ତୁ ହିଁ ପୂର୍ଣ୍ଣ ଜ୍ଞାନ, ପରା ଚେତନା । ତୋ ସଙ୍ଗେ ଯେ ଏକୀଭୂତ, – ଅନ୍ତତଃ ସେହି ଐକ୍ୟ ସମୟରେ – ସେ ସର୍ବଜ୍ଞ । କିନ୍ତୁ ଏହି ଅବସ୍ଥା ଲାଭ କରିବା ପୂର୍ବରୁ ଯେଉଁ ବ୍ୟକ୍ତି ତା’ ସତ୍ତାର ସମସ୍ତ ଆନ୍ତରିକତା, ସମସ୍ତ ସଚେତନ ସଂକଳ୍ପ ସହ ତୋତେ ନିଜକୁ ସମର୍ପଣ କରେ, ଯେଉଁ ବ୍ୟକ୍ତି ତା’ ନିଜ ମଧ୍ୟରେ ଏବଂ ତା’ ଦ୍ୱାରା ପ୍ରଭାବିତ ସକଳ କ୍ଷେତ୍ରରେ ତୋର ଦିବ୍ୟ ପ୍ରେମର ବିଧାନକୁ ପ୍ରକାଶିତ ଓ ଜୟୀ ହେବା ସକାଶେ ନିଜର ସମସ୍ତ ପ୍ରକାର ଉଦ୍ୟମ କରିବାକୁ ବଦ୍ଧପରିକର ହୁଏ, ସେହି ବ୍ୟକ୍ତି ଦେଖରେ ତା’ ଜୀବନର ସବୁକିଛି ପରିବର୍ତ୍ତିତ ହୋଇଯାଉଛି ଏବଂ ପ୍ରତ୍ୟେକ ଘଟଣାରେ ତୋ ବିଧାନ ପ୍ରଘଟ ହେଉଛି ଏବଂ ତା’ର ସମର୍ପଣର ପଥ ସୁଗମ ହୋଇଯାଉଛି । ତା’ ପକ୍ଷେ ସର୍ବଦା ସବୁଠାରୁ ଯାହାଶ୍ରେୟ ତାହାହିଁ ଘଟେ । ତଥାପି ଯଦି ତା’ର ବୁଦ୍ଧିରେ ଏପରିକିଛି ଅନ୍ଧକାର ଥାଏ, ଏପରି କୌଣସି ଅଜ୍ଞ କାମନାବାସନା ଥାଏ, ଯାହା ସମୟ ସମୟରେ ତା’ର ତତ୍କ୍ଷଣାତ୍ ବୁଝିବାରେପ୍ରତିବନ୍ଧକ ହୁଏ, ସେତେବେଳେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ସେ ହୃଦୟଙ୍ଗମ କରେ ଯେ ଏକ ମଙ୍ଗଳମୟୀ ଶକ୍ତି ଯେପରି କି ତାକୁ ତା’ର ନିଜ ହାତରୁ ରକ୍ଷା କରିଚାଲିଛି ଯେଉଁଥିରେ ତା’ର ବିକାଶ ଓ ରୂପାନ୍ତର ଏବଂ ସର୍ବାଙ୍ଗୀଣ ଧର୍ମାନ୍ତର ଓ ସାର୍ଥକତା ନିମିତ୍ତପୂର୍ଣ୍ଣ ଅନୁକୁଳ ଅବସ୍ଥା ଆସି ପାରେ ।
ଯେତେବେଳେ ଆମ୍ଭେମାନେ ଏହି ବିଷୟରେ ସଚେତନ ହେଉ ଏବଂ ଦୃଢ଼ନିଶ୍ଚିତ ହେଉ, ସେତେବେଳେ ଭବିଷ୍ୟତରେ କ’ଣ ଘଟିବ ଏବଂ ଘଟଣା ଚକ୍ର କି ଭାବରେ ଗତିକରିବ, ସେ ବିଷୟରେ କୌଣସି ଚିନ୍ତା କରୁ ନାହିଁ; ସେତେବେଳେ ପୂର୍ଣ୍ଣ ପ୍ରସନ୍ନ ଚିତ୍ତରେପ୍ରତି ମୁହୂର୍ତ୍ତରେ ଆମ୍ଭେମାନେ ସେହି କାର୍ଯ୍ୟ କରୁ ଯାହା ସବୁଠାରୁ ଶ୍ରେଷ୍ଠ ମନେହୁଏ ଏହି ଦୃଢ଼ ବିଶ୍ୱାସ ସହ ଯେ ତାହାର ପରିଣାମ ଯାହା ହେବ ତାହାହିଁ ସବୁଠାରୁ ଭଲ, ଯଦିଓ ସେହି ପରିଣାମ ଆମର ସୀମିତ ବୁଦ୍ଧି ଅନୁଯାୟୀ ଆଶାନୁରୂପ ହୋଇ ନ ପାରେ ।
ହେ ଭଗବାନ୍ ! ସେହି ସକାଶେ ହିଁ ଆମ୍ଭମାନଙ୍କ ହୃଦୟର ଭାର ଲଘୁ ଏବଂ ଚିନ୍ତାସ୍ଥିର ହୋଇଛି । ସେଥିପାଇଁ ଆମ୍ଭେମାନେ ତୋ ଆଡ଼କୁ ସମସ୍ତ ବିଶ୍ଵାସ ସହ ଯାଉଛୁ ଏବଂପ୍ରଶାନ୍ତ ଚିତ୍ତରେ କହୁଛୁ :
ହେ ପ୍ରଭୁ, ତୋ ରି ଇଚ୍ଛା ହିଁ ପୂର୍ଣ୍ଣ ହେଉ, ତାହା ମଧ୍ୟରେ ହିଁ ରହିଛି ଯଥାର୍ଥ ସମନ୍ୱୟ ।