ଚେତନାର ଭିନ୍ନ ଭିନ୍ନ ପ୍ରକାରର କେତେ ସ୍ତର ନାହିଁ । ଏହି ଶବ୍ଦ (ଚେତନା) କେବଳ ସେହି ବସ୍ତୁ ସକାଶେ ବ୍ୟବହାର କରାଯିବା ଉଚିତ ଯାହା ସତ୍ତା ମଧ୍ୟରେ ତୋ ସାନିଧ୍ୟରେ ଆଲୋକିତ, ଯାହା ତୋର ପରା ଚେତନାର ଅଙ୍ଗୀଭୂତ, ଯାହାର କିଛି ଦିବ୍ୟଜ୍ଞାନ, ଯାହା ବୁଦ୍ଧଙ୍କ କଥାରେ ‘ସମ୍ୟକ୍ ସଂବୁଦ୍ଧ’ – ପୂଣ୍ଠ ଜାଗ୍ରତ୍ ।
ଏହି ଅବସ୍ଥା ଛଡ଼ା ବି ଚେତନାର ଅନନ୍ତ ସ୍ତର ରହିଛି ଏବଂ ସର୍ବନିମ୍ନ ସ୍ତରରେଏହା ଅବତରଣ କରିଛି ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ଯାହା ବାସ୍ତବରେ ନିଶ୍ଚତନା, – ଏହାଏପରି ଏକ ରାଜ୍ୟ ଯାହାକୁ ତୋ ଦିବ୍ୟପ୍ରେମର ଜ୍ୟୋତି ଏପର୍ଯ୍ୟନ୍ତ ବି ସ୍ପର୍ଶ କରି ନାହିଁ (କିନ୍ତୁ ଜଡ଼ବସ୍ତୁର ସାରତର୍ ସମ୍ବନ୍ଧେ ଏକଥା ଅସମ୍ଭବ ବୋଲି ମନେହୁଏ) ଅଥବା ଏହା ଏପରି ଏକ ବସ୍ତୁ, ଯାହା ଅଜ୍ଞାନତାର ବିଶେଷ କାରଣ ଯୋଗୁଁ ଆମ୍ଭମାନଙ୍କ ବ୍ୟକ୍ତିଗତ ପ୍ରତ୍ୟକ୍ଷବୋଧର ଜଗତର ବହିର୍ଭୂତ ।
ତଥାପି ଏହା କେବଳ କହିବାର ଗୋଟିଏ ଭଙ୍ଗୀ ଏବଂ ଏହା ଖୁବ୍ ଅସମ୍ପୂର୍ଣ୍ଣ କାରଣ ଯେଉଁ ମୁହୂର୍ତ୍ତରେ ସତ୍ତା ତୋ ସାନିଧ୍ୟ ସମ୍ବନ୍ଧ ସଚେତନ ହୋଇଉଠିଛି, ଏବଂ ତୋର ଦିବ୍ୟ ଚେତନା ସଙ୍ଗେ ଏକୀଭୂତ ହୋଇଛି, ସେତେବେଳେ ତାହା ସର୍ବତ୍ର ଏବଂ ବସ୍ତୁ ମଧ୍ୟରେ ସଚେତନ ହୋଇଛି । କିନ୍ତୁ ଏହି ପରା ଚେତନା କ୍ଷଣସ୍ଥାୟୀ, କାରଣ ଆମ୍ଭମାନଙ୍କ ସତ୍ତାର ଉପାଦାନ ବହୁଳ ଓ ଜଟିଳ ଏବଂ ସେହିସବୁ ଉପାଦାନ ସମାନଭାବେ ପ୍ରଦୀପ୍ତ ନୁହଁନ୍ତି, ପୁନଶ୍ଚ ସେସବୁ ଗୋଟିଏ ପରେ ଗୋଟିଏ ସକ୍ରିୟ ହୁଅନ୍ତି, ଏକ ସଙ୍ଗେ ନୁହେଁ । ତେବେ ଏହିପରି ଗୋଟିଏ ପରେ ଗୋଟିଏ ସକ୍ରିୟ ହୋଇଉଠନ୍ତି ବୋଲି ହିଁ ସେସବୁ ଧୀରେ ଧୀରେ ନିଜ ସମ୍ବନ୍ଧରେ ସଚେତନ ହୋଇଉଠନ୍ତି ଏବଂ ଏକ ଅନ୍ତର୍ମୁଖୀ ଓ ବହିର୍ମୁଖୀ ଅଭିଜ୍ଞତା ଫଳରେ (ଦୁଇଟି ଯଦିଓ ଏହିଁ ବସ୍ତୁ) ସେସବୁ ସେମାନଙ୍କ ମୂଳସତ୍ତାର ଅତଳ ଗଭୀରରେ ତୋତେ ଆବିଷ୍କାର କରନ୍ତି ।
