Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୩, ୧୯୧୫

ନିଃସଙ୍ଗତା, କଠୋର ନିଃସଙ୍ଗତା… ଏବଂ ନିରନ୍ତର ଏହି ତୀବ୍ର ଅନୁଭବ ଯେ, ମୁଁ ଯେପରି ଗୋଟିଏ ଗଭୀର ଅନ୍ଧକାରମୟ ନରକ ମଧ୍ୟକୁ ସିଧା ନିକ୍ଷିପ୍ତ ହୋଇଛି । ଜୀବନର କୌଣସି ମୁହୂର୍ତ୍ତରେ, କୌଣସି ଅବସ୍ଥାରେ ବୋଧହୁଏ ଏପରି ଆବେଷ୍ଟନୀ ମଧ୍ୟରେ କେବେ ବି ବାସ କରି ନ ଥିଲି – ମୋ ଚେତନାରେ ଯାହା କିଛି ସତ୍ୟ ଏବଂ ଯାହା କିଛି ସାରଭୂତ ବୋଲି ଜାଣିଥା ତାହାର ଏ ତ ସଂପୂର୍ଣ୍ଣ ବିପରୀତ । ସମୟ ସମୟ ରେ ଏହି ଅନୁଭବ, ଏହି ବୈପରୀତ୍ୟ ଏତେ ତୀବ୍ର ହୋଇଉଠେ ଯେ ମୋର ଅଖଣ୍ଡ ସମର୍ପଣ ମଧ୍ୟରେ ଗୋଟାଏ ବିଷାଦର ଛାୟାକୁ ମୁଁ ରୋକି ପାରେ ନାହିଁ ଏବଂ ଅନ୍ତର୍ଯ୍ୟାମୀ ପ୍ରଭୁଙ୍କ ସଙ୍ଗେ ପ୍ରଶାନ୍ତ ନୀରବ ବାକ୍ୟାଳାପ ମୁହୁର୍ତ୍ତକ ନିମନ୍ତେ ପ୍ରାୟ ଗୋଟାଏ ସାନୁଯୋଗ ଆବାହନରେ ପରିଣତ ହୋଇଯାଏ, ଏହାକୁ ମଧ୍ୟ ବନ୍ଦ କରିପାରେ ନାହିଁ : ”ହେ ଭଗବାନ୍ ! ମୁଁ ଏପରି କ’ଣ କରିଛି ଯେ ଯାହା ସକାଶେ ତୁ ମୋତେ ଏପରି ଅନ୍ଧକାର ରାତ୍ରିର ମଧ୍ୟରେ ପକାଇ ଦେଇଛୁ ? କିନ୍ତୁ ଠିକ୍ ସେତେବେଳେ ହିଁ ଅଭୀପ୍ସା ତୀବ୍ରତର ହୋଇଉଠେ :ହେ ପ୍ରଭୁ ! ସକଳ ସ୍କଳନ ମଧ୍ୟରୁ ଏହି ଆଧାରକୁ ରକ୍ଷା କର । ତୋ କର୍ମ ନିମନ୍ତେ – ସେ କର୍ମ ଯାହା ହେଉ ନା କାହିଁକି – ତାହା ଯେପରି ବିନମ୍ର ଏବଂ ସ୍ଵଚ୍ଛ ଦୃଷ୍ଟିମୟ ଯନ୍ତ୍ରରେ ପରିଣତ ହୁଏ ।”
ବର୍ତ୍ତମାନ ସେ ସ୍ୱଚ୍ଛଦୃଷ୍ଟି ନାହିଁ – ଭବିଷ୍ୟତ୍ ଆଉ କେବେ ବି ଏପରି ଆବୃତ ହୋଇ ନ ଥିଲା । ବ୍ୟକ୍ତିର ଭାଗ୍ୟ ସମ୍ବନ୍ଧରେ ମନେହୁଏ ଯେପରି ଆମ୍ଭେମାନେ ଗୋଟାଏ ଦୁର୍ଭେଦ୍ୟ ଓ ସମୁଚ୍ଚ ପ୍ରାଚୀର ଆଡ଼କୁ ଚାଲୁଛୁ । ଜାତିସମୂହ ଏବଂ ପୃଥିବୀର ଭାଗ୍ୟ ବ୍ୟକ୍ତିବିଶେଷର ଭାଗ୍ୟ ଅପେକ୍ଷା ଅଧିକତର ସୁସ୍ପଷ୍ଟ । କିନ୍ତୁ ଏସବୁ ସମ୍ବନ୍ଧରେ କିଛି କହିବା ନିରର୍ଥକ – ଭବିଷ୍ୟତ୍ ସକଳ ଚକ୍ଷୁ ସମକ୍ଷରେ ତାହା ଖୋଲିଦେବ, ଏପରି କି ଅନ୍ଧ ମଧ୍ୟ ତାହା ଦେଖୁପାରିବ ।