ମୋର ଯାତ୍ରାର ଦିନ ଯେତେ ନିକଟ ହୋଇଆସୁଛି, ମୁଁ ସେତେ ପ୍ରବେଶ କରୁଛି ଏକ ଶାନ୍ତ ସମାହିତ ଚେତନା ମଧ୍ୟରେ । ଯେଉଁସବୁ ସହସ୍ର ତୁଚ୍ଛ ବସ୍ତୁ ମୋତେ ଘେରିରହିଛନ୍ତି, ଏତେ ବର୍ଷ ଧରି ଯେଉଁଗୁଡ଼ିକ ମୋର ବିଶ୍ୱସ୍ତ ବନ୍ଧୁ ପରି କାର୍ଯ୍ୟ କରିଛନ୍ତି, ମୁଁ ସେମାନଙ୍କୁ ଦେଖୁଛି ସ୍ନେହ ଗମ୍ଭୀର ଦୃଷ୍ଟି ନେଇ । ବାହାରୁ ଆମ ଜୀବନକୁ ସେମାନେ ଯେଉଁ ସୌନ୍ଦର୍ଯ୍ୟ ଆଣିଦେଇଛନ୍ତି ସେଥିପାଇଁ ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି । ସେମାନଙ୍କ ଭାଗ୍ୟରେ ଯଦି ଥାଏ, ଦୀର୍ଘକାଳ ପାଇଁ ହେଉ ବା ଅଳ୍ପକାଳ ପାଇଁ ହେଉ ସେମାନେ ଯଦି ଅନ୍ୟ ହାତରେ ପଡ଼ନ୍ତି, ତେବେ ମୋର ଏହି ପ୍ରାର୍ଥନା ଯେ ସେମାନେ ସେଇ ହାତରୁ ଯେପରି କୋମଳ ବ୍ୟବହାର ପାଆନ୍ତି; ତୋର ଦିବ୍ୟପ୍ରେମ, ହେ ଭଗବାନ୍, ଯେଉଁମାନଙ୍କୁ ତୋଳି ଧରିଛି ଅଜ୍ଞାନ ଅନ୍ଧକାରର ବିଶୃଙ୍ଖଳା ଭିତରୁ ସେମାନେ ଯେପରି ସେମାନଙ୍କ ପ୍ରାପ୍ୟ ସମ୍ମାନ ପାଆନ୍ତି ।
ତା’ପରେ ମୁଁ ଭବିଷ୍ୟତ୍ ଆଡ଼କୁ ଦୃଷ୍ଟିପାତ କରେ, ମୋର ଦୃଷ୍ଟି ଆହୁରି ଗମ୍ଭୀର ହୋଇଉଠେ । ଆମ୍ଭମାନଙ୍କ ଭାଗ୍ୟରେ ସେ କ’ଣ ରଖୁଛି ତା’ ମୁଁ ଜାଣେ ନାହିଁ, ଜାଣିବାକୁ ମଧ୍ୟ ଔସୁଜ୍ୟ ନାହିଁ । ବାହ୍ୟ ଅବସ୍ଥାର ଆଦୌ କୌଣସି ମୂଲ୍ୟ ନାହିଁ । ମୋର ଏକ ମାତ୍ରଇଚ୍ଛା, ଏହା ଯେପରି ହୁଏ ଏକ ନୂତନ ଆନ୍ତର ଯୁଗର ପ୍ରାରମ୍ଭ, ଯେତେବେଳେ ସ୍ଥୂଳ ବସ୍ତୁ ପ୍ରତି ଆମ୍ଭେମାନେ ଅଧିକ ଅନାସକ୍ତ ହୋଇ ତୋର ଦିବ୍ୟବିଧାନ ସମ୍ବନ୍ଧରେ ଅଧିକତର ସଚେତନ ହୋଇପାରିବୁ, ତା’ର ପ୍ରକାଶ ନିମନ୍ତେ ଅଧିକତର ଅନନ୍ୟମୁଖୀ ହୋଇ ନିଜକୁ ଉତ୍ସର୍ଗ କରିଦେଇ ପାରିବୁ । ଏ ଯୁଗ ନେଇଆସେ ଯେପରି ମହତ୍ତର ଜ୍ୟୋତି, ମହତ୍ତରପ୍ରେମ ଓ ତୋ ବ୍ରତ ପାଇଁ ପୂର୍ଣ୍ଣତର ନିଷ୍ଠା ।
ହେ ପ୍ରଭୁ, ନୀରବ ଭକ୍ତି ସହ ତୋତେ ଧ୍ୟାନ କରୁଛି ।<