ମୋର ସତ୍ତା ସ୍ତୁତିମୁଖର ହୋଇ ଉଠିଚାଲିଛି ତୋ ଆଡ଼କୁ, ଏଥିପାଇଁ ନୁହେଁ ଯେ ତୁ ଏହି ଦୁର୍ବଳ ଆଧାରଟିକୁ ଆଶ୍ରୟ କରି ଆତ୍ମପ୍ରକାଶ କରିଛୁ, କିନ୍ତୁ ତୁ ଯେ ନିଜକୁ ପ୍ରକାଶକରିଛୁ ଏଇଥିପାଇଁ । ତାହାହିଁ ହେଲା ସକଳ ଐଶ୍ଵର୍ଯ୍ୟର ଐଶ୍ଵର୍ଯ୍ୟ, ସକଳ ଆନନ୍ଦର ଆନନ୍ଦ, ସକଳ ଆଶ୍ଚର୍ଯ୍ୟର ଆଶ୍ଚର୍ଯ୍ୟ । ଯେଉଁମାନେ ସାଗ୍ରହରେ ତୋତେ ଖୋଜନ୍ତି, ସେମାନଙ୍କର ଜାଣିବା ଉଚିତ ଯେ ଯେତେବେଳେ ଯେଉଁଠାରେ ପ୍ରୟୋଜନ ସେତେବେଳେ ତୁ ସେହିଠାରେ ଉପସ୍ଥିତ । ସେମାନେ ଯଦି ଏଇ ସ୍ଥିର ବିଶ୍ଵାସ ନେଇ ରହିପାରନ୍ତି, ତୋତେ ଖୋଜାଖୋଜି ନ କରି ତୋ ସେବାରେ ନିଜକୁ ପ୍ରତି ମୁହୂର୍ତ୍ତରେ, ଅଖଣ୍ଡ ଭାବରେ ନିୟୋଗ କରି କେବଳ ଅପେକ୍ଷା କରି ରହନ୍ତି, ତା’ହେଲେ ଯେତେବେଳେ ଆବଶ୍ୟକ ହେବ ସେତେବେଳେ ତୁ ଆସି ଉପସ୍ଥିତ ହେବୁ; ଆଉ ତୋର ଉପସ୍ଥିତି କ’ଣ ସବୁ ସମୟରେ ଆମ୍ଭମାନଙ୍କର ଆବଶ୍ୟକ ନୁହେଁ – ଯେଉଁ ରୂପ ନେଇ ତୋର ସେ ଆବିର୍ଭାବ ହେଉନା କାହିଁକି – ଅନେକ ସମୟରେ ତାହା ଅପ୍ରତ୍ୟାଶିତ ହେଲେ ବି ?
ତୋର ମହିମା ଘୋଷିତ ହେଉ,
ଜୀବନ ସେଥିରେ ବିଶୁଦ୍ଧ ହୋଇଉଠୁ,
ମନୁଷ୍ୟର ହୃଦୟକୁ ଏହା ରୂପାନ୍ତରିତ କରୁ,
ପୃଥିବୀରେ ତୋର ଶାନ୍ତି ବିରାଜିତ ହେଉ ।