ଶାନ୍ତି ଓ ନିଶ୍ଚଳ ନୀରବତା ଭିତରେ ଶାଶ୍ଵତଙ୍କର ପ୍ରକାଶ ହୁଏ, କୌଣସି ବସ୍ତୁଦ୍ଵାରା ନିଜକୁ ବିଚଳିତ ହେବାକୁ ଦେବ ନାହିଁ, ତା’ ହେଲେ ଶାଶ୍ଵତ ପ୍ରଭୁ ପ୍ରକାଶିତ ହେବେ; ସକଳ ଅବସ୍ଥା ରେ ପୂର୍ଣ୍ଣ ସମତା ରଖ, ତା’ ହେଲେ ସେ ବିରାଜମାନ କରିବେ…ହେ ପ୍ରଭୁ, ତୋତେ ଖୋଜିବାରେ ଅତିରିକ୍ତ ଉଗ୍ରତା ବା କଷ୍ଟସାଧ୍ୟ ପ୍ରୟାସ ରଖିବା ଉଚିତ ନୁହେଁ । ସେହି ଉଗ୍ରତା ଓ ପ୍ରୟାସ ହିଁ ତୋ ସମ୍ମୁଖରେ ଏକ ଆବରଣ ପରି ହୋଇଯାଏ । ତୋତେ ଦେଖବା ପାଇଁ ମଧ୍ୟ ଆମର କୌଣସି କାମନା ରହିବା ଉଚିତ ନୁହେଁ, କାରଣ ତାହା ମଧ୍ୟ ଏକ ପ୍ରକାର ମାନସିକ ଚାଞ୍ଚଲ୍ୟ ଯାହା ତୋର ଶାଶ୍ୱତ ଉପସ୍ଥିତିକୁ ଆବୃତକରେ । ଯେଉଁଠାରେ ପୂର୍ଣ୍ଣତମ ଶାନ୍ତି, ପ୍ରସନ୍ନତା ଓ ସମତା ସେଠାରେ ସବୁକିଛି ହିଁ ତୁ ଓ ତୁହିଁ ସବୁକିଛି, ଏବଂ ଏହି ପୂର୍ଣ୍ଣତମ ବିଶୁଦ୍ଧ ଓ ପ୍ରଶାନ୍ତ ପରିବେଶ ମଧ୍ୟରେ ସାମାନ୍ୟ ତମ ସ୍ପନ୍ଦନ ହିଁ ତୋର ପ୍ରକାଶରେ ଅନ୍ତରାୟ ହୋଇଉଠେ । କୌଣସି ତ୍ୱରା ନାହିଁ, ଚାଞ୍ଚଲ୍ୟନାହିଁ, ଉତ୍ତେଜନା ନାହିଁ, କେବଳ ତୁହିଁ ରହିଛୁ, ତୋ ବ୍ୟତୀତ ଆଉ କିଛି ନାହିଁ । ବିଶ୍ଳେଷଣକରି, ଜ୍ଞାନର ବିଷୟ କରି ତୋତେ ପାଇହୁଏ ନାହିଁ; ତୁ ରହିଛୁ, ସେଥିରେ ବିନ୍ଦୁମାତ୍ର ସନ୍ଦେହ ନାହିଁ, କାରଣ ସବୁକିଛି ହୋଇଉଠିଛି ବିଶୁଦ୍ଧ ଶାନ୍ତି, ଦିବ୍ୟନୀରବତା ।
ଏହାହିଁ ହେଲା ପୃଥିବୀର ସମସ୍ତ ଧ୍ୟାନଠାରୁ ଶ୍ରେଷ୍ଠ ।