ତୀବ୍ର ଏକାଗ୍ରତାର ନୀରବତାରେ ମୋର ଚେତନାକୁ ତୋର ପରମ ଚେତନାସଙ୍ଗେ ମିଳାଇ ଦେବାକୁ ଚାହେଁ, ତୋ ସଙ୍ଗେ ଏକ ହୋଇଯିବାକୁ ଚାହେଁ, ଆମ୍ଭମାନଙ୍କର ହେ ପରମ ଅଧୀଶ୍ଵର, ପ୍ରେମର ଦିବ୍ୟ ପ୍ରଭୁ, ଯେପରି ତୋର ବିଧାନ ଆମ୍ଭମାନଙ୍କର ବୋଧଗମ୍ୟ ହୁଏ ଏବଂ ସୁସ୍ପଷ୍ଟ ହୁଏ ଏବଂ ଆମ୍ଭେମାନେ ଯେପରି କେବଳ ତାହାରି ପାଇଁ ଓ ତାହାକୁ ଧରି ଜୀବନ ଧାରଣ କରୁ ।
ଯେତେବେଳେ ମୋ ଚିନ୍ତା ତୋ ଅଭିମୁଖରେ ଉଡ଼ିଚାଲେ ଏବଂ ତୋ ସଙ୍ଗେ ମିଳିତ ହୁଏ, ସେହିସବୁ ମୁହୂର୍ତ୍ତରେ ସବୁକିଛି କେତେ ସୁନ୍ଦର, କେତେ ମହାନ୍, କେତେ ସରଳ ଓ କେତେ ପ୍ରାଶାନ୍ତ ହୋଇ ଦେଖା ନ ଦିଏ ! ଯେଉଁ ଦିନଠାରୁ ଆମ୍ଭେମାନେ ଏହି ପରମ ଦିବ୍ୟଦୃଷ୍ଟିକୁ ନିରନ୍ତର ଧରି ରଖିବାକୁ ସମର୍ଥ ହେବୁ ସେହି ଦିନଠାରୁ ଆମେ ସମସ୍ତ ବାଧାବିଘ୍ନର ଊର୍ଦ୍ଧ୍ୱରେ, କୌଣସି ପ୍ରକାରେ ଇତସ୍ତତଃ ନ ହୋଇ ଜୀବନପଥରେ ଆଗେଇଚାଲିବୁ ଲଘୁ ପଦବିକ୍ଷେପରେ ଅଥଚ ଦୃଢ଼ନିଶ୍ଚିତ ଭାବରେ । ମୁଁ ମୋର ଅଭିଜ୍ଞତାରୁ ଜାଣିଛି ଯେଉଁ ମୁହୂର୍ତ୍ତରେ ଆମେ ତୋର ଦିବ୍ୟବିଧାନ ସମ୍ପର୍କରେ ସଚେତନ ହୋଇଉଠୁ ସେହି ମୁହୂର୍ତ୍ତରେ ସମସ୍ତ ଦ୍ୱିଧା, ସମସ୍ତ ସନ୍ଦେହ ଦୂର ହୋଇଯାଏ; ଏବଂ ଯଦି ଆମେ ସମସ୍ତ ମାନୁଷୀ କର୍ମର ଏକାନ୍ତ ଆପେକ୍ଷିକତାକୁ ସ୍ପଷ୍ଟ ଭାବରେ ଦେଖୁଠାରୁ ସେହି ସଙ୍ଗେସଙ୍ଗେ ଆମେ ନିର୍ଦ୍ଦିଷ୍ଟ ଭାବରେ ସଠିକରୂପେ ଜାଣିପାରୁ ଆମ୍ଭମାନଙ୍କ ଶରୀର ପକ୍ଷେ, ଆମର କର୍ମର ଉପାୟ ସମ୍ପର୍କରେ କେଉଁ କାର୍ଯ୍ୟଟି ସବୁଠୁଁ କମ୍ ଆପେକ୍ଷିକ… ଏବଂ ସେତେବେଳେ ସମସ୍ତ ବାଧା ଯେପରି କୌଣସି ଅଦ୍ଭୁତ ଯାଦୁବଳରେ ଅଥଚ ପ୍ରକୃତରେ ଉଭେଇଯାଏ । ହେ ଭଗବାନ୍, ଆମର ସକଳ ପ୍ରୟାସ ଏହାପରେ ନିରନ୍ତର ଯେପରି ଅଧିକରୁ ଅଧିକ ନିଷ୍ଠାର ସଙ୍ଗେ ଏହି ଅପରୂପ ସିଦ୍ଧି ଲାଭ କରିବା ସକାଶେ ଆଗେଇ ଚାଲେ ।
ହେ ପ୍ରଭୁ ! ସକଳ ହୃଦୟରେ ତୋର ନିଶ୍ଚୟତାର ଶାନ୍ତି ଜାଗ୍ରତ୍ ହେଉ ।