ତୁ ମୋ ସତ୍ତାକୁ ଯାହା ଦେଇଛୁ ସେଥିରେ ସେ ସନ୍ତୁଷ୍ଟ । ତାହାଠାରୁ ତୁ ଯାହା ଦାବି କରୁଛୁ, ତାହା ସେ କୌଣସି ଦୁର୍ବଳତା, କୌଣସି ମିଥ୍ୟା ବିନୟ, କୌଣସି ନିରର୍ଥକ ଦର୍ପ ନ କରି ପୂର୍ଣ୍ଣ କରିବ । କେଉଁ ପଦରେ ସେହି ସତ୍ତାକୁ ସ୍ଥାପନ କରା ହୋଇଛି, କେଉଁ ପ୍ରକାର କର୍ମର ଭାର ତାହା ଉପରେ ନ୍ୟସ୍ତ କରା ହୋଇଛି, ସେଥିରେ କିଛି ଯାଏ ଆସେନାହିଁ । ପ୍ରଧ୍ୟାନ କଥା ହେଲା ଆମ୍-ସମର୍ପଣ, ଯେତେଦୂର ସମ୍ଭବ ପୂର୍ଣ୍ଣଭାବେ, କୌଣସି ପ୍ରକାର ଚିନ୍ତା ନ ରଖୁ ।
ଯେତେବେଳେ ଗଭୀର ଓ ଅବିଚଳ ବିଶ୍ଵାସ ରହିଛି ଯେ ତୋ କାର୍ଯ୍ୟ ନିଶ୍ଚୟହିଁ ହେବ, ଆଉ ଯେଉଁମାନେ ସେ କାର୍ଯ୍ୟ କରିବେ ସେମାନଙ୍କୁ ତୁ ତିଆରି କରିଛୁ, ନିର୍ବାଚନ କରିଛୁ, ସେତେବେଳେ ଯାହା ସିଦ୍ଧ ହୋଇସାରିଛି ସେ ସକାଶେ ବୃଥା ଶକ୍ତିକ୍ଷୟ କରି ଆକାଂକ୍ଷା କରିବା ଆବଶ୍ୟକ କ’ଣ ? ହେ ଭଗବାନ୍, ଏହି ବିଶ୍ୱାସଜନିତ ପରମା ଶାନ୍ତି ତୁ ମୋତେ ପ୍ରଦାନ କରିଛୁ ଯେ ତେ ପ୍ରେମକୁ ଆଶ୍ରୟ କରି ଏବଂ ତୋ ପ୍ରେମରେ ପରିଣତ ହୋଇ ତୋ ପ୍ରେମରେ ଅଧିକରୁ ଅଧିକତର ବାସ କରିପାରିବି ଏବଂ ଏହି ପ୍ରେମ ମଧ୍ୟରେ ନିହିତ ଅଛି ପୂର୍ଣ୍ଣତର ଅକ୍ଷୟ ଆନନ୍ଦ ।
ମୁଁ ତୋତେ ଏହି ଏକ ମାତ୍ର ପ୍ରାର୍ଥନା ଜଣାଉଛି, ଯଦିଓ ମୁଁ ଜାଣେ ଯେ ତାହା ଆଗରୁ ମଞ୍ଜୁର ହୋଇଛି : ସେହିସବୁ ଉପକରଣର ସଂଖ୍ୟା ବେଶୀ ବେଶୀ କରି ବଢ଼ାଇଦିଆ– ତାହା ଅଣୁ ହେଉ ବା ବିଶ୍ୱ ହେଉ – ଯାହା ତୋ ପ୍ରେମ ମଧ୍ୟରେ ଏବଂ ତୋ ପ୍ରେମକୁ ଆଶ୍ରୟ କରି ପରିପୂର୍ଣ୍ଣ ଜୀବନ ଯାପନ କରିପାରିବ ।
ଶାନ୍ତି, ଶାନ୍ତି ସମଗ୍ର ପୃଥିବୀ ଉପରେ ପ୍ରତିଷ୍ଠିତ ହେଉ ।