ଯେ କୌଣସି ଭାବନା, ଯେତେ ସବଳ, ଯେତେ ଗଭୀର ହେଉ ନା କାହିଁକି, ବାରଂବାର ଯଦି ତା’ର ପୁନରାବୃତ୍ତି କରାହୁଏ, ସର୍ବଦା ଯଦି ତା’ର ପୁନରୁକ୍ତି କରାହୁଏ, ତେବେ ତାହା ପ୍ରାଣହୀନ, ସ୍ଵାଦହୀନ ଓ ମୂଲ୍ୟହୀନ ହୋଇପଡ଼େ ।… ଉଚ୍ଚତମ ଧାରଣାରାଜି ମଧ୍ୟ କାଳକ୍ରମେ ଶୁଷ୍କ ହୋଇଯାଏ, ଏବଂ ଯେଉଁ ବୁଦ୍ଧି ତୁରୀୟ ବିଚାରରେ ମଗ୍ନ ହୋଇ ରହିବାରେ ଅଭ୍ୟସ୍ତ ଥିଲା, ହଠାତ୍ତ୍ ସେ ସକଳ ବିଚାର, ସକଳ ତତ୍ତ୍ୱଜ୍ଞାନକୁ ବର୍ଜନ କରିବା ନିମନ୍ତେ ଗୋଟିଏ ଦୁର୍ବାର ପ୍ରୟୋଜନ ବୋଧ କରେ ଏବଂ ଶିଶୁ ତୁଲ୍ୟ ବିସ୍ମୟ ଦୃଷ୍ଟିରେ ସମଗ୍ର ଜୀବନ ପ୍ରତି ଦୃଷ୍ଟିପାତ କରେ; ଅତୀତର ବିଜ୍ଞତାକୁ – ତାହା ପରମ ଦୈବୀ ବିଜ୍ଞତା ହେଲେ ମଧ୍ୟ – ଭୁଲିଯିବାକୁ ଚେଷ୍ଟା କରେ ।…
ଏ କଥା ସତ୍ୟ ଯେ କାଳବିଭାଗ ଏକେବାରେ ହିଁ କୃତ୍ରିମ, ନବବର୍ଷର ଯେଉଁ ପ୍ରଥମ ଦିନଟି ଧାର୍ଯ୍ୟ କରାହୁଏ, ତାହା ଦେଶର ଅକ୍ଷାଂଶ, ଜଳବାୟୁ ଏବଂ ରୀତିନୀତି ଅନୁସାରେ ପରିବର୍ତ୍ତିତ ହୁଏ ଏବଂ ତାହା ଗୋଟିଏ ସଂସ୍କାର ମାତ୍ର । ଏହା ହିଁ ସେହି ମାନସିକ ମନୋଭାବ ଯାହା ମନୁଷ୍ୟର ଶିଶୁସୁଲଭ ଚପଳତା ଦେଖି ହସେ ଏବଂ ଗଭୀରତର ସତ୍ୟଦ୍ୱାରା ପରିଚାଳିତ ହେବାକୁ ଚାହେଁ । ତେବେ ହଠାତ୍ତ୍ ସେହି ମନ ପୁନଶ୍ଚ ସତ୍ୟକୁ ଯଥାଯଥଭାବେ ଅଭିବ୍ୟକ୍ତ କରିବାରେ ନିଜର ଅକ୍ଷମତା ଅନୁଭବ କରେ, ଏବଂ ଏହି ପ୍ରକାର ସକଳ ବିଜ୍ଞତା ସେ ବର୍ଜନ କରେ ଏବଂ ହୃଦୟର ଅଭୀପ୍ସାଗାନକୁ ଉତଥିତ ହେବାକୁ ଦିଏ, ଆଉ ଯେଉଁ ହୃଦୟ ଅଭୀପ୍ସା କରେ, ତାହା ପାଖରେ ସକଳ ପ୍ରକାର ଅବସ୍ଥା ହିଁ ଗୋଟାଏ ଗଭୀରତର, ବୃହତ୍ତର, ତୀବ୍ରତର ଅଭୀପ୍ସାର ସୁଯୋଗ ।… ପାଶ୍ଚାତ୍ୟର ନବବର୍ଷ ଆସିଛି । ଏହି ସୁଯୋଗ ଗ୍ରହଣ କରି ଆମ୍ଭେମାନେ ସଂକଳ୍ପକୁ ଆହୁରି ତୀବ୍ରତର ନ କରିବା କାହିଁକି ? ଏହାଦ୍ଵାରା ଏହି ପ୍ରତୀକଟି ବାସ୍ତବ ହୋଇଉଠିବ ଏବଂ ଅତୀତରେ ଯେଉଁ ସବୁଦୈନ୍ୟଗ୍ରସ୍ତ ବସ୍ତୁ ଥିଲା, ତାହା ପରିବର୍ତ୍ତେ ଦେଖାଦେବ ଐଶ୍ୱର୍ଯ୍ୟମଣ୍ଡିତ ବସ୍ତୁସକଳ ।…
