Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୧୫, ୧୯୧୪

ଏକ ମାତ୍ର ପ୍ରଧ୍ୟାନ ବିଷୟ ହେଲା ଲକ୍ଷ୍ୟପ୍ରାପ୍ତି; ପଥ ଏତେ ମହତ୍ତ୍ୱପୂର୍ଣ୍ଣ ନୁହେଁ, ଏବଂ ଅନେକ ସମୟରେ ଆଗରୁ ଏହା ନ ଜାଣିବା ବରଂ ଭଲ । କିନ୍ତୁ ଯାହା ଆମ୍ଭମାନଙ୍କର ଜାଣିବା ଉଚିତ ତାହା ହେଲା, ପୃଥିବୀରେ ଯଥାର୍ଥରେ ଦିବ୍ୟକର୍ମର ମୁହୂର୍ତ୍ତି ଆସିଛି କି ନାହିଁ, ଯେଉଁ ବୀଜ ଅତି ଗଭୀରରେ ଉପ୍ତ ତା’ର ବହିପ୍ରକାଶର ସମୟ ହୋଇଛି କି ନାହିଁ ।

ହେ ଭଗବାନ୍ ! ଏଥିରେ ସନ୍ଦେହ ନାହିଁ, ତୁ ଆମ୍ଭମାନଙ୍କୁ ପ୍ରତିଶ୍ରୁତି ଦେଇଛୁ ଆଉ ତୋର ସେହି ପ୍ରତିଶ୍ରୁତି ସଙ୍ଗେ ପ୍ରକୃତି, ବିଶ୍ୱ ଚେତନା ଯଥାସାଧ୍ୟ ପୂର୍ଣ୍ଣ ସ୍ବୀକୃତି ଦେଇଛନ୍ତି ।… ସୁତରାଂ ଆମ୍ଭମାନଙ୍କର ଏହି ସ୍ଥିର ନିଶ୍ଚିତ ବୋଧ ଆସି ଯେ ଯାହାହେବାର କଥା ତାହା ନିଶ୍ଚୟ ହେବ; ଫଳତଃ ଆମ୍ଭମାନଙ୍କର ଏହି ବ୍ୟକ୍ତିଗତ ଆଧାରକୁ ଆହ୍ୱାନ କରାଯାଇଛି ଯେପରି ସେ ଏହି ମହାଗୌରବମୟ ବିଜୟ, ଏହି ନବପ୍ରକାଶର ସହଯୋଗୀ ହୋଇପାରିବ । ଏହାଠାରୁ ଆଉ ଅଧିକ କ’ଣ ଜାଣିବା ଦରକାର ? କିଛି ନାହିଁ । ସ୍ଥିର ନିର୍ଭରତା ସହ ଆମ୍ଭେମାନେ କ’ଣ ଏକ ପ୍ରବଳ ଯୁଦ୍ଧରେ ଯୋଗ ଦେଇପାରିବୁ ନାହିଁ, ସେହିସବୁ ଅପଶକ୍ତିଙ୍କ ଉଦ୍ଦମ ଆକ୍ରମଣର ସମ୍ମୁଖୀନ ହୋଇପାରିବୁ ନାହିଁ ଯେଉଁମାନେ ସେମାନଙ୍କ ଅଜ୍ଞାତ ସାରରେ ତୋ ଉଦ୍ଦେଶ୍ୟ ସାଧନରେ ହିଁ ସହାୟତା କରୁଛନ୍ତି ? ଏହି ଅପଶକ୍ତି କି ଉପାୟରେ ତୋ ଉଦ୍ଦେଶ୍ୟ ସାଧନ କରନ୍ତି, କି ଉପାୟରେ ସକଳ ବାଧା ଉପରେ ତୁ ବିଜୟ ଲାଭ କରିବୁ ଏ ବିଷୟରେ ଆମେ ଚିନ୍ତାନ୍ବିତ ହେବା ଅନୁଚିତ । କାରଣ ତୋ ବିଜୟ ଏପରି ପରିପୂର୍ଣ୍ଣ ଯେ ତୋ ବିରୋଧରେ ଛିଡ଼ା ହୋଇଥିବା ସକଳ ବାଧା, ପ୍ରତ୍ୟେକ ମନ୍ଦ ଇଚ୍ଛା, ପ୍ରତ୍ୟେକ ବିଦ୍ବେଷ ଏକ ବିଶାଳତର ଓ ବୃହତ୍ତର ବିଜୟର ଭବିଷ୍ୟତ୍ୱ ବାଣୀ ନେଇଆସେ ।
ବାଧାର ଆୟତନ ଅନୁସାରେ ମାପିହୁଏ ତୋର ବିଶୁଦ୍ଧ ଶକ୍ତିର କ୍ରିୟା, ଯାହା ଏତେ ପରିମାଣରେ ପୃଥିବୀ ଉପରେ ପ୍ରକାଶିତ ହେବା ସକାଶେ ଉତରି ଆସୁଛି । ଯାହାବାଧା ଦେଉଛି ତାହା ଉପରେ କାର୍ଯ୍ୟ କରିବା ସକାଶେ ସେହି ଶକ୍ତି ଉତରି ଆସେ । ସବୁଠାରୁ ଭୟଙ୍କର ଯେଉଁ ବିଦ୍ବେଷ ତାହା ତୋର ଦିବ୍ୟସ୍ପର୍ଶ ଅନୁଭବ କରିବ ଏବଂ ରୂପାନ୍ତରିତ ହେବ ଜ୍ୟୋତିର୍ମୟ ଶାନ୍ତିରେ ।

