ହେ ଭଗବାନ୍ ! ମନର ସମସ୍ତ ପ୍ରତିବନ୍ଧକ ତୁ ଭାଙ୍ଗି ଦେଇଛୁ ଏବଂ ଉପଲବ୍ଧ ତା’ର ପୂର୍ଣ୍ଣ ପ୍ରସାରରେ ଦେଖା ଦେଇଛି । କୌଣସି ଦିଗକୁ ଭୁଲିଲେ ଚଳିବ ନାହିଁ, ପ୍ରତ୍ୟେକଟିକୁ ଧରି ତା’ର ସିଦ୍ଧିରେ ସିଧା ଯାଇ ପହଞ୍ଚିବାକୁ ହେବ, କୌଣସିଟିକୁ ବାଦ୍ଦେବାକୁ ହେବ ନାହିଁ । ଯେଉଁ ପଥର ଗତି ବିଳମ୍ବିତ ହୁଏ, ଏପରି କୌଣସି ପ୍ରକାର ସୀମାବନ୍ଧନ ବା ନିୟମକାନୁନ ରଖିଲେ ଚଳିବ ନାହିଁ – ଠିକ୍ ଏହି କାର୍ଯ୍ୟରେ ହିଁ ଆମ୍ଭମାନଙ୍କୁ ସାହାଯ୍ୟ କରିବା ସକାଶେ ତୁ ଆମ୍ଭମାନଙ୍କ ସମ୍ମୁଖରେ ଛିଡ଼ା ହୋଇଛୁ । ଆଉ ସେହିମାନେ ଯେଉଁମାନେ କି ସ୍ଵୟଂ ତୁ, ଯେଉଁମାନେ ତୋର କୌଣସି ବିଶେଷ ଧାରାର ପୂର୍ଣ୍ଣତା ମଧ୍ୟରେ ତୋତେ ପ୍ରକାଶ କରୁଛନ୍ତି, ସେଇମାନେ ହିଁ ହେବେ ଆମ୍ଭମାନଙ୍କର ସହକର୍ମୀ, କାରଣ ଏହାହିଁ ତୋର ଇଚ୍ଛା ।
ଭଗବତୀ ଜନନୀ ଆମ୍ଭମାନଙ୍କ ସଙ୍ଗରେ ରହିଛନ୍ତି, ସେ ଆମ୍ଭମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ପରାତ୍ପର ଅଖଣ୍ଡ ଚେତନା ସଙ୍ଗେ – ଅତଳ ଗଭୀରତାଠାରୁ ବାହ୍ୟତମ ଇନ୍ଦ୍ରିୟଜଗତ୍ ଅବଧେ ସମସ୍ତଙ୍କ ସଙ୍ଗେ – ଆମ୍ଭେମାନେ ଏକୀଭୂତ ହୋଇ ରହିବୁ । ଏବଂ ଏହି ସକଳ ଜଗତରେ ଅଗ୍ନିଦେବ ତାଙ୍କର ପାବକଶିଖା ଦ୍ୱାରା ଆମ୍ଭମାନଙ୍କର ସହାୟତା କରିବେ, ବାଧାବିଘ୍ନସବୁକୁ ନାଶ କରିବେ, ଶକ୍ତି ସାମର୍ଥ୍ୟକୁ ଉଦ୍ଦୀପିତ କରିବେ, ସଂକଳ୍ପଶକ୍ତିକୁ ସଂଜୀବିତ କରିବେ ଯଦ୍ଦ୍ୱାରା ସିଦ୍ଧି ଶୀଘ୍ର ପ୍ରାପ୍ତ ହେବ । ଇନ୍ଦ୍ରଦେବ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି ଯରା ଜ୍ଞାନର ଜ୍ୟୋତି ପରିପୂର୍ଣ୍ଣତା ଲାଭ କରିବ । ଆଉ ସୋମଦେବ ପରମ ଆନନ୍ଦର ଉତ୍ସ ତାଙ୍କର ଅସୀମ ଅଦ୍ଵିତୀୟ ଅପରୂପ ପ୍ରେମରେ ଆମ୍ଭମାନଙ୍କୁ ରୂପାନ୍ତରିତ କରିଛନ୍ତି ।…
ହେ ମଧୁମୟୀ ଦିବ୍ୟଜନନି ! ବାକ୍ୟାତୀତ ସମାହିତ ପ୍ରୀତି ସହି, ଅପରିସୀମ ନିର୍ଭରତା ସହ ତୋତେ ପ୍ରଣତି ଜଣାଉଛି ।