ଆମ୍ଭେମାନେ ସର୍ବଦା ବିଶ୍ଵାସ କରୁ ଯେ ତୋର ସଂଜ୍ଞା ନିର୍ଦ୍ଧାରଣ କରି ପାରିବୁ, ମାନସିକ ସୂତ୍ରାବଳୀ ଦ୍ଵାରା ତୋତେ ବାନ୍ଧି ପାରିବୁ, କିନ୍ତୁ ସେସବୁ ଯେତେ ବିଶାଳ, ଯେତେ ବହୁମୁଖୀ, ଯେତେ ସମୟ କାରୀ ହେଉ ନା କାହିଁକି, ତୁ ଚିରକାଳ ହିଁ ଅନିର୍ବଚନୀୟ ରହିଯିବୁ, ଏପରି କି ତୋତେ ଯେ ଜାଣେ ଏବଂ ତୋ ମଧ୍ୟରେ ବାସ କରେ ତା’ ପାଖରେ ମଧ୍ୟ ।… କାରଣ ତା ମଧ୍ୟରେ ଜଣେ ବାସ କରିପାରେ, ଯଦିଓ ତୋତେ କଥାରେ ବ୍ୟକ୍ତକରି ନ ପାରେ; ତୋର ଆନନ୍ତ୍ୟ ଉପଲବ୍ଧି କରିପାରେ, ତୋର ଆନନ୍ତ୍ୟ ସହ ଏକାତ୍ମ ହୋଇପାରେ, ଯଦିଓ ତୋର ସଂଜ୍ଞା ଓ ବ୍ୟାଖ୍ୟା ଦେଇ ନ ପାରେ; ତୁ ଚିରକାଳ ହିଁ ଆମ୍ଭମାନଙ୍କର ପରମ ବିସ୍ମୟ ଓ ଆଶ୍ଚର୍ଯ୍ୟ ବସ୍ତୁରୂପେ ଅନନ୍ତ ରହସ୍ୟ ହୋଇ ରହିବୁ; କେବଳ ତୋର ଅଜ୍ଞୟ ବିଶ୍ଵତୀତ ସତ୍ତାରେ ନୁହେଁ, ଏପରି କି ତୋର ବିଶ୍ୱଲୀଳାରେଏବଂ ଆମ୍ଭମାନଙ୍କର ସର୍ବାଙ୍ଗୀଣ ସତ୍ତାରେ ମଧ୍ୟ । ଆମ୍ଭମାନଙ୍କର ଚିନ୍ତାଗତ ରୂପାବଳୀ ପରମ୍ପରାକ୍ରମେ ଶୁଦ୍ଧତର, ଉଚ୍ଚତର ଓ ବ୍ୟାପକତର ହୋଇଉଠନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ତୁ କ’ଣ ସେ ସମ୍ବନ୍ଧରେ ଗୋଟାଏ ପର୍ଯ୍ୟାପ୍ତ ଧାରଣା ଦେବାକୁ ସମର୍ଥ ହୋଇପାରେ ନାହିଁ । ପ୍ରତ୍ୟେକ ନୂତନ ଘଟଣା, ନୂତନ ଜିଜ୍ଞାସା ପୂର୍ବ ଅପେକ୍ଷା ଆହୁରି ବିସ୍ମୟକର ଓ ରହସ୍ୟଜନକ ହୋଇ ଦେଖାଦେବ । ତଥାପି ନିଜର ଏତେ ବେଶୀ ଅଜ୍ଞତା ଓ ଅକ୍ଷମତା ଦେଖି ସୁଦ୍ଧା ମାନସସତ୍ତା ଜ୍ୟୋତିଃର୍ମୟ, ପ୍ରଶାନ୍ତ ଏବଂ ହାସ୍ୟଯୁକ୍ତ ହୋଇ ରହିଛି, ମନେହୁଏ ଯେପରି ସେ ଲାଭ କରିଛି ସେହି ପରମ ଜ୍ଞାନ, ଯାହାର ଅର୍ଥ ତୁ ହୋଇଯିବା, ବହୁଭାବେ, ଅନନ୍ୟ ଭାବେ, ଅନନ୍ତ ଭାବେ ଓ ଏକାନ୍ତ ସହଜ ଭାବରେ ।