ଭୋର ହେବା ପୂର୍ବରୁ ଏହି ଯେଉଁ ପ୍ରଶାନ୍ତ ସମାହିତ, ଅନ୍ୟାନ୍ୟ ମୁହୂର୍ତ୍ତ ଅପେକ୍ଷା ଏଇ ବର୍ତ୍ତମାନ ହିଁ ବେଶୀ ସୁନ୍ଦର ଭାବରେ ମୋର ଚିନ୍ତା ଏକ ନିବିଡ଼ ପ୍ରାର୍ଥନାର ଭାବନେଇ ତୋ ଆଡ଼େ ଉଠିଚାଲିଛି, ହେ ମୋର ଆଧାରର ଅଧୀଶ୍ୱର !
ଏହି ଯେ ଦିନଟି ଆରମ୍ଭ ହେବାକୁ ଯାଉଛି, ପୃଥିବୀ ଓ ମଣିଷ ପାଇଁ ଏହାଆଣିଦେଉ ବିଶୁଦ୍ଧତର ଆଲୋକ ଓ ସତ୍ୟତର ଶାନ୍ତି, ତୋର ପ୍ରକାଶ ଯେପରି ଆହୁରି ପୂର୍ଣ୍ଣତର ହୋଇଉଠୁ ଏବଂ ତୋର ମଧୁର ବିଧାନ ଆହୁରି ବେଶୀ ସ୍ଵୀକୃତ ହେଉ; ଊର୍ଦ୍ଧ୍ୱତର, ମହତ୍ତର ଓ ସତ୍ୟତର କିଛି ଯେପରି ମଣିଷଜାତି ନିକଟରେ ଉଦ୍ଘାଟିତ ହେଉ, ଏକ ବିପୁଳତର ଓ ଗଭୀରତର ପ୍ରେମ ପରିବ୍ୟାପ୍ତ ହେଉ ଯେଉଁଥିରେ ସମସ୍ତ କ୍ଷତ ଓ ଯନ୍ତ୍ରଣା କେଉଁଆଡ଼େ ମିଳାଇ ଲୋପ ପାଇଯିବ । ଏଇ ଯେଉଁ ସୂର୍ଯ୍ୟର ପ୍ରଥମ କିରଣ ଫୁଟିଉଠୁଛି, ତାହା ଯେପରି ଘୋଷଣା କରୁ ଆନନ୍ଦ ଓ ସମନ୍ୱୟ ଏବଂ ଜୀବନର ମର୍ମମୂଳରେ ଯେଉଁପ୍ରୋତ୍ସଳ ମହିମା ଲୁଚି ରହିଛି ଏହା ହୋଇଉଠୁ ତା’ର ପ୍ରତୀକ ।
ହେ ଦିବ୍ୟ ପ୍ରଭୁ, ଆମ ପାଇଁ ଆଜି ଦିନଟି ଏକ ଶୁଭଯୋଗ ହେଉ ଯେଉଁଥିରେ ଆମେ ତୋର ବିଧାନର ସଂପୂର୍ଣ୍ଣ ଅନୁଗତ ହୋଇଉଠିବୁ, ତୋ କର୍ମରେ ଅଖଣ୍ଡଭାବେ ନିଜକୁ ଉତ୍ସର୍ଗ କରିଦେଇ ପାରିବୁ, ନିଜକୁ ଏକାନ୍ତଭାବେ ଭୁଲିଯାଇ ପାରିବୁ ଓ ଲାଭକରିପାରିବୁ ବୃହତ୍ତର ଆଲୋକ ଓ ଶୁଦ୍ଧତର ପ୍ରେମ । ତୋ ନିକଟରେ ଏହି ପ୍ରାର୍ଥନା – ତୋ ସଙ୍ଗେ ଯେପରି ନିତ୍ୟ ଆହୁରି ଗଭୀର ଭାବେ, ଆହୁରି ନିରବଚ୍ଛିନ୍ନ ଭାବେ ସଂଯୋଗସ୍ଥାପନ କରିପାରୁ, କ୍ରମେ ଯେପରି ତୋ ସଙ୍ଗେ ଆହୁରି ଏକୀଭୂତ ହୋଇଯାଇପାରୁ, ଯେପରି ହୋଇଉଠୁ ତୋର ସୁଯୋଗ୍ୟ ସେବକ । ଆମର ଅହମିକା ଦୂର କରିଦେ, ଦୂରକରିଦେ ସକଳ ତୁଚ୍ଛ ଗର୍ବ, ସକଳ ଲୋଭ, ସକଳ ମୋହ; ଯେପରି ତୋ ପ୍ରେମର ଅଗ୍ନିରେ ସଂପୂର୍ଣ୍ଣ ଜଳିଉଠି ଆମେ ଜଗତରେ ହେବୁ ତୋର ପ୍ରଦୀପ୍ତ ମଶାଲ ।
ମୋର ଅନ୍ତର ଭିତରୁ ଉଠୁଛି ଏକ ନୀରବ ସ୍ତୁତି, ପ୍ରାତ୍ୟ ଧୂପର ଶୁଭ୍ର ଧୂଆଁ ଯେପରି ।
ପୂର୍ଣ୍ଣ ଆମଦାନର ପ୍ରଶାନ୍ତି ନେଇ ମୁଁ ତୋତେ ପ୍ରଣାମ ଜଣାଉଛି ଏହି ପ୍ରଭାତର ଆଲୋକରେ ।