ତିନି ଦିନ ଧରି ମୁଁ ଆକୁଳ ପ୍ରାର୍ଥନା ନେଇ ଅପେକ୍ଷା କରିଛି, ଆଶା କରିଛି ନୂତନ ଜିନିଷସବୁ ଦେଖୁ… ଦେଖୁଛି, ତୋ ପ୍ରକାଶକୁ ଆବୃତ, ବିଳମ୍ବିତ ଓ ବିକୃତ କରିବାକୁ ଯେତେ ସବୁ ବାଧା ଜାଗି ଉଠିଛନ୍ତି । ଲକ୍ଷ୍ୟଠାରୁ ପୂର୍ବେ ଆମେ ଯେତେ ଦୂରରେ ଥିବୋଧହୁଏ ବର୍ତ୍ତମାନ ତା’ଠାରୁ ପାଖକୁ ଆସି ନାହୁଁ ।
ହେ ମଧୁମୟ ପ୍ରଭୁ ମୋର, କାହିଁକି ତୁ ମୋତେ କହିଲୁ, ତୋ ହୃଦୟ ମଧ୍ୟରେ ମୋର ଯେଉଁ ପୁଣ୍ୟସ୍ଥାନ ତା’କୁ ପରିତ୍ୟାଗ କରି ପୃଥିବୀକୁ ଫେରି ଆସିବାକୁ, ଏପରି ସିଦ୍ଧି ନିମନ୍ତେ ପ୍ରୟାସ କରିବାକୁ ଯାହା ସବୁ ଦିଗରୁ ଅସମ୍ଭବ ବୋଲି ପ୍ରମାଣିତ ? … ମୋର ଅପରୂପ ଦିବ୍ୟଧାନାବସ୍ଥା ମଧ୍ୟରୁ ତୁ ମୋତେ ଟାଣି ଆଣିଲୁ, ଏହି ଦ୍ଵିସଂକୁଳବିଶ୍ଵ ମଧ୍ୟରେ ପୁଣି ନିମଜ୍ଜିତ କଲୁ ମୋ ଦ୍ଵାରା କ’ଣ କରାଇବା ଆଶାରେ ? ନିଜକୁ ପ୍ରକାଶ କରିବା ପାଇଁ ତୋ ଶକ୍ତି ଯେତେବେଳେ ପୃଥିବୀ ଉପରକୁ ଉତରି ଆସେ, ସେତେବେଳେ ଯେଉଁ କେତୋଟି ମହାଶକ୍ତିଧର ଅସୁର ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଦୃଢ଼ ସଂକଳ୍ପ କରନ୍ତି ତୋର ସେବକ ହେବା ପାଇଁ, କିନ୍ତୁ ସେମାନେ ସେମାନଙ୍କ ସ୍ଵଭାବର ବିଶିଷ୍ଟ ଧାରା – ଆଧିପତ୍ୟ ସ୍ମୃହା ଆଉ ଆସର୍ବସ୍ୱତା – ବଜାୟ ରଖି ଚାଲନ୍ତି, ସେମାନେ ପ୍ରତ୍ୟେକେ ଚାହାନ୍ତି ସେହି ଶକ୍ତିକୁ ନିଜ ନିଜ ଆଡ଼କୁ ଟାଣିବାକୁ, ନିଜେ ହିଁ ତା’କୁ ଅନ୍ୟମାନଙ୍କୁ ପରିବେଷଣ କରିବାକୁ; ପ୍ରତ୍ୟେକେ ମନେକରନ୍ତି ସେ ହିଁ ଏକ ମାତ୍ର, ଅନ୍ତତଃ ସର୍ବପ୍ରଧ୍ୟାନ ଦୂତ ଓ ତୋ ଶକ୍ତି ସହ ଅନ୍ୟ ସକଳଙ୍କ ସଂଯୋଗ କେବଳ ତାଙ୍କରି ସହାୟତାରେ ହୋଇପାରେ ଏବଂ ହେବା ଉଚିତ । ଏହି ନିକୃଷ୍ଟ କ୍ଷୁଦ୍ରାଶୟତା ନ୍ୟୁନାକେ ସଜ୍ଞାନ କିନ୍ତୁ ତା’ ଦ୍ଵାରା ଖାଲି ଅନିଶ୍ଚିତ କାଳ ବିଳମ୍ବ ଘଟେ । ମହାଶକ୍ତିଧର ଯେଉଁମାନେ ସେମାନଙ୍କ ପକ୍ଷେ ଯଦି ପୂର୍ଣ୍ଣ ପ୍ରକାଶ କାର୍ଯ୍ୟରେ ଏହିସବୁ ଶୋଚନୀୟ ସଂକୀର୍ଣ୍ଣତା ମଧ୍ୟରୁ ନିଜକୁ ମୁକ୍ତ ରଖିବା ସମ୍ଭବପର ନ ହୁଏ, ତେବେ ହେ ଭଗବାନ୍, ମୋତେ କାହିଁକି ଏ ସୀମାବଦ୍ଧ ଯୁପକାଠରେ ବାନ୍ଧି ରଖୁଛୁ ? … ତୋର ଇଚ୍ଛା ଯଦି ଏହିପରି, ତା’ହେଲେ ଅନ୍ତିମ ଯବନିକା ଛିଣ୍ଡାଇ ଦୂର କରିଦେ । ତୋର ଜ୍ୟୋତିର୍ମୟ ମହିମା ତା’ର ଶୁଦ୍ଧ ସ୍ୱରୂପରେ ଆସି ଜଗତକୁ ରୂପାନ୍ତରିତ କରୁ ।
ହେ ଭଗବାନ୍ ! ଏହି ଅସାଧ୍ୟ ସାଧନ କର, ନ ହେଲେ ଫେରିଯାଇ ତୋ ମଧ୍ୟରେ ମୋତେ ଲୀନ ହୋଇଯିବାକୁ ଦେ ।