Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୧୨, ୧୯୧୪

ଅଧିକରୁ ଅଧିକ ମୋର ସ୍ପଷ୍ଟ ବୋଧ ହେଉଛି ଯେ ଆମ୍ଭେମାନେ କର୍ମର ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠି ଅତୀତ ପ୍ରୟାସ ଫଳ ଦେଖା ଦେଇଥାଏ – ଏହା ଏପରି ଏକ ପର୍ଯ୍ୟାୟ ଯେତେବେଳେ ଆମେ ତୋର ବିଧାନ ଅନୁସାରେ ସେଇ ଅନୁପାତରେ କର୍ମ କରିପାରୁ ଯେଉଁ ଅନୁପାତରେ ଏହା ଆମ ସତ୍ତାକୁ ଅକାର କରିଥାଏ, ଯଦିଓ ହୁଏତ ସଚେତନ ଭାବେ ତାହାକୁ ବୁଝିବାକୁ ଆମର ଅବକାଶ ନ ଥାଏ ।

ଆଜି ପ୍ରାତଃକାଳରେ ଏକ ଦୃତ ଅନୁଭୂତି ଭିତରେ ଗଭୀରରୁ ଗଭୀରତର ଆଡ଼କୁ ଅଗ୍ରସର ହେଲାବେଳେ – ଯେପରି ସର୍ବଦା ହୋଇଥାଏ – ଆହୁରି ଥରେ ତୋ ଚେତନା ସଙ୍ଗେ ମୋ ଚେତନା ଏକୀଭୂତ ହୋଇଗଲା, ମୁଁ ତୋ ମଧ୍ୟରେ ରହିଗଲି, ଅର୍ଥାତ୍ କେବଳ ତୁହିଁ ରହିଗଲୁ, କିନ୍ତୁ ହଠାତ୍ତ୍ ତୋର ଇଚ୍ଛା ମୋ ଚେତନାକୁ ବାହାରକୁ ଟାଣି ଆଣିଲା ଯେଉଁକର୍ମ କରିବାକୁ ହେବ ସେହି ଆଡ଼କୁ, ଆଉ ତୁ ମୋତେ କହିଲୁ, “ତୁ ସେଇ ଯନ୍ତ୍ର ହୋଇଯା, ଯାହା ମୋର ପ୍ରୟୋଜନ ।” ଏହା କ’ଣ ତେବେ ସେଇ ଅନ୍ତିମ ତ୍ୟାଗ ନୁହେଁ, ତୋ ସଙ୍ଗେ ଏକତ୍ଵର ତ୍ୟାଗ, ସେଇ ମଧୁର ବିଶୁଦ୍ଧ ଆନନ୍ଦର ତ୍ଯାଗ ଯାହା ଆସେ ତୋ ସଙ୍ଗେ ମୋର କୌଣସି ପାର୍ଥକ୍ୟ ନ ରଖିବା ଫଳରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ଏଇ ଜ୍ଞାନ ରଖିବା ଫଳରେ – ବୁଦ୍ଧିଗତ ଜ୍ଞାନ ନୁହେଁ କିନ୍ତୁ ଏକ ଅଖଣ୍ଡ ଅନୁଭୁତି ଦ୍ଵାରା – ଯେ ତୁହିଁ ଏକ ମାତ୍ର ସଦ୍‌ବସ୍ତୁ, ଆଉ ସବୁକିଛି ହିଁ ବାହିଂକ ମୂର୍ତ୍ତି, ମାୟାରୂପ । ବାହ୍ୟ ସତ୍ତା ଏକ ଅନୁଗତ ସେବକ ହୋଇଉଠୁ, ଯେଉଁ ଇଚ୍ଛାଶକ୍ତି ତାକୁ ଚଳାଏ, ସେ ସମ୍ବନ୍ଧରେ ତା’ର ସଚେତନ ହେବାର ପ୍ରୟୋଜନ ନାହିଁ -ଏହା ନିଃସନ୍ଦେହରେ ମାନିନେଲି; କିନ୍ତୁ ଏଥିପାଇଁ ମୋତେ କାହିଁକି ସେଇ ଯନ୍ତ୍ର ସଙ୍ଗେ ସଂପୂର୍ଣ୍ଣ ଏକୀଭୂତ ହୋଇଯିବାକୁ ହେବ ? ବରଂ ଏହି ‘ମୁଁ’ ତୋ ସଙ୍ଗେ କାହିଁକି ଏକ ହୋଇଯାଏ ନାହିଁ, ତୋର ପୂର୍ଣ୍ଣ ପରା ଚେତନାର ଜୀବନ ଲାଭ କରେ ନାହିଁ ?

ମୁଁ ଏ ପ୍ରଶ୍ନ କରୁଛି ଅବଶ୍ୟ, କିନ୍ତୁ ସେଥିପାଇଁ ମୋର କୌଣସି ଚିନ୍ତା ନାହିଁ । ମୁଁ ଜାଣେ ସବୁକିଛି ହେଉଛି ତୋ ଇଚ୍ଛାନୁସାରେ । ତେଣୁ ଶୁଦ୍ଧ ଚିତ୍ତରେ ତୋତେ ଆରାଧନା କରୁଛି, ତୋର ଇଚ୍ଛା ନିକଟରେ ପରମ ଆନନ୍ଦରେ ନିଜକୁ ଛାଡ଼ିଦେଉଛି । ହେ ଭଗବାନ୍, ତୁ ମୋତେ ଯାହା ହେବାକୁ ଚାହୁଁ, ମୁଁ ତାହାହିଁ ହେବି, ସଚେତନ ହୁଏ ବା ଅଚେତନ ହୁଏ, ଶରୀର ପରି କେବଳ ଯନ୍ତ୍ରଟିଏ ହୁଏ ବା ତୋର ପରା ଚେତନା ପରି ହୁଏ । କି ମଧୁର, କି ଶାନ୍ତିମୟ ଆନନ୍ଦ ମୋର ହୁଏ ଯେତେବେଳେ ମୁଁ କହିପାରେ, ‘ସବୁକିଛି ଭଲ’, ଯେତେବେଳେ ବୋଧ କରେ ଯେ ତୁ ଜଗତର ସମସ୍ତ ଉପାଦାନ ଭିତରେ – ଯେଉଁମାନେ ଯେଉଁଠି ତୋର ବାହନ ହେବାକୁ ପ୍ରସ୍ତୁତ, ସେମାନଙ୍କ ଭିତରଦେଇ – କାମ କରିଚାଲିଛୁ !

ତୁ ସକଳ ର ଏକଚ୍ଛତ୍ର ଅଧୀଶ୍ୱର, ତୁ ଅଗମ୍ୟ, ଅଜ୍ଞୟ, ଶାଶ୍ୱତ, ପରାତ୍ପସଦ୍ରସ୍ତୁ ।

ହେ ଅନୁପମ ଏକତ୍, ତୋ ଭିତରେ ମୁଁ ଲୀନ ହୋଇଯାଇଛି !