ମନେହେଉଛି ଯେପରି ମୁଁ ଗୋଟିଏ ନବଜନ୍ମ ଲାଭ କରିଛି, ଅତୀତର ସମସ୍ତ ପଛା, ନିୟମ ଓ ଅଭ୍ୟାସ ଆଉ ମୋର କୌଣସି କାର୍ଯ୍ୟରେ ଲାଗିବ ନାହିଁ । ଏକ ସମୟରେ ଯାହା ପରିଣାମ ବୋଲି ବୋଧ ହେଉଥିଲା, ଆଜି ତାହା କେବଳ ଗୋଟାଏ ପ୍ରସ୍ତୁତି । ମନେହେଉଛି ଯେପରି ଏପର୍ଯ୍ୟନ୍ତ ମୁଁ କିଛି ବି କରି ନାହିଁ, ଯେପରି ଆଧ୍ୟାତ୍ମିକ ଜୀବନ ଆଦୌ ଯାପନ କରି ନାହିଁ, ଯେପରି ସେହି ମାର୍ଗରେ ବର୍ତ୍ତମାନ ମୁଁ ପ୍ରବେଶ କରୁଛି, ମୋର ମନେହେଉଛି, ଯେପରି ମୁଁ କିଛି ବି ଜାଣେ ନାହିଁ, କିଛି ବି ପ୍ରକାଶ କରିପାରୁ ନାହିଁ, ଏବଂ ସମସ୍ତ ପ୍ରକାର ଉପଲବ୍ଧ ଏବେ ଆରମ୍ଭ ହେବ । ସମସ୍ତ ଅତୀତ ଯେପରି ମୋଠାରୁ ଅନ୍ତର୍ହିତ ହୋଇଛି, ଆଉ ଭୁଲଭ୍ରାନ୍ତି ଯେପରି କଟିଯାଇଛି, ସିଦ୍ଧି ମଧ୍ୟ ସେହିପରି ଖସିପଡ଼ିଛି; ଯେପରି ସମସ୍ତ କିଛି ଅନ୍ତର୍ହିତ ହୋଇଛି ଯଦ୍ଦ୍ୱାରା ସେହି ସ୍ଥାନରେ ରୂପ ଗ୍ରହଣ କରିପାରେ ଗୋଟିଏ ନବଜାତ ଶିଶୁ ଯାହାକୁ ଆରମ୍ଭରୁ ହିଁ ଗଢ଼ି ତୋଳିବାକୁ ହେବ, ଯାହାର କୌଣସି କର୍ମବନ୍ଧନ ନାହିଁ, କୌଣସି ଅଭିଜ୍ଞତା ନାହିଁ ଯାହା ତାହାର ଉପକାରରେ ଆସିବ, ଏପରିକି ତାହାର କୌଣସି ଭୁଲଭ୍ରାନ୍ତ ବି ନାହିଁ ଯାହାକୁ ସେ ସଂଶୋଧନ କରି ନେବ । ମୋର ମସ୍ତିଷ୍କ ଶୂନ୍ୟ, କୌଣସି ଜ୍ଞାନ ନାହିଁ, କୌଣସି ନିଶ୍ଚିତ ସିଦ୍ଧାନ୍ତ ନାହିଁ, କୌଣସି ପ୍ରକାର ଅସାର ଚିନ୍ତା ବି ନାହିଁ । ମୁଁ ଅନୁଭବ କରୁଛି, ଏହି ଅବସ୍ଥାରେ ଯଦି ମୁଁ ଅବାଧରେ ନିଜକୁ ସମର୍ପଣ କରିପାରେ, ଯଦି ଜାଣିବାକୁ ବା ବୁଝିବାକୁ ଚେଷ୍ଟା ନ କରେ, ଯଦି ସଂପୂର୍ଣ୍ଣରୂପେ ଗୋଟିଏ ଅବୋଧ ଓ ସରଳ ଶିଶୁ ତୁଲ୍ୟ ହେବାକୁ ସମ୍ମତି ଦିଏ, ତାହାହେଲେ କୌଣସି ନୂତନ ସମ୍ଭାବନା ମୋ ସମ୍ମୁଖରେ ଖୋଲି ଯାଇପାରେ । ମୁଁ ଜାଣେ ମୋତେ ବର୍ତ୍ତମାନ ସଂପୂର୍ଣ୍ଣରୂପେ ଦେଇଦେବାକୁ ହେବ ଏବଂ ଗୋଟିଏ ଖାଲି ସାଦାକାଗଜ ପରି ହେବାକୁ ହେବ, ଯାହା ଉପରେ, ହେ ଭଗବାନ୍, ତୋ ସଂକଳ୍ପ, ତୋ ଚିନ୍ତା ଅବାଧରେ, ନିର୍ଭୁଲରେ ଲିପିବଦ୍ଧ ହୋଇପାରେ ।
ହୃଦୟ ମୋର ଅସୀମ କୃତଜ୍ଞତାରେ ଭରିଉଠିଛି, ମନେହେଉଛି, ଯାହା ସକାଶେ ଏତେଦିନ ଅନ୍ବେଷଣ କରୁଥିଲି, ଅବଶେଷରେ ତାହାର ଦ୍ୱାରଦେଶରେ ଆଜି ଉପସ୍ଥିତ ହୋଇଛି ।
ହେ ଭଗବାନ୍, ମୋତେ ଶୁଦ୍ଧ କର, ନିରହଂକାର କର, ସଂଜୀବିତ କର ତୋ ଦିବ୍ୟପ୍ରେମରେ, ଯଦ୍ଦ୍ୱାରା ସେହି ଦ୍ଵାର ପାର ହୋଇ ଭିତରକୁ ଚିରକାଳ ସକାଶେ ପ୍ରବେଶ କରିପାରେ ।
ହେ ଭଗବାନ୍, ମୁଁ ଯେପରି ହୋଇଯାଏ ତୋର ନିଃସନ୍ଦେହରେ ଓ ଅକୁଣ୍ଠା ଭାବେ ।