ସମର୍ପଣ ଅର୍ଥ ଆମେ ବୁଝୁ… ଏକ ସ୍ୱତଃସ୍ଫୂର୍ତ୍ତ ଆତ୍ମଦାନ, ଭଗବାନଙ୍କ ନିକଟରେ, ଏକ ବୃହତ୍ତର ଚେତନା ଯାହାର କି ତୁମେ ଏକ ଅଂଶ ତା’ ନିକଟରେ ନିଜର ସବୁକିଛିକୁ ଅର୍ପଣ କରିଦେବା । ସମର୍ପଣ ହ୍ରାସ ଘଟାଏ ନାହିଁ, ବରଂ ବୃଦ୍ଧି ଘଟାଏ; ଏହା ତୁମ ବ୍ୟକ୍ତିତ୍ବକୁ ହ୍ରାସପ୍ରାପ୍ତ, ଦୁର୍ବଳ କିଂବା ଧ୍ବଂସ କରେ ନାହିଁ, ଏହା ତାକୁ ଶକ୍ତିଯୁକ୍ତ ଓ ମହିମାନ୍ବିତ କରିଥାଏ । ସମର୍ପଣ ଅର୍ଥ ଦେଇଦେବାର ସମସ୍ତ ଆନନ୍ଦ ସହ ଏକ ମୁକ୍ତ ପରିପୂର୍ଣ୍ଣ ନିବେଦନ; ସେଥିରେ କୌଣସି କିଛି ଉତ୍ସର୍ଗ ବା ଅବଦାନର ଭାବ ନ ଥାଏ । ଯଦି ତୁମେ କିଛି ଦେଉଛି ବୋଲି ସାମାନ୍ୟତମ ବୋଧ ଥାଏ ତେବେ ତାକୁ ଆଉ ସମର୍ପଣ ବୋଲି କୁହାଯାଇ ପାରିବ ନାହିଁ । କାରଣ ଏହାର ଅର୍ଥ ହେବ ତୁମେ ନିଜକୁ କିଛି ସଂରକ୍ଷିତ କରି ରଖୁଛି କିଂବା ତୁମେ କୁଣ୍ଠାର ସହ ଅଥବା ଯନ୍ତ୍ରଣା ଓ ପ୍ରୟାସର ସହ ଦେବାକୁ ଚେଷ୍ଟା କରୁଛି, ଦେବାର ଆନନ୍ଦବୋଧ ତୁମର ନାହିଁ, ବୋଧହୁଏ ଏପରିକି କିଛି ଦେଉ ଥୁବାର ବୋଧ ବି ନ ଥାଏ । ତୁମେ ଯେତେବେଳେ କୌଣସି କଥାକୁ ସଭାରେ ଚାପଗ୍ରସ୍ତ ହୋଇ କରୁଥାଅ, ସେତେବେଳେ ନିଶ୍ଚିତରୂପେ ଧରି ନିଅ ଯେ ତୁମେ କଥାଟିକୁ ଭୁଲ୍ ମାର୍ଗରେ କରୁଛି । ଯଥାର୍ଥ ସମର୍ପଣ ତୁମକୁ ପରିବର୍ଦ୍ଧିତ କରେ; ଏହା ତୁମର ସାମର୍ଥ୍ୟକୁ ବୃଦ୍ଧି କରେ; ଏହା ତୁମକୁ ଗୁଣ ଓ ପରିମାଣରେ ବୃହତ୍ତର ପରିମାପ ଆଣିଦିଏ ଯାହାକି ତୁମେ ନିଜ ଚେଷ୍ଟା ଦ୍ବାରା କେବେ ବି ପାଇ ପାରି ନ ଥା’ନ୍ତା । ଗୁଣ ଓ ପରିମାଣର ଏହି ନୂତନ ବୃହତ୍ତର ପରିମାପ ତୁମେ ପୂର୍ବରୁ ଲାଭ କରିପାରୁଥିବା ଯେ କୌଣସି ଗୁଣ ଓ ପରିମାଣର ପରିମାପଠାରୁ ଭିନ୍ନ, ତୁମେ ଅନ୍ୟ ଏକ ଜଗତରେ ପ୍ରବେଶ କର, ଏପରି ଏକ ବ୍ୟାପକତା ମଧ୍ୟରେ ପ୍ରବେଶ କର ଯାହା ମଧ୍ୟରେ ତୁମେ ସମର୍ପଣ କରି ନ ଥିଲେ କେବେ ବି ପ୍ରବେଶ କରି ପାରି ନ ଥା’ନ୍ତା । ଠିକ୍ ଯେପରି ଜଳବିନ୍ଦୁଟିଏ ଯେତେବେଳେ ସାଗର ଉପରେ ପଡ଼େ ସେତେବେଳେ ଯଦି ଏହା ନିଜର ସ୍ୱତନ୍ତ୍ର ଅସ୍ତିତ୍ବକୁ ବଜାୟ ରଖୁବାକୁ ଚାହେଁ, ତେବେ ତାହା ଜଳବିନ୍ଦୁଟିଏ। ହୋଇହିଁ ରହିବ, ଚାରିଦିଗରୁ ସମଗ୍ର ବିଶାଳତାର ଚାପ ତାକୁ ସହ୍ୟ କରିବାକୁ ହେବ, କାରଣ ତାହା ସମର୍ପିତ ହୋଇ ନାହିଁ । କିନ୍ତୁ ଯଦି ଏହା ନିଜକୁ ସମର୍ପିତ କରେ ତେବେ ତାହା ସାଗର ସହ ଯୁକ୍ତ ହୁଏ ତେବେ ସମଗ୍ର ସୀମାହୀନ ସାଗରର ପ୍ରକୃତି, ଶକ୍ତି ଓ ବିଶାଳତାରେ ଅଂଶଗ୍ରହଣ କରିପାରେ ।
– ଶ୍ରୀମା