Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୨୩, ୧୯୧୪

ମୋ ମତରେ ତାହାହିଁ ଆଦର୍ଶ ଅବସ୍ଥା, ଯେତେବେଳେ ତୋ ଚେତନାରେ ସର୍ବଦା ସଚେତନ ହୋଇ, ପ୍ରତି ମୁହୂର୍ତ୍ତରେ, ସ୍ଵତଃସ୍ଫୁର୍ତ୍ତ ଭାବରେ, କୌଣସି ଚିନ୍ତା ନ କରି ଆମ୍ଭେମାନେ ଠିକ୍ ଠିକ୍ ଜାଣିପାରୁ କ’ଣ କଲେ ତୋ ଦିବ୍ୟବିଧାନକୁ ସର୍ବୋତ୍ତମ ଭାବରେପ୍ରକାଶ କରିପାରିବୁ । ମୁଁ ଏହି ଅବସ୍ଥା ଜାଣେ, କାରଣ ସମୟ ସମୟରେ ମୋର ଏହିପରି ଅନୁଭୂତି ହୋଇଛି, କିନ୍ତୁ “କି ଉପାୟରେ” ଏହି ଜ୍ଞାନ ପ୍ରାୟ ହିଁ ଅଜ୍ଞାନର କୁହୁଡ଼ି ଦ୍ଵାରା ଆବୃତ ଥାଏ, ଆଉ ସେତେବେଳେ ବୁଦ୍ଧିର ଦ୍ୱାରସ୍ଥ ହେବାକୁ ହୁଏ, ମାତ୍ର ବୁଦ୍ଧି ସର୍ବଦା ଆଦର୍ଶ ପରାମର୍ଶଦାତା ନୁହେଁ । ଏହାଛଡ଼ା ବିନା ଚିନ୍ତାରେ, ଆମ୍ଭେମାନେ ପ୍ରତି ମୁହୂର୍ତ୍ତରେ ସେହି ମୁହୂର୍ତ୍ତର ପ୍ରେରଣାର ବଶବର୍ତ୍ତୀ ହୋଇ କେତେ ଯେ କାର୍ଯ୍ୟ କରିଯାଉ ତାହା କହିବା ଅନାବଶ୍ୟକ । ତେବେ ଜାଣିବାକୁ ହେବ କେତେ ପରିମାଣରେ ତୋ ଦିବ୍ୟବିଧାନ ସଙ୍ଗେ ଏହାର ମେଳ ଅଛି, ଆଉ କେତେ ପରିମାଣରେ ବିରୋଧ ଅଛି ସବୁ ନିର୍ଭର କରେ ଅବ ଚେତନାର ଅବସ୍ଥା ଉପରେ, ସେହି ମୁହୂର୍ତ୍ତରେ ତାହା ମଧ୍ୟରେ କେଉଁ ବସ୍ତୁ ସକ୍ରିୟ ହେଉଛି, ତା’ ଉପରେ । ଥରେ କାର୍ଯ୍ୟ ସମ୍ପନ୍ନ ହେଲେ, ତାହାର ଯଦି କୌଣସି ମହତ୍ତ୍ୱଥାଏ, ଯଦି ଅମ୍ଭେମାନେ ତାହା ପ୍ରତି ଦୃଷ୍ଟିପାତ କରୁ, ତାହାକୁ ବିଶ୍ଳେଷଣ କରୁ ଏବଂ ବୁଝିବାକୁ ଚାହୁଁ, ତେବେ ଆମ୍ଭେମାନେ ସେଥିରୁ ଶିକ୍ଷା ଲାଭ କରୁ, କେଉଁ ପ୍ରେରଣା କାର୍ଯ୍ୟ କରୁଛି, ସେ ସମ୍ବନ୍ଧରେ ସଚେତନ ହେଉ, ଆହୁରି କିଛି ସଚେତନ ହେଉ ଆମ୍ଭମାନଙ୍କ ଅବ ଚେତନା ସମ୍ବନ୍ଧରେ ଯାହା ଏବେ ବି ଆମ୍ଭମାନଙ୍କୁ ପରିଚାଳିତ କରୁଛି ଏବଂ ଯାହା ଆମ୍ଭମାନଙ୍କୁ ଜୟ କରିବାକୁ ହେବ ।

