Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୧୯, ୧୯୧୨

ତୋତେ ମୁଁ ଯଥାର୍ଥ ଭାବେ ପାଇଛି, ତୋ ସଙ୍ଗେ ମୋର ମିଳନ ନିରନ୍ତର, ଏହି କଥା ସେହି ଇଂରେଜ ଯୁବକକୁ ଗତକାଲି କହିଲି, ଯେ କି ଯଥାର୍ଥ ଐକାନ୍ତିକ ଆକାଂକ୍ଷା ସହ ତୋତେ ଅନୁସନ୍ଧାନ କରୁଛି । ବାସ୍ତବିକ ଏହାହିଁ ହେଲା ମୋର ଅବସ୍ଥା ଯାହା ସମ୍ବନ୍ଧେ ମୁଁ ସଚେତନ । ମୋର ସମସ୍ତ ଚିନ୍ତା ତୋ ଆଡ଼କୁ ଯାଉଛି, ମୋର ସମସ୍ତ କର୍ମ ତୋ ପାଖରେ ଉତ୍ସର୍ଗୀକୃତ; ତୋ ଉପସ୍ଥିତି ମୋ ପାଖରେ ଧ୍ରୁବ, ଅଖଣ୍ଡ, ଅଚଞ୍ଚଳ, ବାସ୍ତବ, ଆଉ ତୋ ଶାନ୍ତି ମୋ ହୃଦୟରେ ନିରନ୍ତର ବିଦ୍ୟମାନ । ତଥାପି ମୁଁ ଜାଣେ ଯେ କାଲି ଯେଉଁ ଅବସ୍ଥା ଲାଭ କରିବା ର ସମ୍ଭାବନା ଅଛି, ତାହା ତୁଳନାରେ ଏହି ମିଳନ ଅବସ୍ଥା ଅତି ସାଧାରଣ ଓ ଅସ୍ଥାୟୀ । ଏବେ ବି ମୁଁ ସେହି ଏକାତାଠାରୁ ଦୂରରେ, ନିଶ୍ଚୟହିଁ ବହୁ ଦୂରରେ, ଯେଉଁଠାରେ ‘ମୁଁ’ ବୋଧ ସମ୍ପୂର୍ଣ୍ଣ ଲୋପ ହୋଇଯିବ, ଯେଉଁ ‘ମୁଁ’ ଶବ୍ଦଟି ବର୍ତ୍ତମାନ ନିଜକୁ ପ୍ରକାଶ କରିବା ସମୟରେ ମୁଁ ବ୍ୟବହାର କରେ, କିନ୍ତୁ ଯାହା ପ୍ରତ୍ୟେକ ବାର (ବ୍ୟବହାର କରିବାରେ) ଗୋଟିଏ ବାଧା ବୋଲି ମନେହୁଏ, ଯେପରି କୌଣସି ଶବ୍ଦ ଏକ ପ୍ରକାଶ ଅଭିମୁଖୀ ଚିନ୍ତାକୁ ବ୍ୟକ୍ତି କରିବାକୁ ଚାହେଁ, କିନ୍ତୁ ତାହା କରିବାକୁ ଅଯୋଗ୍ୟ । ମନେହୁଏ ମାନବିକ ଆଦାନପ୍ରଦାନ ସକାଶେ ଏହା ଅପରିହାର୍ଯ୍ୟ ହୋଇପାରେ, କିନ୍ତୁ ସବୁ ନିର୍ଭର କରେ ଏହି ‘ମୁଁ’ କ’ଣ ବ୍ୟକ୍ତ କରେ ତାହା ଉପରେ; ଏପରିକି ବହୁ ସମୟରେ ଯେତେବେଳେ ‘ମୁଁ’ ଶବ୍ଦଟି ମୁଁ ଉଚ୍ଚାରଣ କରେ, ସେତେବେଳେ ତୁ ମୋ ଭିତରେ କଥା କହୁ, କାରଣ ମୋର ସକଳ ପାର୍ଥକ୍ୟବୋଧ ଲୁପ୍ତ ହୋଇଯାଇଛି ।

କିନ୍ତୁ ବର୍ତ୍ତମାନ ଏହିସବୁ ବସ୍ତୁ ଭ୍ରୁଣ ଅବସ୍ଥାରେ ଅଛି ଏବଂ କ୍ରମଶଃ ପୂର୍ଣ୍ଣତା ଆଡ଼କୁ ବୃଦ୍ଧି ପାଇବ । ତୋର ସର୍ବଶକ୍ତିମତ୍ତା ଉପରେ ପ୍ରଶାନ୍ତ ନିର୍ଭରତା କି ନିଶ୍ଚିତତା ଆଣି ନ ଦିଏ !

ସବୁକିଛି ତୁ, ସର୍ବତ୍ର ତୁ, ସମସ୍ତଙ୍କ ଭିତରେ ତୁ । ଏହି ଯେଉଁ ଦେହ କାର୍ଯ୍ୟ କରୁଛି, ସମଗ୍ର ଦୃଶ୍ୟମାନ ବିଶ୍ଵ ତୁଲ୍ୟ ତାହା ଠିକ୍ ତୋ ନିଜର ଦେହ; ତୁ ଶ୍ଵାସ ନେଉଛୁ, ଚିନ୍ତା କରୁଛୁ, ପ୍ରେମ କରୁଛୁ ଏହି ସତ୍ତା ମଧ୍ୟରେ ରହି ଯେଉଁ ସତ୍ତାଟି ତୁ, ସେଥିପାଇଁ ସେ ହେବାକୁ ଚାହେଁ ତୋର ଅନୁଗତ ଦାସ ।