ଅବଚେତନା ହେଲା ଯଥାଯଥ ପ୍ରତ୍ୟକ୍ଷବୋଧ ଏବଂ ପୂର୍ଣ୍ଣ ଅଜ୍ଞାନ ଅନ୍ଧକାର –ଏ ଦୁଇଟିର ମଧ୍ୟବର୍ତ୍ତୀ ରାଜ୍ୟ; ସମ୍ଭବତଃ ଅଧିକାଂଶ ଜୀବ, ଏପରିକି ଅଧିକାଂଶ ମନୁଷ୍ୟ ଏହି ଅବଚେତନାରେ ନିରନ୍ତର ବାସ କରନ୍ତି; ଅଳ୍ପ ଲୋକ ହିଁ ଏହା କବଳରୁ ମୁକ୍ତ ହୁଅନ୍ତି । ଏହି ଅବଚେତନା ଉପରେ ହିଁ ଆମ୍ଭମାନଙ୍କୁ ବିଜୟ ହାସଲ କରିବାକୁ ହେବ, କାରଣ ଯଥାର୍ଥ ଭାବରେ ଜାଗ୍ରତ ହେବାର ଅର୍ଥ ହିଁ ହେଲା ସମଗ୍ର ରୂପେ ତୁହିଁ ହୋଇଯିବା । ଆଉ ଆମ୍ଭମାନଙ୍କୁ ଯେଉଁ କର୍ମ ସମ୍ପନ୍ନ କରିବାକୁ ହେବ, ଯେଉଁ ଲକ୍ଷ୍ୟ ପୃଥିବୀ ପରେ ସାଧନ କରିବାକୁ ହେବ, ଠିକ୍ ସେହି କାର୍ଯ୍ୟର ଏହା ଉପଯୁକ୍ତ ସଂଜ୍ଞା ।
ହେ ଭଗବାନ, ଆମ୍ଭମାନଙ୍କୁ ଅନ୍ଧକାରରୁ ମୁକ୍ତ କର; ଏହାହିଁ କର ଯେପରି ଆମ୍ଭେମାନେ ସମ୍ପୂର୍ଣ୍ଣ ଜାଗ୍ରତ ହୋଇ ଉଠିପାରୁ ।
ହେ ମଧୁମୟ ପ୍ରେମରାଜ ! ଏହାହିଁ କର, ମୋ ଚେତନା ଯେପରି ତୋ ଠାରେ ଏକାଗ୍ର ହୋଇଉଠେ, ଯରା ମୁଁ ଏକ ମାତ୍ର ତୋର ଜ୍ୟୋତି ଓ ପ୍ରେମ ମଧ୍ୟରେ ବାସ କରିପାରେ ଏବଂ ସେହି ଜ୍ୟୋତି ଓ ପ୍ରେମ ମୋ ଭିତର ଦେଇ ଯେପରି ଚାରିଆଡ଼େ ବିକୀର୍ଣ୍ଣ ହୁଏ ଏବଂ ତାହା ଆମ ପଥର ସାଥୀସକଳ ମଧ୍ୟରେ ଯେପରି ଜାଗ୍ରତ୍ହୋଇଉଠେ । ଏହି ସ୍କୁଲ ଯାତ୍ରା ଆମ୍ଭମାନଙ୍କ କର୍ମର ପ୍ରତୀକ ହେଉ, ଆଲୋକ ଓ ପ୍ରେମର ପ୍ରତିଛାୟା ତୁଲ୍ୟ ସର୍ବତ୍ର ଯେପରି ଆମ୍ଭେମାନେ ତୋର ଚିହ୍ନ ରଖିଯାଉ ।
ହେ ଦିବ୍ୟ ଅଧୀଶ୍ୱର, ହେ ଶାଶ୍ୱତ ଗୁରୁ, ତୁ ସକଳ ବସ୍ତୁ ମଧ୍ୟରେ ଓ ସକଳ ସତ୍ତା ମଧ୍ୟରେ ବାସ କରୁ, ଏପରିକି ତୋର ପ୍ରେମ ଅତ୍ୟନ୍ତ ଅଜ୍ଞାନ ଚକ୍ଷୁରେ ବି ପରିସ୍କୁଟ ହୋଇଉଠେ । ଏହାହିଁ କର, ସମସ୍ତେ ଯେପରି ସେମାନଙ୍କ ଗଭୀରରେ ଏହି ପ୍ରେମ ସମ୍ବନ୍ଧ ସଚେତନ ହୋଇଉଠନ୍ତି ଏବଂ ଘୃଣା ଯେପରି ଚିରକାଳ ସକାଶେ ସେମାନଙ୍କ ହୃଦୟରୁ ଦୂର ହୋଇଯାଏ ।
ଗୋଟିଏ ଶ୍ରାନ୍ତିହୀନ ସଙ୍ଗୀତ ତୁଲ୍ୟ ମୋର କୃତଜ୍ଞତା ସାଗ୍ରହେ ଉଠିଚାଲେ ତୋ ଆଡ଼କୁ ।