ହେ ଭଗବାନ୍, ତୁହିଁ ଏକ ମାତ୍ର ସତ୍ୟ, ଜ୍ୟୋତିର ଜ୍ୟୋତଃ, ଆମ ଜୀବନର ଜୀବନ, ଜଗତର ତ୍ରାଣକର୍ତ୍ତା ହେ ପରମ ପ୍ରେମ, ଏତିକି କର ଯେପରି ତୋର ନିରନ୍ତର ସାନ୍ନିଧ୍ୟ ସମ୍ପର୍କରେ ମୁଁ ଅଧିକରୁ ଅଧିକ ପୂର୍ଣ୍ଣ ରୂପେ ଜାଗ୍ରତ୍ ହୋଇଉଠେ । ମୋର ସକଳ କର୍ମ ତୋର ଦିବ୍ୟବିଧାନର ଅନୁଗତ ହେଉ, ତୋ ଇଚ୍ଛା ଓ ମୋ ଇଚ୍ଛା ମଧ୍ୟରେ ଯେପରି କୌଣସି ପାର୍ଥକ୍ୟ ନ ରହୁ । ମୋ ମନର ଏହି ଭ୍ରାନ୍ତିମୟ ଚେତନା, ତାହାର ଏହି ଅଳୀକ ଖିଆଲର ଜଗତ୍ ଭିତରୁ ମୋତେ ମୁକ୍ତ କର, ମୋର ଚେତନା ସେହି ଅଖଣ୍ଡ ପରମ ଚେତନା ସଙ୍ଗେ ଏକୀଭୂତ ହୋଇଯାଉ, କାରଣ ତୁହିଁ ସେଇ ପରମ ଚେତନା ।
ଲକ୍ଷ୍ୟରେ ପହଞ୍ଚିବା ପାଇଁ ମୋର ସଂକଳ୍ପକୁ ଦୃଢ଼ନିଷ୍ଠ କର, ସମସ୍ତ ଜଡ଼ତା, ସମସ୍ତ ଅବସାଦକୁ ଝାଡ଼ି ପକାଇ ଦେବା ଲାଗି ମୋତେ ଦିଅ ଦୃଢ଼ତା, ଶକ୍ତି ଓ ସାହସ ।
ହେ ଭଗବାନ୍, ମିନତି କରୁଛି ଯେପରି ମୋ ସତ୍ତାର ସବୁକିଛି ତୋ ସଙ୍ଗେ ଏକ ହୋଇଯାଏ, ମୁଁ ଯେପରି ହୋଇଉଠେ ପ୍ରେମର ସେହି ଜ୍ୱଳନ୍ତ ଶିଖା ଯେ କି ତୋ ପ୍ରେମର ପରମ କ୍ରିୟା ପ୍ରତି ପୂର୍ଣ୍ଣରୂପେ ଜାଗ୍ରତ୍ ।