ହେ ଭାସ୍କର ଅଗ୍ନିଦେବ ! ତୁ ମୋ ଅନ୍ତରରେ ଏପରି ଜୀବନ୍ତ ! ମୁଁ ତୋତେ ଆବାହନ କରୁଛି, ତୋତେ ପ୍ରାର୍ଥନା କରୁଛି ଯେପରି ତୁ ଆହୁରି ଜୀବନ୍ତ ହୋଇଉଠ, ଯେପରି ତୋର ହୋମକୁଣ୍ଡ ଆହୁରି ବିଶାଳ ହୋଇଉଠୁ, ଶିଖା ଆହୁରି ପ୍ରବଳ, ଆହୁରି ଊର୍ଦ୍ଧ୍ୱମୁଖୀ ହୋଇଉଠୁ, ଯେପରି ସମସ୍ତ ସତ୍ତା ହୋଇଉଠୁ ଏକ ଜ୍ଵଳନ୍ତ ଦାହନ, ଏକ ଶକ୍ତିପ୍ରଦ ହବନ ।
ହେ ଇନ୍ଦ୍ରଦେବ ! ତୋତେ ପୂଜା କରୁଛି, ତାର ପ୍ରଶସ୍ତିଗାନ କରୁଛି ଏବଂ ତୋତେ ଆକୁଳ ପ୍ରାର୍ଥନା କରୁଛି, ତୁ ମୋ ସହ ଏକ ହୋଇ ରହ, ମନର ସକଳ ବନ୍ଧନ ଭାଙ୍ଗି ଦେ, ତୋର ଦିବ୍ୟଜ୍ଞାନ ମୋତେ ପ୍ରଦାନ କର ।
ହେ ପରମ ପ୍ରେମ ! ମୁଁ ତୋତେ କେବେହେଲେ ଅନ୍ୟ ନାମ ଦେଇ ନାହିଁ, ସର୍ବତୋ ଭାବେ ମୋ ଅନ୍ତରାତ୍ମାର ସାରସତ୍ତା; ମୁଁ ତୋତେ ଅନୁଭବ କରେ, ମୋର ପ୍ରତି କ୍ଷୁଦ୍ରାଦପିକ୍ଷୁଦ୍ର ଅଣୁ ମଧ୍ୟରେ ତୁ ଜାଗ୍ରତ୍ ଓ ସ୍ପନ୍ଦିତ, ଯେପରି ଅନନ୍ତ ବିଶ୍ୱ ମଧ୍ୟରେ ଏବଂ ତା’ର ବାହାରେ ମଧ୍ୟ; ତୁ ସକଳ ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟରେ ପ୍ରବାହିତ, ସକଳ କ୍ରିୟାକର୍ମର ତୁହଁ କେନ୍ଦ୍ର, ସକଳ ସଦିଚ୍ଛା ମଧ୍ୟରେ ତୁହିଁ ପ୍ରୋଜ୍ଜଳ, ସକଳ ଦୁଃଖକଷ୍ଟର ପଶ୍ଚାରେ ତୁହିଁ ପ୍ରଚ୍ଛନ୍ନ, ତୁହିଁ ମୋର ଧର୍ମ, ଅଫୁରନ୍ତ ତାହାର ଅନୁଷ୍ଠାନ, କ୍ରମଶଃ ତାହା ତୀବ୍ରଭାବେ ବଢ଼ିଚାଲୁଛି, ଏହାହିଁ କର ଯେପରି ମୁଁ ଯଥାର୍ଥରେ ଉତ୍ତରୋତ୍ତର ଅନୁଭବ କରିପାରେ ଯେ ମୁଁ ସମଗ୍ର ରୂପେ ତୁ ହୋଇଯାଉଛି ।
ଆଉ ତୁ, ହେ ପ୍ରଭୁ, ଏସବୁ ତୁହିଁ ସମ୍ମିଳିତଭାବେ ଏବଂ ଆହୁରି କିଛି ଅଧିକ; ତୁ ଅଦ୍ଵିତୀୟ ଅଧୀଶ୍ୱର, ତୁହିଁ ଆମ୍ଭମାନଙ୍କ ଚିନ୍ତାର ଶେଷ ସୀମାରେ ରହିଛୁ, ତୁହିଁ ଆମ୍ଭମାନଙ୍କସକାଶେ ଅଜ୍ଞୟର ଦ୍ୱାରଦେଶରେ ପ୍ରତୀକ୍ଷମାଣ, ସେହି ଅବାମାନସଗୋଚର ମଧ୍ୟରୁ କିଛି ମହିମମୟ ଜ୍ୟୋତି ପ୍ରକଟ କର, ଊର୍ଦ୍ଧ୍ୱତର ଓ ପୂର୍ଣ୍ଣତର ସିଦ୍ଧିର ଗୋଟାଏ ସମ୍ଭାବନା ଉଭୂତ କର ଯେଉଁଥିରେ ତୋର ବ୍ରତ ସଂସିଦ୍ଧ ହେବ, ଯେଉଁଥିରେ ତୋ ସଙ୍ଗେ ସମୁଚ୍ଚ ଏକତ୍ୱ ଦିଗରେ, ସେହି ମହା ଆବିର୍ଭାବ ଦିଗରେ ବିଶ୍ୱ ଆହୁରି ଏକ ପାବଚ୍ଛ ଆଗେଇ ଯାଇପାରିବ ।
ବର୍ତ୍ତମାନ ଲେଖନୀ ମୋର ନିର୍ବାକ୍, ନୀରବତା ମଧ୍ୟରେ ତୋର ଆରାଧନା ମୁଁ କରୁଛି ।