Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୯, ୧୯୧୪

ହେ ମୋର ମଧୁମୟ ପ୍ରଭୁ, ଯେଉଁମାନେ ତୋର ମସ୍ତକରେ ସ୍ଥାନ ପାଇଛନ୍ତି, ଅର୍ଥାତ୍ ବୁଦ୍ଧିଗତ ଭାଷାରେ, ଯେଉଁମାନେ ତୋ ପରା ଚେତନା ସଙ୍ଗେ ସେମାନଙ୍କ ଚେତନାକୁ ଏକୀଭୂତ କରିଛନ୍ତି, ଯେଉଁମାନେ ହୋଇଉଠିଛନ୍ତି ତୋର ପରାଞ୍ଜାନ ସେମାନଙ୍କର ତୋ ପ୍ରତି ଆଉ ପ୍ରେମ ରହି ନ ପାରେ, କାରଣ ସେମାନେ ହୋଇଯାଇଛନ୍ତି ତୁ । ତୋ ପରାସତ୍ତାର ଚେତନାରେ ପ୍ରବେଶ କଲେ ଯେଉଁ ଅନନ୍ତ ଆନନ୍ଦ ଲାଭ ହୁଏ ସେମାନେ ତାହା ଉପଭୋଗକରନ୍ତି । କିନ୍ତୁ ସେମାନଙ୍କର ରହିପାରେ ନାହିଁ ଭକ୍ତର ଭକ୍ତି ଯେ କି ଆନନ୍ଦ ବିଭୋର ହୋଇ ତା’ର ଊର୍ଦ୍ଧ୍ୱରେ ଥିବା ଭଗବାନଙ୍କର ଅଭିମୁଖୀ ହୋଇଥାଏ । ସୁତରାଂ ଯାହାର ଜୀବନର ବ୍ରତ ହେଲା ଏହି ପୃଥିବୀରେ ତୋ ପ୍ରେମକୁ ରୂପଦେବା, ତାହାକୁ ଶିକ୍ଷାଦିଆ ଯେପରି ସକଳ ବ୍ୟକ୍ତ ବିଶ୍ଵ ଉପରେ ତା’ର ରହେ ଏହି ଶୁଦ୍ଧ ଅସୀମ ପ୍ରେମ । ସେହି ପ୍ରେମର ପ୍ରଥମ ରୂପ ହେଉଛି ପୂଜା ଓ ଶ୍ରଦ୍ଧା, ପରେ ତାହା ରୂପାନ୍ତରିତ ହୁଏ କରୁଣା ଓ ଏକ ନିଷ୍ଠ ଭକ୍ତିରେ ଗଠିତ ପ୍ରେମରେ ।

ତୋର ଚିରନ୍ତନ ଏକତ୍ଵର କି ଦିବ୍ୟପ୍ରଭା !
କି ଅସୀମ ମାଧୁର୍ଯ୍ୟ ତୋ ପରମାନନ୍ଦର !
କି ପରମ ମହିମା ତୋ ଜ୍ଞାନର !
ତୁ ଅଚିନ୍ତା, ତୁ ପରମ ବିସ୍ମୟ !