Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୭, ୧୯୧୫

ମନର ମଧୁର ନୀରବତାର ସମୟ ଅତୀତ ହୋଇଯାଇଛି; କି ଶାନ୍ତିପୂର୍ଣ୍ଣ, କି ପବିତ୍ର ସେହି ଦିନଗୁଡ଼ିକ ! ତାହା ମଧ୍ୟଦେଇ ଅନୁଭୂତ ହେଉଥିଲା ସେହି ଗଭୀର ସଙ୍କଳ୍ପ ଯାହା ତା’ର ସତ୍ୟର ସମସ୍ତ ଶକ୍ତି ସହ ନିଜକୁ ପ୍ରକାଶ କରୁଥିଲା । ବର୍ତ୍ତମାନ ଆଉ ସେସଙ୍କଳ୍ପ ଅନୁଭୂତ ହେଉ ନାହିଁ, ଏବଂ ମନ ପୁନର୍ବାର ସକ୍ରିୟ ହୋଇ ବିଶ୍ଳେଷଣ କରୁଛି, ସୁଶୃଙ୍ଖଳିତ କରୁଛି, ବିଚାର କରୁଛି, ଗ୍ରହଣ ଓ ବର୍ଜନ କରୁଛି ଏବଂ ଆଉ ଯାହାସବୁ ଏହି ପ୍ରସାରିତ ବ୍ୟକ୍ତିତ୍ୱ ଉପରେ ଆସି ପଡୁଛି ତାହା ଉପରେ ରୂପାନ୍ତରକାରୀ ଶକ୍ତି ଭାବରେଏହାର ନିରନ୍ତର ପ୍ରତିକ୍ରିୟା ଚାଲିଛି, ଏହି ବ୍ୟକ୍ତିତ୍ୱ ବର୍ତ୍ତମାନ ଏପରି ପ୍ରସାରିତ ଯେ ଏହାରସଂଯୋଗ ଏପରି ଏକ ଜଗତ ସହ ହୋଇଛି ଯାହା ଅତି ବିପୁଳ, ଜଟିଳ, ପୃଥିବୀର ସକଳ ବସ୍ତୁ ତୁଲ୍ୟ ଆଲୋକ- ଅନ୍ଧକାର ମିଶ୍ରିତ । ମନେହୁଏ ଏହା ଯେପରି ସମସ୍ତ ଆଧାର୍ମିକ ସୁଖ ଓ ଆନନ୍ଦ ମଧ୍ୟରୁ ନିର୍ବାସନ । ତୋର ସକଳ ଅଗ୍ନିପରୀକ୍ଷାଠାରୁ ଏହା ହିଁ ହେଲା ସବୁଠାରୁ କଷ୍ଟଦାୟକ । ବିଶେଷ ଭାବରେ, ତୋ ସଙ୍କଳ୍ପଶକ୍ତିର ପ୍ରତ୍ୟାହାର ମନେହୁଏ ଯେପରି ତୋର ପୂର୍ତ୍ତ ବିଭାଗର ପରିଚାୟକ । ପ୍ରତ୍ୟାଖ୍ୟାନର ବୋଧ ଉତ୍ତରୋତ୍ତର ବଢ଼ିଚାଲୁଛି, ତେଣୁ ବର୍ତ୍ତମାନ ବାହ୍ୟ ଚେତନା ନିଃସଙ୍ଗ ଅବସ୍ଥାରେ ପଡ଼ି ରହିଛି, ତାକୁ ଯେପରି ଚିରକାଳ ନିମନ୍ତେ ଦୁଃଖ ଅଭିଭୂତ ନ କରେ ସେଥିପାଇଁ ଆବଶ୍ୟକ ଅଭ୍ରାନ୍ତ ବିଶ୍ଵାସର ପୂର୍ଣ୍ଣ ଉତ୍ସାହ ।…

କିନ୍ତୁ ସେ ହତୋତ୍ସାହ ହେବାକୁ ଚାହେଁ ନାହିଁ, ସେ ବିଶ୍ଵାସ କରିବାକୁ ଚାହେଁ ନାହିଁ ଯେ ଦୁର୍ଭାଗ୍ୟର ପ୍ରତିକାର ନାହିଁ; ବିନମ୍ରତା ସହ ସେ ଅପେକ୍ଷା କରୁଛି, ଅଲକ୍ଷ୍ୟରେ, ଗୋପନରେ ସେ ପ୍ରଯତ୍ନ ତଥା ସଂଗ୍ରାମ କରି ଚାଲୁଛି ଯେପରି ତୋର ଅଖଣ୍ଡ ଆନନ୍ଦର ପ୍ରଶ୍ଵାସ ପୁନର୍ବାର ତାହା ମଧ୍ୟରେ ପ୍ରବେଶ କରିବ । ହୁଏ ତ ତାହାର ପ୍ରତ୍ୟେକ ସାମାନ୍ୟ ପ୍ରଚ୍ଛନ୍ନ ବିଜୟ ମଧ୍ୟ ପୃଥିବୀ ପକ୍ଷରେ ଗୋଟିଏ ଯଥାର୍ଥ ସହାୟତା ହୋଇଛି ।…

ବାହ୍ୟ ଚେତନାରୁ ଯଦି ଚିରକାଳ ନିମନ୍ତେ ନିକ୍ରାନ୍ତ ହେବା ସମ୍ଭବପର ହୁଅନ୍ତା, ଯଦି ଦିବ୍ୟ ଚେତନା ମଧ୍ୟରେ ଆଶ୍ରୟ ଗ୍ରହଣ କରାଯାନ୍ତା… କିନ୍ତୁ ତୁ ମୋତେ ତାହା ବାରଣ କରିଛୁ, ସର୍ବଦା ହିଁ ବାରଣ କରିଛୁ । ଜଗତରୁ ପଳାୟନ ନୁହେଁ – ଅନ୍ଧକାର ଓ କଦର୍ଯ୍ୟତାର ଭାର ଶେଷ ପର୍ଯ୍ୟନ୍ତ ବହନ କରି ଚାଲିବାକୁ ହେବ, ସମସ୍ତ ଦିବ୍ୟ ସହାୟତା ଫେରାଇନିଆ ହୋଇଛି ବୋଲି ମନେହେଲେ ମଧ୍ୟ । ମୋତେ ରାତ୍ରି କୋଳରେ ରହିବାକୁ ହେବଏବଂ ଚାଲିବାକୁ ହେବ, ଏପରି କି କୌଣସି ଦିକ୍-ଯନ୍ତ୍ର ବିନା, ଆଲୋକ ବିନା, ଆନ୍ତରଦିଶାରୀ ବିନା ।…

ତୋ କରୁଣା ମଧ୍ୟ ଭିକ୍ଷା କିରବାକୁ ମୁଁ ଚାହୁଁ ନାହିଁ, କାରଣ ତୁ ମୋ ପାଇଁ ଯାହା ଚାହୁଁ ମୁଁ ତାହା ହିଁ ଚାହେଁ । ମୋର ସକଳ ସାମର୍ଥ୍ୟର ଏକ ମାତ୍ର ଉଦ୍ଦେଶ୍ୟ ହେଲା ଅଗ୍ରସର ହେବା, ନିରନ୍ତର ଅଗ୍ରସର ହେବା ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ – ମାର୍ଗରେ ଅନ୍ଧକାର ଯେତେ ଗାଢ଼ ହେଉ ନା କାହିଁକି, ବାଧା ଯେତେ ଥାଉ ନା କାହିଁକି । ହେଭଗବାନ୍ ! ଯାହା କିଛି ଘଟୁ ନା କାହିଁକି, ତୋର ନିର୍ଦ୍ଦେଶ ମୁଁ ଶ୍ରଦ୍ଧାପୂର୍ଣ୍ଣ ଓ ଚିରସ୍ଥିର ପ୍ରେମ ସହ ଗ୍ରହଣ କରିନେବି । ଆଉ ଯଦିଓ ତୁ ଯନ୍ତ୍ରଟିକୁ ତୋ ସେବାର ଅନୁପଯୁକ୍ତ ବୋଲି ଦେଖୁ, ଯନ୍ତ୍ର ଯେ ଆଉ ତା’ର ନିଜର ନୁହେଁ, ସେ ତ ତୋର ।… ତୁ ତାକୁ ନଷ୍ଟ କରିପାରୁ ବା ସମୃଦ୍ଧ କରିପାରୁ, କିନ୍ତୁ ସେ ଆଉ ତା’ ନିଜ ପାଇଁ ନୁହେଁ, ଏହାର ନିଜର ବୋଲି କିଛି ଇଚ୍ଛା ନାହିଁ, ତୋ ବିନା ଏହା କିଛି ବି କରିପାରିବ ନାହିଁ ।