ଯୋଗ ଅର୍ଥ ଭଗବାନଙ୍କ ସହ ମିଳନ । ଏହି ମିଳନ ସଫଳ ହୁଏ ଉତ୍ସର୍ଗ (offering) ଦ୍ଵାରା । ନିଜକୁ ଭଗବାନଙ୍କ ଚରଣରେ ଉତ୍ସର୍ଗ କରିବାର ଭିତ୍ତି ଉପରେ ଏହା ପ୍ରତିଷ୍ଠିତ ହୋଇଥାଏ, ଆରମ୍ଭରେ ତୁମେ ସାଧାରଣଭାବେ ଏହି ଉତ୍ସର୍ଗରୁ ଆରମ୍ଭ କରିଥାଅ, ଯେପରି ସବୁ ସମୟ ପାଇଁ ଥରେ କହି ଦେଇଥାଅ; ମୁଁ ଭଗବାନଙ୍କର ସେବକ; ମୋର ଜୀବନ ସଂପୂର୍ଣ୍ଣରୂପେ ଭଗବାନଙ୍କୁ ସମର୍ପିତ; ଭାଗବତ ଜୀବନର ଉପଲବ୍ଧି ନିମନ୍ତେ ମୋର ସକଳ ପ୍ରୟାସ ଅଭିପ୍ରେତ ।’ କିନ୍ତୁ ଏହା କେବଳ ପ୍ରଥମ ପଦକ୍ଷେପ; କାରଣ ଏତିକି ଯଥେଷ୍ଟ ନୁହେଁ । ଯେତେବେଳେ ସଂକଳ୍ପ ଗ୍ରହଣ କରାଯାଇଛି, ଯେତେବେଳେ ତୁମେ ସ୍ଥିର କରି ନେଇଛ ଯେ ତୁମର ସମଗ୍ର ଜୀବନ ଭଗବାନଙ୍କ ଚରଣରେ ସମର୍ପିତ ହେବ, ତଥାପି ପ୍ରତି ମୁହୂର୍ତ୍ତରେ ତାହା ସ୍ମରଣ ରଖୁବାକୁ ହେବ ଓ ଜୀବନର ଟିକିନିଖ କଥାରେ ତାକୁ କାର୍ଯ୍ୟକାରୀ କରିବାକୁ ହେବ । ପ୍ରତି ପଦକ୍ଷେପରେ ତୁମେ ଅନୁଭବ କରିବା ଉଚିତ ଯେ ତୁମେ ଭଗବାନଙ୍କର; ତୁମର ନିରନ୍ତର ଏଇବୋଧ ହେବା ଉଚିତ ଯେ ଯାହାକିଛି ଚିନ୍ତା କିଂବା କାର୍ଯ୍ୟ ତୁମେ କର ନା କାହିଁକି ସବୁବେଳେ ଭାଗବତ ଚେତନାହିଁ ତୁମ ମଧଦେଇ କ୍ରିୟା କରୁଛି । ଆଉ ଏପରି କିଛି ରହିବ ନାହିଁ ଯାହାକୁ ତୁମେ ନିଜର ବୋଲି କହିପାରିବ; ତୁମେ ଅନୁଭବ କରିବ ସବୁକିଛି ଭଗବାନଙ୍କଠାରୁ ଆସୁଛି ଓ ତୁମକୁ ସେହି ମୂଳ ଉତ୍ସ ନିକଟରେ ପୁଣି ତାକୁ ସମର୍ପଣ କରିବାକୁ ହେବ । ଯେତେବେଳେ ତୁମେ ଏକଥା ଉପଲବ୍ଧ କରିବ ସେତେବେଳେ ଏପରିକି ଅତି କ୍ଷୁଦ୍ର କଥାଟାଏ ଯାହାକୁ ତୁମେ ବିଶେଷ ଗୁରୁତ୍ୱ ଦେଉ ନ ଥିଲ ଓ ଯାହାର ଆଦୌ ଯତ୍ନ ନେଉ ନ ଥିଲ ତାହା ଆଉ କ୍ଷୁଦ୍ର ନଗଣ୍ୟ ହୋଇ ରହେ ନାହିଁ, ଏହା ଅର୍ଥପୂର୍ଣ୍ଣ ହୋଇଉଠେ ଓ ଉର୍ଦ୍ଧ୍ୱ ଦିଗରେ ବିଶାଳ ଦିଗନ୍ତ ଉନ୍ମୁକ୍ତ କରିଦିଏ ।
ତୁମ ସାଧାରଣ ସମର୍ପଣକୁ ଟିକିନିଖି ସମର୍ପଣରେ କାର୍ଯ୍ୟକାରୀ କରିବା ଲାଗି ତୁମକୁ ଏଇକଥା କରିବାକୁ ହେବ । ନିରନ୍ତର ଭଗବାନଙ୍କ ଉପସ୍ଥିତି ମଧ୍ୟରେ ବାସ କର, ଏଇ ବୋଧ ସହ ବାସ କର ଯେ ଏଇ ଉପସ୍ଥିତି ତୁମକୁ ପରିଚାଳିତ କରୁଛି ଓ ତୁମେ ଯାହାସବୁ କରୁଛି ସେସବୁ ତୁମ ମଧ୍ୟରେ କରୁଛି । ତୁମର ସମସ୍ତ ଗତିବୃତ୍ତି, ପ୍ରତ୍ୟେକ ମାନସିକ କ୍ରିୟା, ଚିନ୍ତା ଓ ଅନୁଭୂତି ନୁହେଁ କିନ୍ତୁ ଏପରିକି ଭୋଜନ ଭଳି ଅତି ସାଧାରଣ ଓ ସ୍ଥୁଳ କ୍ରିୟାକୁ ମଧ୍ୟ ସମର୍ପଣ କର । ଯେତେବେଳେ ତୁମେ ଭୋଜନ କରୁଛି ତୁମେ ଅନୁଭବ କରିବା ଉଚିତ ଯେ ଭଗବାନ୍ ତୁମ ମଧଦେଇ ଖାଉଛନ୍ତି । ଏହି ପରି ଭାବରେ ତୁମେ ଯେତେବେଳେ ତୁମର ସମସ୍ତ ଗତିବୃତ୍ତିକୁ ଗୋଟିଏ ଜୀବନ ମଧ୍ୟରେ ଠୁଳ କରିପାରିବ ସେତେବେଳେ ବିଭେଦ ପରିବର୍ତ୍ତେ ତୁମେ ତୁମ ମଧ୍ୟରେ ଐକ୍ୟଲାଭ କରିପାରିବ । ସେତେବେଳେ ତୁମର ଗୋଟିଏ ଅଂଶ ଭଗବାନଙ୍କୁ ସମର୍ପିତ ହୋଇଥିବାବେଳେ ଅବଶିଷ୍ଟ ଅଂଶ ସାଧାରଣ ଧାରାରେ ରହି ସାଧାରଣ କଥାରେ ନିମଜ୍ଜିତ ହୋଇ ନ ଥିବେ । ତୁମର ସମଗ୍ର ଜୀବନ ଗୃହୀତ ହୋଇ ଯାଇଥାଏ, ଏକ ପୂର୍ଣ୍ଣାଙ୍ଗ ରୂପାନ୍ତର ତୁମ ମଧ୍ୟରେ ଧୀରେ ଧୀରେ ସଂଘଟିତ ହୁଏ ।
ପୂର୍ଣ୍ଣଯୋଗରେ ସମୁଦାୟ ଜୀବନ, ଏପରିକି କ୍ଷୁଦ୍ରତମ ଟିକିନିଖି କଥା ପର୍ଯ୍ୟନ୍ତ ରୂପାନ୍ତରିତ ଓ ଦିବ୍ୟତ୍ଵ ପ୍ରାପ୍ତ ହେବାକୁ ହେବ । ଏ କ୍ଷେତ୍ରରେ କିଛି ବି ନଗଣ୍ୟ, କିଛି ବି ଅସଂପୃକ୍ତ ନୁହେଁ । ତୁମେ ଏକଥା କହିପାରିବ ନାହିଁ, “ଯେତେବେଳେ ମୁଁ ଧ୍ୟାନ କରୁଛି, ଦର୍ଶନ ଅଧ୍ୟୟନ କରୁଛି କିଂବା ସେଇ ସମ୍ପର୍କୀୟ ଆଲୋଚନା ଶୁଣୁଛି ସେତେବେଳେ ମୁଁ ଦିବ୍ୟ ଆଲୋକ ପ୍ରତି ଏକ ଉନ୍ମୀଳିତ ଅବସ୍ଥାରେ ରହିବି ଓ ତାକୁ ଆବାହନ କରିବି; କିନ୍ତୁ ଯେତେବେଳେ ଭ୍ରମଣରେ ଯାଉଛି କିଂବା କୌଣସି ବନ୍ଧୁକୁ ସାକ୍ଷାତ୍ କରିବାକୁ ଯାଉଛି ସେତେବେଳେ ଏକଥା ଭୁଲିଗଲେ ଚଳିବ ।” ଏଇ ମନୋଭାବକୁ ଯଦି ଜାବୁଡ଼ି ଧର ତେବେ ତୁମେ ଅରୂପାନ୍ତରିତ ରହିଯିବ ଏବଂ ଭଗବାନଙ୍କ ସହ ଯଥାର୍ଥ ମିଳନ କେବେ ବି ଲାଭ କରିପାରିବ ନାହିଁ । ସବୁବେଳେ ତୁମେ ବିଭକ୍ତ ହୋଇ ରହିଥିବ, ଖୁବ୍ ବେଶୀ ହେଲେ ତୁମେ ଏହି ବୃହତ୍ତର ଜୀବନର ଏକ ଆଭାସ ମାତ୍ର ପାଇପାର । କାରଣ ଯଦିଓ ଧ୍ୟାନରେ କିଂବା ଆନ୍ତର ଚେତନାରେ କିଛିଟା ଅନୁଭୂତି ଓ ଉପଲବ୍ଧି ଆସିପାରେ, ତୁମର ଶରୀର ଓ ବାହ୍ୟ ଜୀବନ ସେହିପରି ଅପରିବର୍ତ୍ତିତ ରହିଯିବ । ଯେଉଁ ଆନ୍ତର ଆଲୋକରେ ଶରୀର ଓ ବାହ୍ୟ ଜୀବନ ସହିତ ସମ୍ପର୍କ ନ ଥାଏ ସେପରି ଆଲୋକରେ ବିଶେଷ କିଛି ଉପଯୋଗିତା ନ ଥାଏ, କାରଣ ଏହା ଜଗତକୁ ଯେପରି ଥିଲା ସେଇପରି ରହିବାକୁ ଛାଡ଼ିଦିଏ ।
– ଶ୍ରୀମା