Divine Light Online

ଆଧ୍ୟାତ୍ମିକତା ଓ ନୈତିକତା

ଆଧ୍ୟାତ୍ମିକତା ଓ ନୈତିକତା ମଧ୍ୟରେ ବିରାଟ ପାର୍ଥକ୍ୟ ରହିଛି । ଏହି ଦୁଇଟି କଥାର ପରସ୍ପର ମଧ୍ୟରେ ସବୁବେଳେ ଗୋଳମାଳ ସୃଷ୍ଟି ହୁଏ । ଆଧ୍ୟାତ୍ମିକ ଜୀବନ ବା ଯୋଗଜୀବନର ଲକ୍ଷ୍ୟ ହେଉଛି ଭାଗବତ ଚେତନା ମଧ୍ୟକୁ ଅଭିବୃଦ୍ଧି ଏବଂ ତୁମ ମଧ୍ୟରେ ଯାହା ଅଛି ସେସବୁକୁ ଶୁଦ୍ଧ, ଗଭୀର, ମହିମମୟ ଓ ପରିପୂର୍ଣ୍ଣ କରି ତୋଳିବା । ଏହା ତୁମକୁ ଭଗବାନଙ୍କୁ ଅଭିବ୍ୟକ୍ତ କରିବାର ଏକ ଶକ୍ତିରେ ପରିଣତ କରେ, ପ୍ରତ୍ୟେକ ବ୍ୟକ୍ତିର ଚରିତ୍ରକୁ ତା’ର ପୂର୍ଣ୍ଣ ମୂଲ୍ୟ ମଧ୍ୟକୁ ଉଠାଇ ନିଏ ଏବଂ ଆଣି ଦିଏ ଏହାର ସର୍ବୋତ୍ତମ ପରିପ୍ରକାଶ; କାରଣ ଏହାହିଁ ହେଉଛି ଦିବ୍ୟଯୋଜନାର ଏକ ଅଂଶ । ଅନ୍ୟ ପକ୍ଷରେ ନୈତିକତା ଏକ ମାନସିକ ଗଠନ ମଧ୍ୟରୁ, କ’ଣ ଭଲ କ’ଣ ମନ୍ଦ ସେ ସମ୍ବନ୍ଧେ ଅଳ୍ପ କେତେକ ଧାରଣାରୁ ଆରମ୍ଭ ହୁଏ, ଏକ ଆଦର୍ଶର ମାନଦଣ୍ଡ ଗଢ଼ି ତୋଳେ ଯାହାକୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ନୈତିକ ଆଦର୍ଶ ତା’ର ଗଠନ ଓ ସ୍ବରୂପରେ ସ୍ଥାନ ଓ କାଳାନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ । ତଥାପି ଏହା ନିଜକୁ ଏକ ଅଦ୍ବିତୀୟ ଧାରା ଓ ଅଖଣ୍ଡ ନିର୍ଦ୍ଦିଷ୍ଟ କଥା ରୂପେ ଘୋଷଣା କରେ । ଏହା ନିଜ ବାହାରର ଅନ୍ୟ କୌଣସି କଥାକୁ ସ୍ବୀକାର କରେ ନାହିଁ, ନିଜ ମଧ୍ୟରେ ବି ଏକ ପରିବର୍ତ୍ତନକୁ ଏହା ସ୍ବୀକାର କରେ ନାହିଁ । ସମସ୍ତଙ୍କୁ ଏହାର ଗୋଟିଏ ଆଦର୍ଶର ଛାଞ୍ଚରେ ନିଜ ନିଜକୁ ଢାଳିବାକୁ ହୁଏ, ପ୍ରତ୍ୟେକଙ୍କୁ ନିର୍ଭୁଲ ଭାବରେ ସେଇ ଏକା ଧରଣର ହେବାକୁ ପଡ଼େ । ଏହାର କାରଣ ନୈତିକତା ଏହିପରି କଠୋର ଅବାସ୍ତକ ପ୍ରକୃତିର । ଏହାର ନୀତି ଏବଂ କ୍ରିୟାରେ ଏହା ଆଧ୍ୟାତ୍ମିକ ଜୀବନର ଠିକ୍ ବିପରୀତ । ଆଧ୍ୟାତ୍ମିକ ଜୀବନ ପ୍ରକାଶ କରେ ଯେ ସମସ୍ତଙ୍କ ମଧ୍ୟରେ ଗୋଟିଏ ମୌଳିକ କଥା ରହିଛି, କିନ୍ତୁ ଏହା ମଧ୍ୟ ପ୍ରକାଶ କରେ ଯେ ଏହି ଗୋଟିଏ ମୌଳିକ କଥାର ଅନନ୍ତ ପ୍ରକାର ଭେଦ ରହିଛି । ଏହା ବହୁ ମଧ୍ୟରେ ଏକ ଲାଗି ଓ ବହୁର ପୂର୍ଣ୍ଣତା ଲାଗି କାର୍ଯ୍ୟ କରେ । ନୈତିକତା ବହୁବିଧ ଜୀବନ ଓ ଆତ୍ମାର ସ୍ୱତନ୍ତ୍ରତାର ବିପରୀତ ଏକ କୃତ୍ରିମ ମାନଦଣ୍ଡ ଠିଆ କରାଏ । କିଛି ଏକ ମାନସିକ, ସ୍ଥାଣୁ, ସୀମିତ କଥା ସୃଷ୍ଟି କରି ତାକୁ ସମସ୍ତଙ୍କୁ ମାନି ନେବା ଲାଗି କୁହେ । ସମସ୍ତଙ୍କୁ ସେହି ସମାନ ଗୁଣ, ସମାନ ଆଦର୍ଶ ପ୍ରକୃତି ଲାଭ କରିବାକୁ ଚେଷ୍ଟା କରିବାକୁ ହେବ । ନୈତିକତା ଭାଗବତ କିଂବା ଭଗବାନଙ୍କର ନୁହେଁ, ଏହା ମନୁଷ୍ୟର ଏବଂ ମାନବିକ । ନୈତିକତା ନିଜର ମୂଳ ଉପାଦାନ ରୂପେ ଭଲ ଓ ମନ୍ଦ ମଧ୍ୟରେ ଏକ ସ୍ଥିର ଅପରିବର୍ଭନୀୟ ବିଭେଦକୁ ଗ୍ରହଣ କରିଥାଏ; କିନ୍ତୁ ଏହା ଏକ ମନମୁଖି ଧାରଣା । ଏହା ଆପେକ୍ଷିକ ବସ୍ତୁ ସକଳକୁ ନେଇ ସେମାନଙ୍କ ଉପରେ ଜୋର କରି ପରମ ଅଖଣ୍ଡତା ଲଦି ଦେଇଥାଏ; କାରଣ ଜଳବାୟୁ, କାଳ, ଯୁଗ ଓ ଦେଶ ଭେଦରେ ଏହି ଭଲ ଓ ମନ୍ଦ ବଦଳି ଯାଇଥାଏ । କାମନା ମଧ୍ୟରେ ଉତ୍ତମ କାମନା ଓ ଅଧମ କାମନା ରହିଛି – ନୈତିକ ଧାରଣା ଏହା ବି କରିପାରେ ଏବଂ କୁହେ ସେଥିରୁ ଗୋଟିକୁ ଗ୍ରହଣ କରି ଅନ୍ୟଟିକୁ ତ୍ୟାଗ କରିବାକୁ । କିନ୍ତୁ ଆଧ୍ୟାତ୍ମିକ ଜୀବନ ସମସ୍ତ କାମନାକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ଲାଗି ଦାବି କରେ । ଆଧ୍ୟାତ୍ମିକ ଜୀବନର ନିୟମ ହେଉଛି ଯେ ଯାହାକିଛି ତୁମକୁ ଭଗବାନଙ୍କଠାରୁ ଦୂରକୁ ନେଇଯାଏ ସେସବୁକୁ ତ୍ୟାଗ କରିବା । ସେସବୁ ଯେ ନିଜ ଗୁଣରେ ମନ୍ଦ ବୋଲି ସେସବୁକୁ ବର୍ଜନ କରାଯିବ ତାହା ନୁହେଁ – କାରଣ ତାହା ଅନ୍ୟ ବ୍ୟକ୍ତି ଲାଗି ଅନ୍ୟ କ୍ଷେତ୍ରରେ ଭଲ ହୋଇପାରେ,– ସେସବୁକୁ ବର୍ଜନ କରାଯିବ ସେଗୁଡ଼ିକ ଅନାଲୋକିତ ଓ ଅଜ୍ଞାନ ପ୍ରବୃତ୍ତି ଓ ଶକ୍ତି ହୋଇଥିବାରୁ ଓ ଭଗବାନଙ୍କ ଦିଗରେ ଯାତ୍ରା ପଥରେ ବାଧା ସୃଷ୍ଟି କରୁଥିବାରୁ । ସମସ୍ତ ପ୍ରକାର କାମନା, ତାହାକୁ ଭଲ କୁହ ବା ମନ୍ଦ କୁହ ସେସବୁ ଏକ ଅନ୍ଧକାରମୟ ପ୍ରାଣସତ୍ତା ଓ ଅଜ୍ଞାନତାରୁ ଜନ୍ମ ନେଇଥା’ନ୍ତି । ଅନ୍ୟ ପକ୍ଷରେ ଯେଉଁସବୁ ଗତିବୃତ୍ତି ତୁମକୁ ଭଗବାନଙ୍କ ଆଡ଼କୁ ନେଇଯାଏ ସେସବୁକୁ ତୁମେ ଗ୍ରହଣ କରିବା ଉଚିତ । ତୁମେ ସେସବୁକୁ ନିଜସ୍ବ ଗୁଣରେ ଉତ୍ତମ ବୋଲି ଯେ ଗ୍ରହଣ କରିବ ତା’ ନୁହେଁ, ତୁମେ ଗ୍ରହଣ କରିବ ସେସବୁ ତୁମକୁ ଭଗବାନଙ୍କ ଆଡ଼କୁ ନେଇଯାଏ ବୋଲି । ତେଣୁ ଯାହାକିଛି ତୁମକୁ ଭଗବାନଙ୍କ ଆଡ଼କୁ ନେଇଯାଏ ସେସବୁକୁ ଗ୍ରହଣ କର । ଯାହାକିଛି ତୁମକୁ ତାଙ୍କଠାରୁ ଦୂରକୁ ନେଇଯାଏ ସେସବୁକୁ ବର୍ଜନ କର । କିନ୍ତୁ ଏକଥା କୁହ ନାହିଁ ଯେ ଏହା ଭଲ ଓ ତାହା ଖରାପ ଏବଂ ନିଜର ଧାରଣାକୁ ବା ଦୃଷ୍ଟିକୋଣକୁ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରନା । କାରଣ ତୁମେ ଯାହାକୁ ଖରାପ ବୋଲି କହୁଛ ତାହା ଦିବ୍ୟ-ଜୀବନ ଉପଲବ୍ଧି ଦିଗରେ ସାଧନା କରୁ ନ ଥିବା ତୁମ ପଡ଼ୋଶୀ ଲାଗି ଭଲ ହୋଇପାରେ ।

– ଶ୍ରୀମା

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts