Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୧୭, ୧୯୧୩

ହେ ପରମେଶ୍ଵର, ଜୀବନର ପ୍ରଭୁ ! ଆମ୍ଭେମାନେ ଯେପରି ସ୍ଥୂଳ ଶରୀର-ସଂରକ୍ଷଣର ଦୁଶ୍ଚିନ୍ତାରୁ ଊର୍ଦ୍ଧକୁ, ଅତି ଊର୍ଦ୍ଧ୍ୱକୁ ଉଠିଯାଉ । ଶରୀରରକ୍ଷଣ ପାଇଁ ସର୍ବଦା ଚିନ୍ତା କରିବା, ସ୍ୱାସ୍ଥ୍ୟ ନିମନ୍ତେ, ଆହାର ନିମନ୍ତେ, ଜୀବନର ଆକାରପ୍ରକାର ନେଇ ଏଇ ବ୍ୟସ୍ତତା – ଏହାଠାରୁ ଦୁଃଖପୂର୍ଣ୍ଣ ଦୀନହୀନ ଅବସ୍ଥା ଆଉ କ’ଣ ଅଛି… । କେତେ ନଗଣ୍ୟ ଏହିସବୁ ବସ୍ତୁ, ଯେପରି ଗୋଟିଏ ପତଳା ଧୂଆଁର ରେଖା ସାମାନ୍ୟ ନିଃଶ୍ଵାସ ପବନରେ ମିଳାଇଯାଏ ସେହିପରି ତୋ ଅଭିମୁଖୀ ଟିକିଏ ମାତ୍ର ଚିନ୍ତାରେ ଏହିସବୁ ଜିନିଷକୁଆଡ଼େ ମରୀଚିକାପରି ମିଳାଇଯାଏ ।

ଏହି ଦାସତ୍ୱର ଅଧୀନରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମୁକ୍ତ କର, ମୁକ୍ତ କର ଯେଉଁମାନେ ପ୍ରବଳ ରିପୁର ଦାସ । ତୋ ଆଡ଼କୁ ଯିବା ପଥରେ ଏହିସବୁ ବାଧା ଯେପରି ନିଦାରୁଣ ସେହିପରି ପୁଣି ଅକିଞ୍ଚତ୍କର – ନିଦାରୁଣ ସେଇମାନଙ୍କ ପାଇଁ ଯେଉଁମାନେ ଏବେ ବି ସେସବୁ ର ଦାସ, ଅକିଞ୍ଚତ୍କର ସେଇମାନଙ୍କ ପକ୍ଷେ ଯେଉଁମାନେ ଏସବୁକୁ ଅତିକ୍ରମ କରି ଚାଲିଯାଇଛନ୍ତି ।

କେତେ ଅନିର୍ବଚନୀୟ ସେଇ ପରମ ବିଶ୍ରାନ୍ତି, ଲଘୁତ୍ଵର ସେଇ ମଧୁର ଅନୁଭବ, ଯେତେବେଳେ ନିଜର ଭାବନାରୁ ଆମେ ମୁକ୍ତ ହେଉ, ମୁକ୍ତ ହେଉ ଜୀବନ, ସ୍ଵାସ୍ଥ୍ୟ, ଭୋଗ ଏପରିକି ଆତ୍ମୋନ୍ନତି ପର୍ଯ୍ୟନ୍ତ ଦୁଶ୍ଚିନ୍ତାରୁ ।

ଏହି ବିଶ୍ରାନ୍ତି, ଏହି ମୁକ୍ତି ତୁ ମୋତେ ଦେଇଛୁ, ହେ ପରମ ପ୍ରଭୁ, ମୋ ଜୀବନର ଜୀବନ, ମୋ ଆଲୋକର ଆଲୋକ, ନିରନ୍ତର ମୋତେ ଦେଇଚାଲିଛୁ ପ୍ରେମର ଶିକ୍ଷା ଓ ମୋତେ ଜଣାଇ ଦେଇଛୁ ମୋର ଅସ୍ତିତ୍ୱର ହେତୁ ।

