ସତ୍ତାର ସକଳ ସ୍ତରରେ, କର୍ମର ସକଳ ଧାରାରେ, ସକଳ ଜିନିଷ ମଧ୍ୟରେ, ସକଳ ଜଗତ୍ ମଧ୍ୟରେ ତୋର ସାକ୍ଷାତ୍ ଲାଭ ହୋଇପାରେ, ତୋ ସହ ମିଳନ ହୋଇପାରେ, କାରଣ ତୁ ସର୍ବତ୍ର, ସର୍ବଦା ଉପସ୍ଥିତ । ଥରେ ଯେ ତା’ର ଆଧାରର କୌଣସି ବୁଦ୍ଧି ମଧ୍ୟରେ ଅଥବା କୌଣସି ବିଶ୍ୱବ୍ୟାପୀ ଲୋକ ମଧ୍ୟରେ ତୋର ସାକ୍ଷାତ୍ ପାଇଛି, ସେ କହିଉଠେ : “ତାଙ୍କୁ ପାଇଛି”, ଆଉ କୌଣସି କିଛିର ଅନ୍ବେଷଣ କରେ ନାହିଁ, ମନେକରେ ମାନୁଷୀ ସମ୍ଭାବନାର ଚରମ ଶିଖରରେ ସେ ପହଞ୍ଚି ଯାଇଛି । କି ଭ୍ରାନ୍ତି ! ତୋତେ ଆବିଷ୍କାର କରିବାକୁ ହେବ, ତୋ ସହ ଏକ ହେବାକୁ ହେବ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ଧାରାରେ, ପ୍ରତ୍ୟେକ ବସ୍ତୁରେ, ପ୍ରତ୍ୟେକ ଜଗତରେ, ପ୍ରତ୍ୟେକ ଉପକରଣରେ । ଯସାମାନ୍ୟ ହେଉନା କାହିଁକି, କୌଣସି ଉପକରଣ ଯଦି ବାଦ୍ ଦିଆଯାଏ, ତେବେ ତୋ ସହ ମିଳନ ସମ୍ପୂର୍ଣ୍ଣ ହେଲା ନାହିଁ, ସିଦ୍ଧିର ଶେଷ ହେଲା ନାହିଁ ।
ତୋର ସାକ୍ଷାତ୍ ଲାଭ ହେଲା ଅସୀମ ସୋପାନାବଳିର ପ୍ରଥମ ପାବଚ୍ଛ ମାତ୍ର ।…
ମଧୁମୟ ରାଜାଧୁରାଜ ! ସର୍ବାଧୀଶ ! ତୁ ରୂପାନ୍ତରର କର୍ତ୍ତା, ସକଳ ଅବହେଳା, ସକଳ ଶ୍ଳେଥ ଅଳସତାର ଅବସାନ କରିଦେ । ଆମର ଯାବତୀୟ ସାମର୍ଥ୍ୟକୁ ଏକ ସଙ୍ଗେ ସଂଗୃହୀତ କରି ଧର, ଅଦମ୍ୟ ଅବାଧ ସଂକଳ୍ପଶକ୍ତିରେ ପରିଣତ କରିଦେ ।
ତୁହିଁ ଜ୍ୟୋତି, ତୁହିଁ ପ୍ରେମ, ଅନିର୍ବଚନୀୟ ଶକ୍ତି ତୁ, ତୋତେ ଚାହିଁ ଆଧାରର ପ୍ରତ୍ୟେକ କଣା ଉଚ୍ଚକଣ୍ଠରେ ଆହ୍ୱାନ କରୁଛି, ତୁ ଆସି ସେମାନଙ୍କ ଅନ୍ତରରେ ପ୍ରବେଶକର, ସେମାନଙ୍କୁ ରୂପାନ୍ତରିତ କର ।…
ପ୍ରତ୍ୟେକଙ୍କୁ ଦେ ସମେଳନର ପରମ ପୁଲକ ।