ତୋ କର୍ମର କେନ୍ଦ୍ରରୂପେ, ତୋର ବାହନରୂପେ ଯେଉଁ ମାନୁଷୀ ବ୍ୟକ୍ତିକୁ ତୁ ବରଣ କରିଛୁ, ତା’ ବିରୋଧରେ ବାଧା, ବିଦ୍ବେଷ, ଆପଢି ଯଦି ସାମାନ୍ୟ ହୁଏ, ତେବେ ତାହାର ଅର୍ଥ ଏହି ଯେ ତୁ ଯେଉଁ କର୍ମର ଭାର ତାହା ଉପରେ ଅର୍ପଣ କରିଛୁ, ତାହା ସୀମାବଦ୍ଧ ଓ କ୍ଷୀଣପ୍ରାଣ । ସେ କାର୍ଯ୍ୟ କରିବ ସଦିଚ୍ଛାପ୍ରଣୋଦିତ ପୂର୍ବପ୍ରସ୍ତୁତ ବ୍ୟକ୍ତିତ୍ଵର ସଂକୀର୍ତ୍ତ ମଣ୍ଡଳୀ ମଧ୍ୟରେ – ପୃଥିବୀର ବିପର୍ଯ୍ୟସ୍ତ, ଅବ୍ୟବସ୍ଥିତ ସର୍ବସାଧାରଣ ଉପାଦାନ ଉପରେ ନୁହେଁ ।

ହେ ଦିବ୍ୟପ୍ରଭୁ ! ତୁ ମୋତେ ଏହି ଯେଉଁ ଦିବ୍ୟଜ୍ଞାନ ଦେଇଛୁ, ତାହା ସମସ୍ତଙ୍କୁ ସମାନଭାବେ ବିତରଣ କର, ଯେପରି ଆମ୍ଭମାନଙ୍କ ହୃଦୟରେ ପ୍ରତିଷ୍ଠିତ ହେବ ନିଶ୍ଚୟବୁଦ୍ଧିର ପ୍ରଶାନ୍ତି, ଯେପରି ତୋର ସେହି ପରମ ନିଶ୍ଚୟତାର ଶାନ୍ତି ସହ ମସ୍ତକ ଉନ୍ନତ କରି ଛିଡ଼ା ହୋଇପାରିବୁ ସେମାନଙ୍କ ବିରୋଧରେ ଯେଉଁମାନେ ଅଜ୍ଞାତରେ ରୂପାନ୍ତର ପ୍ରତି ଆକୃଷ୍ଟ ହେଲେ ମଧ୍ୟ ଅନ୍ଧ ଅଜ୍ଞାନ ଆଡ଼କୁ ମାଡ଼ି ଚାଲନ୍ତି ଏବଂ ମନେ କରନ୍ତି ଯେ ଏହା ସେହି ରୂପାନ୍ତରିକାରୀ ଦିବ୍ୟପ୍ରେମକୁ ଧ୍ବଂସ କରି ଦେଇ ପାରିବ ।