Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୭, ୧୯୧୪

ହେ ଭଗବାନ୍ ! ସେହି ସମସ୍ତଙ୍କୁ ଶାନ୍ତି ଦିଅ, ଆଲୋକ ଦିଅ, ସେମାନଙ୍କ ଅନ୍ଧଚକ୍ଷୁ ଓ ତମସାଚ୍ଛନ୍ନ ବୁଦ୍ଧି ଖୋଲିଦିଅ; ସେମାନଙ୍କର ନିଷ୍ଫଳ ଆତ୍ମପୀଡ଼ନ ଓ ନିରର୍ଥକ ଦୁଶ୍ଚିନ୍ତା ଶାନ୍ତ କରିଦିଅ । ସେମାନଙ୍କର ନିଜ ଉପରେ ଆବଦ୍ଧ ଦୃଷ୍ଟିକୁ ଫେରାଇଦିଅ, ତୋ କାର୍ଯ୍ୟରେ ବିନା ହିସାବରେ, ବିନା ସଙ୍କୋଚରେ ଆତ୍ମୋତ୍ସର୍ଗର ଆନନ୍ଦ ସେମାନଙ୍କୁ ଦିଅ । ତୋର ସୁଷମା ସକଳ ବସ୍ତୁ ମଧ୍ୟରେ ବିକଶିତ ହେଉ, ଆଉ ସକଳ ହୃଦୟରେ ତୋରପ୍ରେମ ଜାଗରିତ ହେଉ ଯଦ୍ଦ୍ୱାରା ତୋର ଚିରନ୍ତନ ଉନ୍ନତିଶୀଳ ବିଧାନ ପୃଥିବୀ ଉପରେ ସିଦ୍ଧ ହେବ, ଏବଂ ତୋର ସୁସଙ୍ଗତି ପ୍ରସାରିତ ହେଉ ସେହିଦିନ ପର୍ଯ୍ୟନ୍ତ ଯେଉଁଦିନ ପର୍ଯ୍ୟନ୍ତ ଶାନ୍ତି ଓ ଶୁଦ୍ଧି ସହ ସକଳ ବସ୍ତୁ ତୁହିଁ ହୋଇ ନ ଯାଇଛୁ ।

ଆହା ! ସକଳ ଆଖିରୁ ଲୁହ ଶୁଖିଯାଉ, ସକଳ ବେଦନା ଦୂର ହୋଇଯାଉ, ସକଳ ଯନ୍ତ୍ରଣା ମିଳାଇ ଯାଉ, ସକଳ ହୃଦୟରେ ବିରାଜିତ ହେଉ ସ୍ଥିର ପ୍ରଶାନ୍ତି ଏବଂସକଳ ମସ୍ତିଷ୍କ ସୁଦୃଢ଼ ହୋଇଉଠୁ ଏକ ଶକ୍ତିଶାଳୀ ନିଃସଂଶୟତାରେ । ସଂଜୀବନୀ ଧାରାତୁଲ୍ୟ ପ୍ରବାହିତ ହେଉ ସକଳଙ୍କ ମଧ୍ୟରେ ତୋର ଜୀବନ, ସକଳେ ତୋର ଅଭିମୁଖୀ ହୁଅନ୍ତୁ, ଯଦ୍ଦ୍ୱାରା ତୋର ଧ୍ୟାନରେ ସେମାନେ ଅର୍ଜନ କରିବେ ଯାବତୀୟ ପ୍ରକାର ବିଜୟର ଶକ୍ତି ।