Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨୬, ୧୯୧୫

ଚେତନା ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ଧ୍ୟାନରେ ବୁଡ଼ି ରହିଥିଲା, ସମଗ୍ର ଆଧାର ଏକ ବୃହତ୍ ଓ ପରମ ସୁଖ ଭୋଗ କରୁଥିଲା ।
ସ୍ଥୂଳ ଦେହ, ପ୍ରଥମେ ତାହାର ନିମ୍ନତର ଅଙ୍ଗ ଗୁଡ଼ିକ, ପରେ ସମଗ୍ର ଭାବରେ, ଗୋଟାଏ ପବିତ୍ର ସ୍ପନ୍ଦନରେ ପୁଲକିତ ହୋଇଉଠିଲା; କ୍ରମେ ଜଡ଼ତମ ଅନୁଭବର ସକଳ ବ୍ୟକ୍ତିଗତ ସୀମା ଭାଙ୍ଗି ପଡ଼ିଲା । ସୁନିୟମିତ ଭାବେ, ସକଳ ପ୍ରତିବନ୍ଧନ ଭାଙ୍ଗି, ସକଳ ବାଧାବିଘ୍ନ ଚୂର୍ଣ୍ଣ କରି ସତ୍ତା ପାହାଚ ପାହାଚ କରି ବୃହତ୍ରରୁ ବୃହତ୍ତର ହୋଇଉଠିଲା, ଯେପରି ସେ ବିଶାଳତା ଓ ତୀବ୍ରତା ମଧ୍ୟରେ ନିତ୍ୟବଦ୍ଧମାନ ଏକ ମହାନ୍ ବଳ ଓ ମହାଶକ୍ତିଧାରଣ କରିପାରେ ଏବଂ ପ୍ରକାଶ କରିପାରେ । ଦେହର ଯାବତୀୟ କୋଷ ଯେପରି କ୍ରମଶଃ ସ୍ଫୀତ ହୋଇ ଉଠୁଥିଲା, ଶେଷରେ ସମଗ୍ର ପୃଥିବୀ ସଙ୍ଗେ ଏକ ହୋଇଗଲା ।ଜାଗ୍ରତ ଚେତନାର ଶରୀର ଯେପରି ହୋଇଉଠିଲା ଆକାଶ-ପ୍ରସାରରେ ସୁସମଞ୍ଜସରୂପେ ଘୁର୍ଣ୍ଣନରତ ଭୂମଣ୍ଡଳ ତୁଲ୍ୟ – ତେବେ ଚେତନା ଜାଣିଥିଲା ଯେ ତାହାର ପାର୍ଥିବ ମଣ୍ଡଳାକାର ଶରୀର ବିଶ୍ୱ ପୁରୁଷଙ୍କ ବାହୁପାଶବଦ୍ଧ ହୋଇ ଏହିପରି ଘୂରୁଥିଲା, ଏବଂ ତାଙ୍କ ନିକଟରେ ସେ ନିଜକୁ ସମର୍ପଣ କରିଥିଲା, ପ୍ରଶାନ୍ତ ଆନନ୍ଦବିଭୋର ହୋଇ ସେ ନିଜକୁ ତାଙ୍କ ହାତରେ ଛାଡ଼ିଦେଇଥିଲା । ତା’ପରେ ଚେତନା ଅନୁଭବ କଲା ଯେ ତାହାର ଦେହ ବିଶ୍ଵଦେହ ସଙ୍ଗେ ମିଶିଯାଇ ଏକ ଦେହ ହୋଇଯାଇଛି; ତା’ର ଚେତନା ବିଶ୍ଵ ଚେତନା ହୋଇଯାଇଛି ତା’ର ନିଶ୍ଚଳ ସମଗ୍ରତା ସହ ଏବଂ ତା’ର ନିଜ ଅନ୍ତର୍ଗତ ସମସ୍ତ ସଚଳ ଅନନ୍ତ ବୈଚିତ୍ର୍ୟ ସହ । ବିଶ୍ୱଚେତନା ତୀବ୍ର ଆସ୍ପୃହା ଏବଂ ପୂର୍ଣ୍ଣ ସମର୍ପଣ ସହ ଭଗବାନଙ୍କ ଆଡ଼କୁ ଛୁଟିଚାଲିଲା, ସେ ଦେଖିଲା ଯେ ନିଷ୍କଳଙ୍କ ଜ୍ୟୋତିଃ-ମଣ୍ଡଳରେ ଏକ ଜ୍ୟୋତିଃର୍ମୟ ପୁରୁଷ ବହୁଶିର ଏକ ସର୍ପ ଉପରେ ଦଣ୍ଡାୟମାନ ହୋଇଛନ୍ତି ଏବଂ ସର୍ପର ଦେହ ସମଗ୍ର ପୃଥିବୀକୁ କୁଣ୍ଡଳାକାରରେ ଜଡ଼ିତ କରି ଅନନ୍ତ ଭାବେ ଧରିରଖିଛି । ଏବଂ ସେହି ପୁରୁଷ ତାଙ୍କର ସନାତନ ବିଜୟଭଙ୍ଗୀରେ ସର୍ପ ଓ ସର୍ପଠାରୁ ନିଃସୃତ ବିଶ୍ଵକୁ ଯୁଗପତ୍ ଦମନକରି ରଖିଛନ୍ତି ଏବଂ ସୃଷ୍ଟି କରୁଛନ୍ତି । ସକଳ ବିଜୟୀ ଶକ୍ତି ସହ ସେ ସର୍ପ ଉପରେ ଦଣ୍ଡାୟମାନ ହୋଇଛନ୍ତି, ସେହି ଅଙ୍ଗ ଭଙ୍ଗୀ ବିଶ୍ଵଗ୍ରାସୀ ସର୍ପକୁ ଯେପରି ପ୍ରତିହତ କରିରଖୁଛି, ସେହିପରି ନିରନ୍ତର ପୁନର୍ଜୀବିତ କରି ଚାଲୁଛି । ତାହାପରେ ଚେତନା ସେହି ପୁରୁଷ ହୋଇଉଠିଲା, ଆଉ ଉପଲବ୍ଧି କଲା ଯେ ତା’ର ରୂପ ପୁନର୍ବାର ବଦଳିଗଲା; ଏପରି ଗୋଟାଏ ବସ୍ତୁରେ ମିଶିଗଲା ଯାହାର ନିଜର ରୂପ ନାହିଁ, ଯାହା ମଧ୍ୟରେ ରହିଛି ସକଳ ରୂପ, ଅବ୍ୟୟ ଅକ୍ଷୟ ବସ୍ତୁ ସେ, ଦ୍ରଷ୍ଟାମାତ୍ର, ସାକ୍ଷିସ୍ୱରୂପ । ଏବଂ ସେ ଯାହାଦେଖେ, ତାହା ହିଁ ସେ । ତା’ପରେ ରୂପର ଶେଷ ଚିହ୍ନ ପର୍ଯ୍ୟନ୍ତ ବିଲୁପ୍ତ ହୋଇଗଲା ଏବଂ ଚେତନା ସ୍ଵୟଂ ଅନିର୍ବଚନୀୟ ଓ ଅଗୋଚର ମଧ୍ୟରେ ବୁଡ଼ିଗଲା ।

