Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୨, ୧୯୧୩

ଯେଉଁ ମାସଟି ଆରମ୍ଭ ହେବ, ଆଜି ସକାଳେ ମୁଁ ଯେତେବେଳେ ତା’ ପ୍ରତି ଦୃଷ୍ଟିପାତ କଲି, ନିଜକୁ ପଚାରିଲି, ତୋର ସେବା କରିବା ର ଶ୍ରେଷ୍ଠ ପନ୍ଥା କ’ଣ ନୀରବତା ମଧ୍ୟରେ ଅସ୍ପଷ୍ଟ ଗୁଞ୍ଜନ ପରି ଛୋଟ ଏକ ଅନ୍ତରବାଣୀ ଶୁଣିଲି, ତାହା ମୋତେକହିଲା : “ଦେଖ, ବାହ୍ୟ ଅବସ୍ଥା ସବୁର ମହତ୍ତ୍ୱ କେତେ କ୍ଷୁଦ୍ର, ତୁ ସତ୍ୟର ଯେଉଁ ଧାରଣା କରିଛୁ, ତାହାର ସିଦ୍ଧି ପାଇଁ ଏତେ ଯତ୍ନ, ଏତେ ପ୍ରୟାସ କାହିଁକି ? ଆହୁରି ନମନୀୟ ହୁଅ, ହୁଅ ଆହୁରି ନିର୍ଭରଶୀଳ । ତୋର ଏକ ମାତ୍ର କର୍ତ୍ତବ୍ୟ ହେଲା କୌଣସି କିଛି ଦ୍ଵାରା ଚଞ୍ଚଳ ନ ହେବା । କାର୍ଯ୍ୟ ଭଲ କରିବା ପାଇଁ ବ୍ୟସ୍ତ ହୋଇପଡ଼ିବା ଦୁଃସଙ୍କଳ୍ପ ପରି କୁଫଳ ନେଇଆସେ । ଗଭୀର ଜଳ ପରି ପ୍ରଶାନ୍ତିର ମଧ୍ୟରେ ହିଁ ନିହିତ ଅଛି ଯଥାର୍ଥ ସେବାରଏକ ମାତ୍ର ସମ୍ଭାବନା ।’’

ଏହି ଉତ୍ତର ଏତେ ଦୀପ୍ତ ଏବଂ ଏତେ ପବିତ୍ର ଓ ତାହାର ସତ୍ୟ ଏତେ ଶକ୍ତିମୟ ଯେ ତାହାର ଉଦ୍ଦିଷ୍ଟ ଅବସ୍ଥା ସହଜରେ ମୋ ମଧ୍ୟରେ ସଞ୍ଚାରିତ ହୋଇଗଲା । ମନେ ହେଲା ମୁଁ ଯେପରି ଗଭୀର ଜଳର ପ୍ରଶାନ୍ତି ମଧ୍ୟରେ ଭାସୁଛି । ମୁଁ ବୁଝିପାରିଲି, ସ୍ପଷ୍ଟ ଦେଖି ପଚାରିଲି ଯେ କେଉଁ ମନୋଭାବ ରଖିବା ଉଚିତ । ହେ ସର୍ବାଧୀଶ । ହେ ପରମ ଗୁରୁ ! ଏପରି ଅବସ୍ଥା ରେ ଯେପରି ନିରନ୍ତର ରହିପାରେ, ସେଥିପାଇଁ ମୋର ଆଉ କିଛି କରିବାର ନାହିଁ, କେବଳ ଚାହେଁ ତୋ ପାଖରୁ ଶକ୍ତି ଓ ଦିବ୍ୟଦୃଷ୍ଟି ।

“ହେ ଶିଶୁ, ବ୍ୟସ୍ତ ହୁଅ ନାହିଁ, ନୀରବ ହୁଅ, ଶାନ୍ତି ଶାନ୍ତି !”