Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୩୧, ୧୯୧୪

ପ୍ରଶାନ୍ତ ସନ୍ଧ୍ୟାର ଆତ୍ମସମାହିତ ମଧ୍ୟରେ ଯେତେବେଳେ ସୂର୍ଯ୍ୟ ବୁଡ଼ିଗଲେ, ମୋର ସମଗ୍ର ସତ୍ତା ତୋ ନିକଟରେ ପ୍ରଣତ ହେଲା ନୀରବ ପୂଜା ଓ ପୂର୍ଣ୍ଣ ସମର୍ପଣ ନେଇ । ମୁଁ ହୋଇଗଲି ସମସ୍ତ ପୃଥିବୀ ଏବଂ ସେହି ସମଗ୍ର ପୃଥିବୀ ତୋ ନିକଟରେ ପ୍ରଣତ ହେଲା ତୋ ଜ୍ୟୋତିର ଆଶୀର୍ବାଦ, ତୋ ପ୍ରେମର ପରମାନନ୍ଦ ଭିକ୍ଷା କରି । ପୃଥିବୀ ନତଜାନୁ ହୋଇ ତୋ ପାଖରେ ମିନତି ଜଣାଏ, ରାତ୍ରିର ନୀରବତା ମଧ୍ୟରେ ଅନ୍ତର୍ମୁଖୀ ହୋଇ ଧୈର୍ଯ୍ୟ ଓ ତହିଁ ସଙ୍ଗେ ସଙ୍ଗେ ଉଦ୍ଗ୍ରୀବତାର ସହ ଅପେକ୍ଷା କରେ ତା’ର ପରମ କାମ୍ୟ ଜ୍ୟୋତିର ଆବିର୍ଭାବ ପାଇଁ । ଜଗତର କର୍ମରେ ଅବତୀର୍ଣ୍ଣ ତୋର ପ୍ରେମ ହୋଇଉଠିବାରେ ମାଧୁର୍ଯ୍ୟ ଅଛି – ସେହିପରି ଆହୁରି ମାଧୁର୍ଯ୍ୟ ଅଛି ଏହି ଅସୀମ ପ୍ରେମ ଆଡ଼କୁ ଯେଉଁ ଅନନ୍ତ ଆହା ଉଠିଚାଲୁଛି ତାହା ହୋଇ ଉଠିବାରେ । ଆଉ ଏହିପରି ଭାବରେ ନିଜକୁ ପରିବର୍ତ୍ତିତ କରାଇନେବା, କ୍ରମାନ୍ୱୟ ବା ପ୍ରାୟ ଯୁଗପତ୍ ଭାବେ ହୋଇଉଠିବା, ଯେ ଗ୍ରହଣ କରେ ଓ ଯେ ଦାନ କରେ, ଯେ ରୂପାନ୍ତରିତ ହୁଏ ଓ ଯେ ରୂପାନ୍ତର କରେ, ଏକ ଦିଗରେ ବେଦନାକ୍ଲିଷ୍ଟ ଅନ୍ଧକାର, ଅନ୍ୟ ଦିଗରେ ସର୍ବଶକ୍ତିମୟ ଦିବ୍ୟ ଜ୍ୟୋତି, ଉଭୟରସଙ୍ଗେ ଏକାତା ଏବଂ ଏହି ଯୁଗ୍ମ ଏକାତ୍ମତା ମଧ୍ୟରେ ତୋର ସର୍ବୋତ୍ତମ ଏକତ୍ଵର ରହସ୍ୟ ଆବିଷ୍କାର -ଏହା କ’ଣ ତୋର ପରମ ସଂକଳ୍ପକୁ ପ୍ରକାଶ କରିବା ଓ ସିଦ୍ଧ କରିବା ର ପଥ ନୁହେଁ କି ?

ହେ ମୋର ମଧୁମୟ ପ୍ରଭୁ, ମୋର ହୃଦୟ ଯେପରି ଏକ ପ୍ରଦୀପ୍ତ ମନ୍ଦିର ଏବଂ ତୁ ସେଠାରେ ସକଳ ବିଗ୍ରହଙ୍କ ମଧ୍ୟରେ ମୁଖ୍ୟ ବିଗ୍ରହରୂପେ ନିତ୍ୟ ପ୍ରତିଷ୍ଠିତ । ତୋ ଉଦ୍ଦେଶ୍ୟରେ ପ୍ରଜ୍ଜ୍ୱଳିତ ମୋ ହୃଦୟର ଅଗ୍ନିଶିଖା ମଧ୍ୟରେ ତୋର ଐଶ୍ୱର୍ଯ୍ୟମଣ୍ଡିତ ମୂର୍ତ୍ତ ମୁଁ ଦେଖିଲି ଏବଂ ସେହି ସମୟରେ ପୁଣି ତୋତେ ଦେଖିଲି ମୋ ମସ୍ତକ ମଧ୍ୟରେ, ତୁ ସେଠାରେ ଅଚିନ୍ତୀ, ଅଜ୍ଞୟ ଓ ଅରୂପ । ଏହି ଯୁଗଳ ଅନୁଭୂତି, ଏହି ଯୁଗ୍ମ ଅଭିଜ୍ଞତା ଭିତରେ ହିଁ ନିହିତ ତୃପ୍ତିର ପରମ ପୂର୍ଣ୍ଣତା ।