ପ୍ରତ୍ୟେକ ପାର୍ଥ କର୍ମର ଗୋଟିଏ ଭଲ ଦିଗ ଓ ଗୋଟିଏ ମନ୍ଦ ଦିଗ ଅଛି –ଏପରି ନ ରହିବା ଏକାନ୍ତ ଅସମ୍ଭବ । ଏପରିକି ଯେଉଁ କର୍ମ ଭାଗବତ ପ୍ରେମର ଦିବ୍ୟତମ ବିଧାନକୁ ସର୍ବାପେକ୍ଷା ସୁନ୍ଦରଭାବେ ପ୍ରକାଶ କରେ, ତାହା ମଧ୍ୟରେ ବି ବର୍ତ୍ତମାନ ଜଗତର ସ୍ଵଭାବଗତ କିଛି ଅନ୍ଧକାର ଓ ବିଶୃଙ୍ଖଳା ରହିଥାଏ । କେତେକ ଲୋକ ସର୍ବଦା ବସ୍ତୁର କେବଳ ଅନ୍ଧକାର ଦିଗକୁ ଦେଖନ୍ତି, ସେମାନଙ୍କୁ ନିରାଶାବାଦୀ କୁହାଯାଏ । ଅନ୍ୟ ପକ୍ଷରେ ଆଶାବାଦୀ ମାନେ ବସ୍ତୁର କେବଳ ସୌନ୍ଦର୍ଯ୍ୟ ଓ ସୁଷମାର ଦିଗଟି ଦେଖନ୍ତି ।ଅଜ୍ଞାନତାବଶତଃ ଆଶାବାଦୀ ହେବା ଯଦି ଉପହାସ ଓ ମୂଢ଼ତାର ପରିଚୟ ଦିଏ, ତେବେ ସଜ୍ଞାନରେ, ସ୍ଵେଚ୍ଛାରେ ଆଶାବାଦୀ ହେବା କ’ଣ ଗୋଟିଏ ବାଞ୍ଚନୀୟ ସିଦ୍ଧି ନୁହେଁ ? ନିରାଶାବାଦୀର ଦୃଷ୍ଟିରେ ଯାହା କିଛି ଆମ୍ଭେମାନେ କରୁ ସେସବୁ ଦୂଷିତ, ଅଜ୍ଞାନତା ଓ ଅହଂକାର ପ୍ରସୂତ – ଏପରି ବ୍ୟକ୍ତିଙ୍କୁ କିପରି ସନ୍ତୁଷ୍ଟ କରାଯିବ ? ଅସମ୍ଭବ ସେ ଚେଷ୍ଟା ।

କେବଳ ଗୋଟିଏ ଉପାୟ ଅଛି : ଯେତେ ଊର୍ଦ୍ଧ୍ୱତମ ଓ ଶୁଦ୍ଧତମ ଜ୍ୟୋତିର ଆମ୍ଭେମାନେ ଧାରଣା କରିପାରୁ ତାହା ସଙ୍ଗେ ଯଥାସମ୍ଭବ ଯୋଗଯୁକ୍ତ ହେବା, ପରମ ଚେତନା ସଙ୍ଗେ ଯେତେଦୂର ସମ୍ଭବ ପୂର୍ଣ୍ଣ ଭାବେ ଏକତ୍ୱ ଲାଭ କରିବା, ସେହି ଏକ ଅଦ୍ୱିତୀୟଙ୍କ ପ୍ରେରଣା ପାଇବାକୁ ଚେଷ୍ଟା କରିବା ଯରା ପୃଥିବୀ ପୃଷ୍ଠରେ ତାଙ୍କ ଅଭିବ୍ୟକ୍ତିର ପଥ ଅମ୍ଭେମାନେ ସୁଗମ କରିପାରୁ, ଆଉ ତାଙ୍କ ଶକ୍ତି ଉପରେ ବିଶ୍ୱାସ ରଖିପାରୁ ଏବଂ ସକଳ ଘଟଣାକୁ ପ୍ରସନ୍ନତା ସହିତ ଗ୍ରହଣ କରିପାରୁ ।

ଯେହେତୁ ବର୍ତ୍ତମାନ ସୃଷ୍ଟି ମଧ୍ୟରେ ସବୁକିଛି ମିଶ୍ରିତ, ବିଜ୍ଞତାର କାର୍ଯ୍ୟ ହେଲା ଯେତେଦୂର ସମ୍ଭବ ନିଜ ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିବା, ଉଚ୍ଚରୁ ଉଚ୍ଚତର ଆଲୋକ ଆଡ଼କୁ ଉଠିଯିବା ଏବଂ କ୍ରମଶଃ ଏହି ବାସ୍ତବ ସତ୍ୟଟିକୁ ସ୍ୱୀକାର କରିବା ଯେ ବର୍ତ୍ତମାନ ମୁହୂର୍ତ୍ତରେ ପୂର୍ଣ୍ଣତମ ପୂର୍ଣ୍ଣତା ଅଲଭ୍ୟ ।

ତେବେ ବି ଏହି ଅନନ୍ୟ ପୂର୍ଣ୍ଣତା ଆଡ଼କୁ କେତେ ତୀବ୍ର ଅଭୀପ୍ସା ସହ ଆମ୍ଭମାନଙ୍କୁ ଚାଲିବାକୁ ନ ହେବ !