ମୋ ଭିତରେ ତୁ ବାସ କରୁ, କେବଳ ତୁହିଁ; ତା’ ହେଲେ ମୁଁ ନିଜକୁ ନେଇ, ନିଜର କ’ଣ ଘଟିବ ଏସବୁ ନେଇ ବ୍ୟସ୍ତ ହେବି କାହିଁକି ? ତୋ ବିନା ଧୂଳିଗଠିତ ଏହି ଶରୀର, ଯେ ତୋତେ ପ୍ରକାଶ କରିବା ଚେଷ୍ଟାରେ ନିରତ, ତାହା ସକଳ ରୂପ ହରାଇ, ସକଳ ଚେତନା ହରାଇ ଲୋପ ହୋଇଯାଆନ୍ତା । ତୋ ବିନା ଏହି ଇନ୍ଦ୍ରିୟବୋଧ ଯେ କି ଅନ୍ୟସବୁ ପ୍ରକାଶକେନ୍ଦ୍ର ସଙ୍ଗେ ଆମର ସମ୍ବନ୍ଧ ସ୍ଥାପନ କରେ ତାହା ଏକ ତାମସ ଜଡ଼ତା ଭିତରେ ବିଲୀନ ହୋଇଯାଆନ୍ତା; ତୋ ବିନା ଏହି ଚିନ୍ତାଶକ୍ତି ଯେ କି ଆମର ସତ୍ତାର ସଂହତିକୁ ଅନୁପ୍ରାଣିତ, ଉଦ୍ଭାସିତ କରି ରଖୁଛି ତାହା ବିକ୍ଷିପ୍ତ, ଅସମର୍ଥ ଓ ବ୍ୟର୍ଥ ହୋଇ ପଡ଼ିଥା’ନ୍ତା; ତୋ ବିନା ଦିବ୍ୟପ୍ରେମ ଯାହାକି ସକଳ ବସ୍ତୁକୁ ସଜୀବ କରେ, ସୁଶୃଙ୍ଖଳକରେ, ଅନୁପ୍ରାଣିତ କରେ, ସତେଜ କରେ, ତାହା ଏପର୍ଯ୍ୟନ୍ତ ରହିଥା’ନ୍ତା କେବଳ ଏକ ଅଜଣା ସମ୍ଭାବନାରୂପେ । ତୋ ବିନା ସବୁକିଛି ନିଷ୍ପ୍ରାଣ, ପଶୁବତ୍, ନିରାଟ ଅଚେତନ । ଯାହାକିଛି ଆମକୁ ଆଲୋକ ଦାନ କରେ, ମୁଗଧ କରେ, ଆମ୍ଭମାନଙ୍କ ଜୀବନର ସମସ୍ତଅର୍ଥ, ସମସ୍ତଲକ୍ଷ୍ୟ, ସବୁକିଛି ହିଁ ତୁ । ଏହାହିଁ କ’ଣ ଯଥେଷ୍ଟ ନୁହେଁ ସମସ୍ତ ବ୍ୟକ୍ତିଗତ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଏବଂ ଡେଣା ମେଲିଦେଇ ସ୍ଥୂଳ ଜୀବନର ଯାବତୀୟ ଅନିତ୍ୟତାର ଊର୍ଦ୍ଧ୍ୱରେ ବିଚରଣ କରିବା ପାଇଁ – ତା’ ହେଲେ ସିନା ଆମେ ଉଡ଼ିଯାଇ ପାରିବୁ ତୋର ଦିବ୍ୟ ସାଲୋକ୍ୟ ମଧ୍ୟକୁ ଏବଂ ପୁଣି ପୃଥିବୀକୁ ଫେରିଆସି ପାରିବୁ ତୋର ଦିବ୍ୟ ବାର୍ତ୍ତାବହରୂପେ ତୋର ଆସନ୍ନ ଆଗମନୀର ମହିମମୟ ସନ୍ଦେଶ ଘୋଷଣା କରିବାକୁ ।

ହେ ଜଗଦୀଶ୍ଵର, ପରମବନ୍ଧୁ, ଅନୁପମ ଶିକ୍ଷାଦାତା, ପୂର୍ଣ୍ଣଗର୍ଭ ନୀରବତା ମଧ୍ୟରେ ତୋତେ ପ୍ରଣତି ଜଣାଉଛି ।