କେତେକ ବାହ୍ୟ ଶୃଙ୍ଖଳା କ’ଣ ସାହାଯ୍ୟ କରେ ନାହିଁ ?
ଯଦି ତୁମେ ନିଜ ଉପରେ ଏକ ଶୃଙ୍ଖଳା ଆରୋପ କରିବ ଓ ତାହା ଅତିଶୟ ଏକ ନିର୍ବୋଧ ଆଚରଣ ହୋଇ ନ ଥିବ, ତେବେ ତାହା ତୁମକୁ ସାହାଯ୍ୟ କରିବ । ଏକ ଶୃଙ୍ଖଳା, ମୁଁ ତୁମକୁ କହି ରଖୁଛି – ଶୃଙ୍ଖଳା, ତପସ୍ୟା, ସମସ୍ତ ପ୍ରକାର ସନ୍ୟାସୋଚିତ ଶୃଙ୍ଖଳା ଯେପରି ସାଧାରଣତଃ ଅଭ୍ୟାସ କରାଯାଏ ତାହା ତୁମକୁ ଗର୍ବୀ କରିବାର, ଏକ ଭୟଙ୍କର ଗର୍ବ ତୁମ ମଧ୍ୟରେ ପ୍ରତିଷ୍ଠା କରିବାର ସର୍ବୋତ୍ତମ ଉପାୟରେ ପରିଣତ ହୁଏ, ଯାହାଫଳରେ ତୁମେ ଆଉ କେବେ ବି ପରିବର୍ତ୍ତିତ ହୋଇ ପାରିବ ନାହିଁ । ତାକୁ ହାତୁଡ଼ି ପ୍ରହାରରେ ଭାଙ୍ଗି ଚୂରମାର କରିବାକୁ ହୁଏ ।
ଏ କ୍ଷେତ୍ରରେ ପ୍ରଥମ କଥା ଯାହା ଦରକାର ତାହା ହେଉଛି ଏକ ସୁସ୍ଥ ବିନମ୍ରତା ଯାହାକି ତୁମକୁ ହୃଦୟଙ୍ଗମ କରାଇ ଦିଏ ଯେ ତୁମେ ଯଦି ଭଗବାନଙ୍କ ଦ୍ଵାରା ଧୂତ, ପୋଷିତ, ସାହାଯ୍ୟପ୍ରାପ୍ତ, ଜ୍ଞାନଦୀପ୍ତ, ପରିଚାଳିତ ନ ହୁଅ ତେବେ ତୁମେ କିଛି ବି ନୁହଁ । କଥାଟି ସେଇଠି ରହିଛି । ଯେତେବେଳେ ତୁମେ ତାହା ଅନୁଭବ କରିବ, ଖାଲି ମନରେ ବୁଝିବ ନାହିଁ, କିନ୍ତୁ ଶରୀରରେ ବି ଅନୁଭବ କରିବ, ତା’ପରେ ଯାଇ ତୁମେ ବିଜ୍ଞ ହେବାକୁ ଆରମ୍ଭ କରିବ, କିନ୍ତୁ ତା’ ପୂର୍ବରୁ ନୁହେଁ ।
– ଶ୍ରୀମା