ହେ ଦିବ୍ୟଜନନୀ ! କି ଆକୁଳତା, କି ଜ୍ଵଳନ୍ତ ପ୍ରେମ ସହ ତୋର ଗଭୀରତର ଚେତନା, ତୋର ସେଇ ପରମ ପ୍ରେମ ତଥା ପୂର୍ଣ୍ଣାନନ୍ଦର ଉଚ୍ଚ ସ୍ଥିତି ଆଡ଼କୁ ଧାବିତ ହୋଇ ଆସି ଥିଲି, ସେଠାରେ ଏପରି ଗଭୀର ଓ ତୀବ୍ର ପ୍ରେମାବେଗରେ ତୋ ବାହୁପାଶରେ ସଂଲଗ୍ନ ହୋଇଯାଇଥିଲି ଯେ ଶେଷରେ ମୁଁ ସମ୍ପୂର୍ଣ୍ଣ ଭାବେ ତୁହିଁ ହୋଇଯାଇଥିଲି । ତା’ପରେ ଆମ୍ଭମାନଙ୍କର ମୂକ ରସର ନୀରବତାର ଗଭୀରତର ପ୍ରଦେଶରୁ ଏକ କଣ୍ଠ ସ୍ଵର ଉଠିଆସିଲା ଏବଂ ତାହା କହିଲା, “ସେମାନଙ୍କ ଆଡ଼କୁ ଫେରି ଛିଡ଼ାହୁଅ ଯେଉଁ ମାନଙ୍କପାଇଁ ତୋ ପ୍ରେମର ପ୍ରୟୋଜନ ଅଛି ।” ସେତେବେଳେ ଚେତନାର ସମସ୍ତ ସୋପାନାବଳୀ, କ୍ରମାନ୍ୱୟୀ ସମସ୍ତ ଜଗତ୍ ଦେଖାଗଲା । ସେଥିମଧ୍ୟରୁ କେତେକ ପ୍ରୋତ୍ସଳ, ଜ୍ୟୋତିର୍ମୟ, ସୁବ୍ୟବସ୍ଥିତ, ସୁପରିଚ୍ଛନ୍ନ; ସେଠାରେ ଜ୍ଞାନ ଭାସ୍କର, ପ୍ରକାଶ ଉଦାର ଓ ସାମଞ୍ଜସ୍ୟପୂର୍ଣ୍ଣ, ସଂକଳ୍ପ ଶକ୍ତିଶାଳୀ ଓ ଅଜେୟ । କିନ୍ତୁ ତାହା ପରର ଜଗତ୍ ସକଳ ଅନ୍ଧକାରାଚ୍ଛନ୍ନ ହୋଇଉଠିଲା, କ୍ରମେ କ୍ରମେ ବହୁବିଚ୍ଛିନ୍ନ ଓ ବିଶୃଙ୍ଖଳ ହୋଇଚାଲିଲା – ସେଠାରେ କର୍ମଶକ୍ତିଧାରଣ କଲା ରୁଦ୍ରମୂର୍ତ୍ତି ଏବଂ ଜଡ଼ଜଗତ୍ ହୋଇଉଠିଲା ତମସାଚ୍ଛନ୍ନ ଓ ଦୁଃଖମୟ । ତା’ପରେ, ଯେତେବେଳେ “ଆମେ” ଦୁଇଜଣ ଆମର ଅସୀମ ପ୍ରେମ ମଧ୍ୟଦେଇ ଅଜ୍ଞାନ-ଅଭାବଗ୍ରସ୍ତ ପୃଥିବୀର ଦାରୁଣ ଦୁଃଖ ସର୍ବାଙ୍ଗୀନରୂପେ ହୃଦୟଙ୍ଗମ କଲୁ, ଯେତେବେଳେ “ଆମେ” ଦେଖୁଲୁ ଯେ ଆମ ସନ୍ତାନଗଣ ଘୋର ସଂଗ୍ରାମରତ, ଏବଂ ସେମାନେ ବିପଥଗାମୀ ଶକ୍ତିଦ୍ୱାରା ପରିଚାଳିତ ହୋଇ ପରସ୍ପରକୁ ଆକ୍ରମଣ କରୁଛନ୍ତି, ସେତେବେଳେ ଆମେ ତୀବ୍ର ଭାବେ ଅଭୀପ୍ସା କଲୁ ଦିବ୍ୟ ପ୍ରେମର ଜ୍ୟୋତି ପ୍ରକାଶ ନିମନ୍ତେ, ଗୋଟିଏ ରୂପାନ୍ତରକାରିଣୀ ଶକ୍ତି ନିମନ୍ତେ, ଯାହା ଏହି ବିଶୃଙ୍ଖଳ ଉପାଦାନରାଜିର କେନ୍ଦ୍ରରେ ଆବିର୍ଭୂତ ହୋଇପାରେ ।… ହେ ଅଚିନ୍ତଃ ପରାତ୍ପର, ତତ୍ପରେ ଭାଗବତ ଇଚ୍ଛାଶକ୍ତି ଯେପରି ଆହୁରି ସବଳ, ଆହୁରି ସଫଳ ହୋଇଉଠେ, ସେଥିପାଇଁ ‘ଆମେ’ ତୋ ଆଡ଼କୁ ଫେରିଥିଲୁ, ଏବଂ ତୋର ସହାୟତା ନିମନ୍ତେ ପ୍ରାର୍ଥନା କରିଥିଲୁ । ସେହି ଅଜ୍ଞୟର ଅତଳ ଗଭୀରତା ମଧ୍ୟରୁ ଏକ ସମୁଦାତ୍ତ ଓ ଦୁର୍ନିବାର ପ୍ରତ୍ୟୁତ୍ତର ଶୁଣିବାକୁ ପାଇଲୁ ଏବଂ ସେତେବେଳେ ଆମ୍ଭେମାନେ ବୁଝିପାରିଲୁ ଯେ ପୃଥିବୀ ରକ୍ଷା ପାଇଗଲା ।