ଭଗବାନ୍, ମୋ ମନର ଏଇ ତନ୍ଦ୍ରାଳୁତାକୁ ତୁ ଝାଡ଼ି ଫିଙ୍ଗିଦେ ଯେଉଁଥିରେ ମୋର ଜ୍ଞାନ ହେବ ଏବଂ ମୁଁ ବୁଝିପାରିବି ତୁ ମୋର ଆଧାରକୁ କି ଅଭିଜ୍ଞତା ଆଣି ଦେଇଛୁ ।ଯେତେବେଳେ ମୋ ମଧ୍ୟରେ କିଛି ତୋତେ ଜିଜ୍ଞାସା କରେ, ତୁ ବରାବର ଉତ୍ତର ଦେଉ; ମୋର ଯଦି କିଛି ଜାଣିବାକୁ ଥାଏ ତୁ ଜଣାଇ ଦେଉ, ପ୍ରତ୍ୟକ୍ଷଭାବେ ହେଉ ବା ପରୋକ୍ଷଭାବେ ହେଉ ।
ମୁଁ ଅଧିକରୁ ଅଧିକ ଦେଖୁପାରୁଛି ଯେ ଅଧୀର ବିଦ୍ରୋହ, ଅତିରିକ୍ତ ତୁରା ସବୁ ନିରର୍ଥକ । ଧୀରେ ଧୀରେ ସବୁ ସୁଶୃଙ୍ଖଳିତ ହୋଇଉଠୁଛି ଯେଉଁଥିରେ କି ତୋର ସେବା ମୁଁ ଯଥାଯଥ ଭାବରେ କରିପାରିବି । ଏଇ ସେବାର କାର୍ଯ୍ୟରେ ମୋର ସ୍ଥାନ କ’ଣ ? ସେ ପ୍ରଶ୍ନ ମୁଁ ବହୁଦିନ ହେଲା ଛାଡ଼ିଦେଇଛି । କ’ଣ ଦରକାର ? ଜାଣିବା କି ପ୍ରୟୋଜନ ମୋର ଆସନ ମଧ୍ୟ ସ୍ଥାନରେ ବା ଏକ ପ୍ରାନ୍ତରେ ? ତୋ ନିକଟରେ ମୁଁ ଯଦି ନିଜକୁ ପୂର୍ଣ୍ଣ ଉତ୍ସର୍ଗକରି ଦେଇଥାଏ, କେବଳ ତୋର ପାଇଁ ଏବଂ ତୋତେ ଧରି ମୋର ଜୀବନ ଯଦି ହୋଇଥାଏ, ଏବଂ ତୁ ଯେଉଁ କର୍ମ ଦେଉ ତାହାକୁ ଯଦି କ୍ରମେ ଉନ୍ନତତର ଭାବେ କରିଚାଲେ, ତେବେ ବାକୀ ଆଉ କେଉଁଥିରେ କିଛି ଯାଏ ଆସେ ନାହିଁ । ନା, ମୁଁ ପୁଣିକହିବି – ବିଶ୍ଵରେ ତୋର କାର୍ଯ୍ୟ ଯେତେ ସୁନ୍ଦରଭାବେ, ଯେତେ ସଂପୂର୍ଣ୍ଣଭାବେ ହେବା ସମ୍ଭବ, ତା’ ଯଦି ସଂପନ୍ନ ହୋଇଚାଲିବ, ତେବେ କେଉଁ ବ୍ୟକ୍ତିବିଶେଷ ବା ଗୋଷ୍ଠୀ ବିଶେଷ ସେ କାର୍ଯ୍ୟ କଲେ ସେଥିରେ କ’ଣ ବା ଯାଏ ଆସେ ।
ହେ ମୋର ମଧୁର ପ୍ରଭୁ, ଅନ୍ତରାତ୍ମାର ଶାନ୍ତି, ସମତା ଓ ଅଚଞ୍ଚଳତା ନେଇ ତାନିକଟରେ ନିଜକୁ ସମର୍ପଣ କରିଦେଇଛି, ତା ମଧ୍ୟରେ ବୁଡ଼ି ମିଶିଯାଇଛି । ମୋର ମନ ବର୍ତ୍ତମାନ ସ୍ଥିର, ପ୍ରଶାନ୍ତ, ପ୍ରାଣ ପ୍ରଫୁଲ୍ମ; ତୋର କାର୍ଯ୍ୟ ନିଶ୍ଚୟ ହେବ ମୁଁ ଜାଣେ, ତୋର ବିଜୟ ନିଶ୍ଚିତ ।
ହେ ମୋର ମଧୁମୟ ପ୍ରଭୁ, ବିଶ୍ୱରେ ସମସ୍ତଙ୍କ ପାଇଁ ତୁ ଆଣିଦେ ତୋର ଜ୍ୟୋର୍ତିର ପରମ କଲ୍ୟାଣ ।