ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମର୍ପଣ ହେଉଛି ତୁମ ସ୍ୱଭାବର, ତୁମ ସତ୍ତାର ଧାରାର ସମର୍ପଣ ଯାହାଫଳରେ ତାହା ପରିବର୍ତ୍ତନ ହୋଇପାରିବ । ତୁମେ ଯଦି ତୁମ ନିଜ ପ୍ରକୃତିକୁ ସମର୍ପଣ ନ କର ତା’ହେଲେ ସେ ପ୍ରକୃତି କେବେ ବି ବଦଳିବ ନାହିଁ । ଏହାହିଁ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତୁମର ବୁଝାମଣାର, ପ୍ରତିକ୍ରିୟା ପ୍ରଦର୍ଶନର, ଅନୁଭବର, ଅଗ୍ରଗତିର ଏବଂ ସର୍ବୋପରି ଜୀବନ ପ୍ରତି ଦୃଷ୍ଟିପାତ ଏବଂ ଜୀବନଠାରୁ କିଛି କଥାର ପ୍ରତ୍ୟାଶାର ଏକ ସ୍ଵତନ୍ତ୍ରଧାରା ରହିଛି । ମନେରଖ, ଏଇଆକୁହିଁ ତୁମକୁ ସମର୍ପଣ କରିବାକୁ ହେବ । ଅର୍ଥାତ୍, ତୁମେ ଯଦି ଯଥାର୍ଥରେ ଚାହୁଁଥାଅ ଦିବ୍ୟ ଆଲୋକକୁ ଗ୍ରହଣ କରି ନିଜକୁ ରୂପାନ୍ତରିତ କରିବାକୁ ତେବେ ତୁମ ସତ୍ତାର ସମଗ୍ର ଧାରାକୁ ତୁମକୁ ସମର୍ପଣ କରିବାକୁ ହେବ । ଏହାକୁ ଉନ୍ମୀଳନ ମାଧ୍ୟମରେ ସମର୍ପଣ କରିବାକୁ ହେବ । ଏହାକୁ ଯେତେଦୂର ସମ୍ଭବ ସେତେ ଗ୍ରହଣଶୀଳ ହେବାକୁ ହେବ ଯାହାଫଳରେ ତୁମେ କିପରି ହେବା ଉଚିତ ତାହା ଯେଉଁ ଦିବ୍ୟଚେତନା ଦେଖୁଛି ସେହି ଚେତନା ସିଧାସଳଖ କ୍ରିୟା କରିପାରେ ଏବଂ ଏହି ସମସ୍ତ ଗତିବୃତ୍ତିକୁ ଅତର ସତ୍ୟରେ, ବାସ୍ତବ ସତ୍ୟ ସହ ଅଧୁକ ସାମଞ୍ଜସ୍ୟପୂର୍ଣ୍ଣ କଥାରେ ପରିଣତ କରିପାରେ । ବ୍ୟକ୍ତି ଯାହା କରେ ତାହାକୁ ସମର୍ପଣ କରିବା ଅପେକ୍ଷା ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ତୁମେ ଯାହା କରୁଛ (ଅବଶ୍ୟ ତୁମେ ଯାହା କରୁଛି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ, ଏଥିରେ ସନ୍ଦେହ ନାହିଁ) ତାହା ସବୁଠୁ ଗୁରୁତ୍ଵପୂର୍ଣ୍ଣ ନୁହେଁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତୁମେ ନିଜେ ଯାହା । କର୍ମଟି ଯାହା ବି ହେଉ ନା କାହିଁକି ତୁମେ ତାକୁ କିପରି ଢଙ୍ଗରେ କରୁଛି ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ, ଗୁରୁତ୍ଵପୂର୍ଣ୍ଣ ହେଉଛି ତୁମେ ତାକୁ କେଉଁ ଚେତନାରେ ରହି କରୁଛି । ତୁମେ କାମ କରିପାର, କୌଣସି ବ୍ୟକ୍ତିଗତ ଲାଭର ଆଶା ନ ରଖୁ ନିଃସ୍ୱାର୍ଥପରଭାବେ କର୍ମ କରିପାର, କର୍ମର ଆନନ୍ଦ ନିମନ୍ତେ କର୍ମ କରିପାର, କିନ୍ତୁ ତା’ ସଙ୍ଗେ ସଙ୍ଗେ ତୁମେ ଯଦି ସେ କର୍ମଟି ଛାଡ଼ି ଦେବା ନିମନ୍ତେ, ତା’ର ପରିବର୍ତ୍ତନ ନିମନ୍ତେ, ତା’ର ଧାରାର ପରିବର୍ତ୍ତନ ନିମନ୍ତେ ପ୍ରସ୍ତୁତ ନ ଥାଅ, ତୁମେ ଯଦି ତୁମର କାର୍ଯ୍ୟର ଧାରାକୁ ଜାବୁଡ଼ି ଧର, ତେବେ ତୁମର ସମର୍ପଣ ସମ୍ପୂର୍ଣ ନୁହେଁ ବୋଲି କହିବାକୁ ହେବ । ତୁମକୁ ଏପରି ଏକ ଅବସ୍ଥାକୁ ଆସିବାକୁ ହେବ ଯେତେବେଳେ ସବୁକିଛି ହେଉଥିବ, କାରଣ ତୁମେ ଭିତରେ ଖୁବ୍ ସ୍ପଷ୍ଟଭାବରେ ଓ ଅଧିକରୁ ଅଧିକ ଅନିବାର୍ଯ୍ୟ ରୂପେ ଅନୁଭବ କରୁଥିବ ଯେ ଏହାହିଁ କେବଳ କରିବାକୁ ହେବ ଏବଂ ଏଇ ନିର୍ଦ୍ଦିଷ୍ଟ ଢଙ୍ଗରେ, ଏବଂ ସେଇଥିପାଇଁହିଁ ତୁମେ ଏଇଟିକୁ କେବଳ କରୁଛି । ତୁମେ ଏହାକୁ କରୁ ନାହିଁ ଅଭ୍ୟାସବଶତଃ, ଆସକ୍ତିବଶତଃ କିଂବା ଅଭିରୁଚିବଶତଃ; ଏପରିକି କୌଣସି ଧାରଣାବଶତଃ ନୁହେଁ କିଂବା ଏଇଟି ଯେ ସର୍ବୋତ୍ତମ କାର୍ଯ୍ୟ ସେଇ ବିଚାର ପ୍ରତି ଏକ ଅଗ୍ରରୁଚି ଦ୍ଵାରା ନୁହେଁ – ନଚେତ୍ ବୁଝିବାକୁ ହେବ ତୁମର ସମର୍ପଣ ପୂର୍ଣ୍ଣାଙ୍ଗ ନୁହେଁ ।
– ଶ୍ରୀମା