ବ୍ୟକ୍ତିଗତ ଶରୀର- ଚେତନା ଆଡ଼କୁ ପ୍ରତ୍ୟାବର୍ତ୍ତନ ଘଟିଲା ଅତି ଧୀରେ, ଜ୍ୟୋତିଃ, ଶକ୍ତି, ଆନନ୍ଦ ଓ ଆରାଧନାର ଗୋଟିଏ ନିରବଚ୍ଛିନ୍ନ ଅକ୍ଷତ ପ୍ରୋଜ୍ଜ୍ୱଳତା ମଧ୍ୟଦେଇ, ପାବଚ୍ଛାନୁକ୍ରମେ, ତେବେ ଏହା ଘଟିଲା ସାକ୍ଷାତ୍ ଭାବେ ଅର୍ଥାତ୍ ବିଶ୍ଵଗତ ଏବଂ ପୃଥିବୀଗତ ରୂପାବଳୀର ମଧ୍ୟଦେଇ ନୁହେଁ । ଏହି ତୁଚ୍ଛ ଦେହରୂପଟି ଯେପରି କୌଣସି ମଧ୍ୟବର୍ତ୍ତୀକୁ ଆଶ୍ରୟ ନ କରି ସନାତନ ପରମସାକ୍ଷୀଙ୍କର ସାକ୍ଷାତ୍ ଓ ଅପରୋକ୍ଷ ଆଧାର ହୋଇଉଠିଲା ।

ଏହି ପ୍ରାର୍ଥନାଟିକୁ ମା ଶ୍ରୀଅରବିନ୍ଦଙ୍କ ନିକଟକୁ ଚିଠି ଆକାରରେ ପଠାଇଥିଲେ ଏବଂ ଶ୍ରୀଅରବିନ୍ଦ ଡ଼ିସେମ୍ବର ୩୧, ୧୯୧୫ରେ ତା’ର ଉତ୍ତର ନିମ୍ନମତେ ଦେଇଥିଲେ:

“ଯେଉଁ ଅଭିଜ୍ଞତାର ବର୍ଣ୍ଣନା ତୁମେ ଦେଇଛି ତାହା ଯଥାର୍ଥରେ ବୈଦିକ; ଅବଶ୍ୟ ଆଧୁନିକ ଯୋଗପଦ୍ଧତିସବୁ ନିଜକୁ ଯୌଗିକ ବୋଲି ଅଭିହିତ କରୁଥିଲେ ମଧ୍ୟ ଏହାକୁ ସହଜରେ ଚିହ୍ନିପାରିବେ ନାହିଁ । ଏଠାରେ ଭାଗବତ ମୂଳତତ୍ତ୍ୱ ସହ ବୈଦିକ ଓ ପୌରାଣିକ ‘ପୃଥିବୀ’ର ମିଳନଘଟିଛି; କୁହାଯାଏ, ଯେ ସେ ପୃଥିବୀର ସ୍ଥିତି ଆମ୍ଭମାନଙ୍କ ପୃଥିବୀର ଊର୍ଦ୍ଧ୍ୱରେ, ଅର୍ଥାତ୍, ତାହା ସେହି ଅନ୍ନମୟ ସତ୍ତା ଓ ଚେତନା, ଏହି ଜଗତ ଓ ଏହି ଶରୀର ଯାହାର ପ୍ରତିରୂପ ମାତ୍ର । କିନ୍ତୁ ଆଧୁନିକ ଯୋଗ ପନ୍ଥାସବୁ ଭଗବାନଙ୍କ ସହ ସ୍ଥୂଳ ମିଳନର ସମ୍ଭାବନାକୁ ପ୍ରାୟ ସ୍ୱୀକାର କରିବାକୁ ଚାହାନ୍ତି ନାହିଁ ।”