Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୭, ୧୯୧୪

ତୋ ସଙ୍ଗରେ ଯେ ସର୍ବତୋଭାବେ ଏକୀଭୂତ, ଫଳରେ କୌଣସି ବିଶେଷ ପରିସ୍ଥିତିରେ ସବୁଠୁ ପୂର୍ଣ୍ଣ ରୂପରେ ଯାହା ତୋତେ ପ୍ରକାଶ କରେ ସେ ସମ୍ପର୍କରେ ଯେ ନିରନ୍ତର ସଚେତନ, ତା’ ପାଇଁ କୌଣସି ବାହ୍ୟ ନିୟମର ପ୍ରୟୋଜନ ନାହିଁ । ଜୀବନଯାତ୍ରାର ବିଧିଗୁଡ଼ିକ ମୋଟ ଉପରେ କାର୍ଯ୍ୟୋଦ୍ଧାରର ଉପାୟ ମାତ୍ର; ତାହାର ଉଦ୍ଦେଶ୍ୟ ଯେଉଁମାନେ ତୋତେ ଏପର୍ଯ୍ୟନ୍ତ ଜାଣନ୍ତି ନାହିଁ, ସେମାନଙ୍କ ଅଜ୍ଞାନତାକୁ ଯଥାସମ୍ଭବ ହ୍ରାସ କରିବା, ତୋ ସଙ୍ଗେ ଯେଉଁମାନଙ୍କର ସଂଯୋଗ ଅସ୍ଥାୟୀ ସେମାନଙ୍କର ଅନ୍ଧ ଓ ଅନ୍ଧକାରାଚ୍ଛନ୍ନ ମୁହୂର୍ତ୍ତଗୁଡ଼ିକୁ ଯଥାସମ୍ଭବ ଶୋଧନ କରିବା ।

ନିଜ ପାଇଁ ନିୟମ ବାନ୍ଧିବା ଏବଂ ସେ ନିୟମକୁ ଯଥାସମ୍ଭବ ବ୍ୟାପକ ଅର୍ଥାତ୍ ସହଜନମ୍ୟ କରିବା ଭଲ; ତେବେ ସେସବୁକୁ ଗ୍ରହଣ କରିବାକୁ ହେବ କେବଳ କୃତ୍ରିମ ଆଲୋକରୂପେ, ବ୍ୟବହାର କରିବାକୁ ହେବ କେବଳ ସେତିକିବେଳେ ଯେତେବେଳେ ତୋ ସଙ୍ଗରେ ସଂଯୋଗର ପୂର୍ଣ୍ଣ ଓ ସ୍ୱାଭାବିକ ଆଲୋକର ଅଭାବ ଘଟିଛି । ତା’ଛଡ଼ା ଏହିସବୁ ନିୟମର ପୁନଃପୁନଃ ସଂସ୍କାର ଏକାନ୍ତ ପ୍ରୟୋଜନ; କାରଣ ସେଗୁଡ଼ିକ କେବଳ ବର୍ତ୍ତମାନର ଜ୍ଞାନକୁ ପ୍ରକାଶ କରି ପାରନ୍ତି; ଜ୍ଞାନର ବୁଦ୍ଧି ଓ ଉନ୍ନତି ସଙ୍ଗେ ସଙ୍ଗେ ସେଗୁଡ଼ିକର ପୁଷ୍ଟି ହେବା ମଧ୍ୟ ସୁନିଶ୍ଚିତ ।

ସେଇଥିପାଇଁ ଯେଉଁମାନେ ମୋ ନିକଟକୁ ଆସନ୍ତି, ମୁଁ ଯେତେବେଳେ ଭାବେ ସେମାନଙ୍କ ସମ୍ପର୍କରେ କି ଭାବ ରଖିବା ଉଚିତ, ଯାହାଫଳରେ କି କେବଳ ଯେଉଁଥିରେ ସେମାନଙ୍କର କ୍ଷତି ହେବ ସେଥିରୁ ବିରତ ହେବା ନୁହେଁ ବରଂ ଯେଉଁଥିରେ ସେମାନଙ୍କର ପରମ ମଙ୍ଗଳ ହେବ ତା’ର ଚେଷ୍ଟା କରିହେବ ଅର୍ଥାତ୍ ଯାହାଦ୍ୱାରା ସେମାନେ ସେହି ପରମ ଆବିଷ୍କାର, ସେମାନଙ୍କ ଅନ୍ତରରେ ତୋତେ ଆବିଷ୍କାର କରିପାରନ୍ତି ସେଥିପାଇଁ ପୂର୍ଣ୍ଣଭାବେ ସାହାଯ୍ୟ କରିହେବ, ସେତେବେଳେ ମୁଁ ଦେଖେ ଯେ ଏପରି କୌଣସି ନିୟମ ନାହିଁ – ତାହା ଯେତେ ବୃହତ୍ ଓ ନମନୀୟ ହେଉନା କାହିଁକି – ଯାହାକି ତୋ ବିଧାନସଙ୍ଗେ ନିଜକୁ ମିଳାଇ ନେଇ ପାରିବ । ଏକ ମାତ୍ର ଯଥାର୍ଥ ଉପାୟ ହେଲା ସର୍ବଦା ତୋ ସଙ୍ଗରେ ସଂଯୁକ୍ତ ରହିବା, ଯାହାଫଳରେ କି ଏ ବିଷୟରେ ଯାହା ବି ସମାଧ୍ୟାନ ଆସୁ ନା କାହିଁକି, ଅବସ୍ଥାର ଅସୀମ ବୈଚିତ୍ର୍ୟ ସଙ୍ଗେ ତାହା ପୂର୍ଣ୍ଣ ସଂଗତି ରଖିପାରିବ ।