ସେହି ଶିଖରର ଚୂଡ଼ା ଯାହାକି ତୋର ଅନନ୍ତ ଦିବ୍ୟପ୍ରେମ ସହିତ ଏକାତ୍ମତା, ସେଥିରୁ ମୋର ଦୃଷ୍ଟି ତୁ ଫେରାଇ ଦେଇଛୁ ଏହି ଜଟିଳ ଦେହାଧାର ଉପରକୁ, ଯାହାକୁ ତୋର ସେବାର ଯନ୍ତ୍ର ହେବାକୁ ହେବ । ତୁ ମୋତେ କହିଲେ, “ଏହା ମୁଁ ସ୍ଵୟଂ, କ’ଣ ଦେଖୁରୁ ନାହୁଁ ଏହା ଭିତରେ ମୋର ଆଲୋକ ଜଳୁଛି ?” ବାସ୍ତବିକ ମୁଁ ଦେଖୁଛି, ତୋର ଦିବ୍ୟପ୍ରେମ ପ୍ରଥମେ ଜ୍ଞାନରେ, ପରେ ଶକ୍ତିରେ ବିଭୂଷିତ ହୋଇ ଏହି ଶରୀରକୁ, ତାହାର କ୍ଷୁଦ୍ରତମ ଜୀବକୋଷ ପର୍ଯ୍ୟନ୍ତ ସବୁକୁ ଗଢ଼ିଦେଇଛି ଏବଂ ତାହା ମଧ୍ୟରେ ଏହାର ବିକିରଣ ଏତେ ବେଶୀ ଉଜ୍ଜ୍ୱଳ ହୋଇଉଠିଛି ଯେ ମନେହୁଏ ତାହା ଯେପରି ସହସ୍ର ସହସ୍ର ଜ୍ୟୋତିର୍ମୟ ସ୍କୁଲିଙ୍ଗର ସମଷ୍ଟି ଏବଂ ସେମାନେ ଏହି କଥା ପ୍ରକାଶ କରୁଛନ୍ତି ଯେ ସେମାନେ ପ୍ରତ୍ୟେକେ ହେଲେ ତୁ ।
ତେଣୁ ବର୍ତ୍ତମାନ ସମସ୍ତ ଅନ୍ଧକାର ମିଳାଇଯାଇଛି, ରହିଛୁ ଏକ ମାତ୍ର ତୁ, ବିଭିନ୍ନ ଜଗତରେ, ବିଭିନ୍ନ ଆକାରରେ, କିନ୍ତୁ ସେହି ଏହିଁ ଅକ୍ଷୟ, ଅନନ୍ତ ଅଦ୍ୱିତୀୟ ପ୍ରାଣରୂପେ ।
ଶୁଦ୍ଧ ପ୍ରେମର, ଅଖଣ୍ଡ ଏକତ୍ୱର ଅକ୍ଷୟ ଏହି ଯେଉଁ ତୋର ଦିବ୍ୟଜଗତ୍, ତାକୁ ନିବିଡ଼ଭାବେ ସଂଯୁକ୍ତ କରି ଧରିବାକୁ ହେବ ଅନ୍ୟ ସବୁ ରାଜ୍ୟ ନେଇ ଯେଉଁ ଦିବ୍ୟଜଗତ୍ ତାହା ସଙ୍ଗରେ – ଏପରିକି ଅତି ସ୍ଥୂଳ ଜଗତ୍ ପର୍ଯ୍ୟନ୍ତ ମଧ, ଯେଉଁଠାରେ ତୁହିଁ ହେଲୁ ପ୍ରତ୍ୟେକ ପରମାଣୁର କେନ୍ଦ୍ର, ତା’ର ଗଠନର ଉପାଦାନ । ଏହି ଯେତେ ଦିବ୍ୟଜଗତର ପରମ୍ପରା ସେଗୁଡ଼ିକ ମଧ୍ୟରେ ପୂର୍ଣ୍ଣ ଚେତନାର ମିଳନସୂତ୍ରଟିକୁ ସ୍ଥାପନ କରିବା ହେଲା ଏକମାତ୍ର ଉପାୟ ଯେଉଁଥିରେ ତୋ ମଧ୍ୟରେ ନିରନ୍ତର ଓ ସମାନ ଭାବରେ ବାସ କରିବା ସମ୍ଭବ ହୋଇପାରେ ଓ ଯେଉଁ ବ୍ରତତୁ ଏହି ଆଧାର ଉପରେ ନ୍ୟସ୍ତ କରିଛୁ ତାହା ସଂସିଦ୍ଧ କରାଯାଇପାରେ ତା’ର ଚେତନାର ସକଳ ସ୍ତର ଓ ତା’ର କର୍ମର ସକଳ ଧାରାରେ ସମଗ୍ର ଭାବେ ।
ହେ ମୋର ପ୍ରେମମୟ ପ୍ରଭୁ, ମୋ ଅଜ୍ଞାନର ଆଉ ଏକ ଆବରଣ ତୁ ଛିନ୍ନକରିଛୁ । ତୋର ସନାତନ ହୃଦୟ ମଧ୍ୟରେ ମୋର ପୁଣ୍ୟ ସ୍ଥାନଟି ପରିତ୍ୟାଗ ନ କରି ମଧ୍ୟ ମୁଁ ରହିଛି ମୋ ଶରୀରର ଉପାଦାନ ପ୍ରତ୍ୟେକ ଅଣୁ ପରମାଣୁର ଅନ୍ତରରେ ଯେଉଁ ଅଗୋଚର ଅନନ୍ତ ହୃଦୟ ରହିଛି, ତା’ ମଧ୍ୟରେ ।
ଏହି ଯେଉଁ ଅଖଣ୍ଡ ପୂର୍ଣ୍ଣାଙ୍ଗ ଚେତନା, ତାକୁ ସୁଦୃଢ଼ କର, ତା’ର ପରିପୂର୍ଣ୍ଣତା ମଧ୍ୟରେ ପୁଙ୍ଖାନୁପୁଙ୍ଖରୂପେ ମୁଁ ଯେପରି ପ୍ରବେଶ କରିପାରେ, ଆଉ ଗୋଟିଏ ମୁହୂର୍ତ୍ତିପାଇଁ ବି ତୋତେ ପରିତ୍ୟାଗ ନ କରି ମୁଁ ଯେପରି ତୁ ଯେଉଁ କାର୍ଯ୍ୟର ନିର୍ଦେଶ ମୋତେ ଦେଇଛୁ, ତା’ର ପ୍ରୟୋଜନ ଅନୁସାରେ ନିରନ୍ତର ସେଇ ଅସୀମ ସୋପାନାବଳୀରେ ଆରୋହଣ ଓ ଅବରୋହଣ କରିପାରେ ।
ମୁଁ ତୋର, ତୋ ମଧ୍ୟରେ ଓ ମୁଁ ହିଁ ସ୍ଵୟଂ ତୁ, ଶାଶ୍ଵତ ଆନନ୍ଦର ପରିପୂର୍ଣ୍ଣତା ସହ ।