ କର୍ତ୍ତଲାଭ ଏବଂ ଚେତନାକୁ ଏପରି ଏକ ଊର୍ଦ୍ଧ୍ୱତମ ଚୂଡ଼ାରେ ଚିରସ୍ଥାୟୀ ଭାବେ ପ୍ରତିଷ୍ଠିତ କରିବା ଯେଉଁଠାରୁ ଯଥାନିର୍ଦ୍ଦିଷ୍ଟ କର୍ମ ତଥା ତୋ ସଙ୍ଗେ ନିରବଚ୍ଛିନ୍ନ ଏକତ୍ଵ ଏକାଧାରରେ ସମ୍ଭବହେବ । ପରିପୂର୍ଣ୍ଣ ଏକାତାର ଆନନ୍ଦ କେବଳ ସେତିକିବେଳେ ହିଁ ମିଳିବ ଯେତେବେଳେ କରଣୀୟ ଯେଉଁ କର୍ମ ତାହା ସୁସଂପାଦିତ ହୋଇଛି ।
ଆମକୁ ସମସ୍ତଙ୍କୁ ବୁଝାଇବାକୁ ହେବ ଯେ ପ୍ରଥମେ ଏକତ୍, ତା’ ପରେ କର୍ମ ।କିନ୍ତୁ ଯେଉଁମାନେ ଏହି ଏକତ୍ଵ ଲାଭ କରିସାରିଛନ୍ତି, ସେମାନଙ୍କୁ ଦେଖବାକୁ ହେବ ସେମାନଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଯେପରି ହୁଏ ସେମାନଙ୍କ ଭିତର ଦେଇ ତୋର ସର୍ବାଙ୍ଗୀଣ ସଂକଳ୍ପର ଅଖଣ୍ଡ ପ୍ରକାଶ ।