Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୧୧, ୧୯୧୪

ହେ ମୋର ମଧୁମୟ ରାଜାଧୁରାଜ ! ବିଭ୍ରାନ୍ତ ଯେତେ ବୁଦ୍ଧି, ବେଦନାକୁଳ ଯେତେ ହୃଦୟ, ସେଠାରେ ପ୍ରବେଶ କର, ସେଠାରେ ତୁ ଜାଳିଦେ ତୋ ଦିବ୍ୟସାନ୍ନିଧ୍ୟର ଅଗ୍ନି ।ପୃଥିବୀ ଉପରେ ପଡ଼ିଛି ତା’ ନିଜ ଛାୟାର ଚାପ, ସେଥିରେ ସେ ସର୍ବତୋ ଭାବେ ଆଲୋଡ଼ିତ ହୋଇ ଉଠିଛି । କିନ୍ତୁ ଏ ଛାୟା ପଛରେ ତୁ ରହିଛୁ ସ୍ଥିର ସୂର୍ଯ୍ୟ ହୋଇ । ଏଇ ଦୁଃସ୍ଥ ପୃଥିବୀ ଉପରେ ଅନ୍ଧକାର ଘନେଇ ଆସି ଛି, ତା’ର ଭିତ୍ତି ଅବଧ ଟଳାଇ ଦେଇଛି, ତାକୁ ଏକ ବିରାଟ ବିଶୃଙ୍ଖଳାରେ ପରିଣତ କରିଛି – ବର୍ତ୍ତମାନ କ’ଣ ଏଇ ଅନାସୃଷ୍ଟି ଉପରେ ତୁ ଆସି ଉଦୟ ହେବୁ ନି, କହିବୁ ନି : “ଆଲୋକିତ ହେଉ ?”

ହେ ଅଜ୍ଞାତ ଅନୁପମ, ତୁ ବର୍ତ୍ତମାନ ମଧ୍ୟ ନିଜକୁ ପ୍ରକାଶିତ କରି ନୁ, ତୁ ସେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରୁଛୁ, ଆମକୁ ଏ ପୃଥିବୀ ବକ୍ଷକୁ ପଠାଇଛୁ ତୋର ପଥ ପ୍ରସ୍ତୁତ କରିବା ପାଇଁ । ଏ ଆଧାରର ପ୍ରତି କଣା ତୋତେ ଡାକି କହୁଛି, ତୋର ଇଚ୍ଛା ପୂର୍ଣ୍ଣ ହେଉ, ଚରମ ଅଜେୟ ଆବେଗ ନେଇ ସେମାନେ ତୋ ପାଖରେ ଧରା ଦେଇଛନ୍ତି।…

ତୋ କରୁଣାର ଦୃଢ଼ ବାହୁପାଶରେ ଏ ଆଉଁ ପୃଥିବୀକୁ ଆଲିଙ୍ଗନ କର, ତୋ ଅସୀମ ପ୍ରେମର କଲ୍ୟାଣମୟ ଧାରାରେ ତାକୁ ପରିସ୍ମୃତ କର ।

ମୁଁ ତୋ କରୁଣାର ଦୃଢ଼ ବାହୁପାଶ ।

ମୋର ପ୍ରସାରିତ ହୃଦୟରେ ତୋର ସୀମାହୀନ ପ୍ରେମ ।… ଆଉଁ ଧରଣୀକୁ ଘେରି ରହିଛି ବାହୁଯୁଗଳ, ଉଦାର ହୃଦୟ ଉପରେ ତାକୁ ସାଦରେ ଚାପି ଧରିଛି । ଧୀରେ ଧୀରେ ଅବତରି ଆସେ ପରମାଶିଷର ଚୁମ୍ବନ ଏଇ ଦୃକ୍ଲିଷ୍ଟ କଣାଟି ଉପରେ –ସାନ୍ତ୍ୱନାଦାୟୀ ନିରାମୟକାରୀ ମା’ର ଚୁମ୍ବନ ।