ଯଥାର୍ଥ ଆବଶ୍ୟକତା ଓ କାମନା ମଧ୍ୟରେ ସୀମାରେଖା ଖୋଜି ପାଇବା ବଡ଼ କଷ୍ଟ ।… ସେ କ୍ଷେତ୍ରରେ ଆମେ ବାସ୍ତବରେ ଏକ ସମସ୍ୟାର ସମ୍ମୁଖୀନ ହେଉ ଯାହାକି ଆମକୁ ଅସାଧାରଣ ଭାବେ ଆନ୍ତରିକ ହେବା ଲାଗି ବାଧ୍ୟ କରେ, କାରଣ କାମନା ହେଉଛି ଏକମାତ୍ର ପ୍ରଥମ ମାର୍ଗ ଯାହା ମଧ୍ୟ ଦେଇ ପ୍ରାଣ ଜୀବନକୁ ସ୍ପର୍ଶ କରିଥାଏ – ତଥାପି ଆବଶ୍ୟକତା ରହିଛି । କିନ୍ତୁ କିପରି ଜାଣିବା ଯେ କିଛି କଥା କାମନା କରାଯାଉ ନାହିଁ, ତା’ ଯଥାର୍ଥରେ ଆବଶ୍ୟକ ?… ସେଥିଲାଗି ତୁମକୁ ନିଜକୁ ବହୁତ ବହୁତ ସତର୍କତାର ସହିତ ନିରୀକ୍ଷଣ କରିବାକୁ ହେବ, ଏବଂ ଯଦି ତୁମ ମଧ୍ୟରେ କିଛିଥାଏ ଯାହାକି ଏକ କ୍ଷୁଦ୍ର ତୀବ୍ର ସ୍ପନ୍ଦନ ଭଳି କିଛି କଥା ସୃଷ୍ଟି କରୁଥାଏ, ତା’ହେଲେ ତୁମେ ନିଶ୍ଚିତ ହେବ ଯେ ତୁମର କିଛି କାମନା ରହିଛି । ଉଦାହରଣ ସ୍ଵରୂପ, ତୁମେ କୁହ, “ଏହି ଖାଦ୍ୟ ମୋ ପାଇଁ ଆବଶ୍ୟକ” – ତୁମେ ବିଶ୍ଵାସ କର, ତୁମେ କଳ୍ପନା କର, ତୁମେ ଭାବ ଯେ ତୁମେ ଏଇ ଏଇ କଥାସବୁ ଦରକାର କର ଏବଂ ସେସବୁକୁ ଲାଭ କରିବା ନିମନ୍ତେ ତୁମେ ଆବଶ୍ୟକ ଉପାୟ ଉଦ୍ଭାବନ କର । ଯଦି ତୁମେ ଜାଣିବାକୁ ଚାହଁ ଯେ ଏହା ଏକ ଆବଶ୍ୟକତା କି କାମନା ତା’ ହେଲେ ନିଜ ଭିତରକୁ ଅତି ନିବିଡ଼ ଭାବରେ ଦୃଷ୍ଟି ପକାଅ ଏବଂ ନିଜକୁ ପଚାର, “ଏ ଜିନିଷଟି ଯଦି ମୁଁ ନ ପାଏ ତା’ହେଲେ ମୋର କ’ଣ ହେବ ?” ଯଦି ସଙ୍ଗେ ସଙ୍ଗେ ନିଜ ଭିତରୁ ଉତ୍ତର ଆସିବ, “ଓଃ, ସେ ଜିନିଷଟି ନ ପାଇଲେ ବହୁତ ଖରାପ ହେବ ।” ତେବେ ତୁମେ ନିଶ୍ଚିତ ରୂପେ ଜାଣିବ ଯେ ଏହା ଏକ କାମନା । ପ୍ରତି କଥାରେ ଏଇ ଏକାପରି ଘଟିଥାଏ । ତୁମ ଜୀବନର ପ୍ରତ୍ୟେକଟି ସମସ୍ୟାଲାଗି ତୁମେ ପଛକୁ ହଟି ଆସ, ନିଜ ପ୍ରତି ଦୃଷ୍ଟିପାତ କର ଏବଂ ପଚାର, “ଦେଖିବା, ମୁଁ କଥାଟା ପାଇବାକୁ ଯାଉଛି ତ ?” ଯଦି ସେହି ମୁହୁର୍ତ୍ତରେ ତୁମ ଭିତରେ କିଛି ଗୋଟାଏ ଖୁସିରେ ଡେଇଁପଡ଼େ, ତା’ହେଲେ ତୁମେ ନିଶ୍ଚିତ ରୂପେ ଜାଣିବ ଯେ ଏହା ଏକ କାମନା । ଅନ୍ୟ ପକ୍ଷରେ ଯଦି ତୁମ ଭିତରୁ ତୁମକୁ କିଛି କହେ, “ଓଃ, କଥାଟା ମୋତେ ମିଳିବାକୁ ଯାଉ ନାହିଁ”, ଏହା ସହ ତୁମେ ଯଦି ବହୁତ ହତାଶା ଅନୁଭବ କର, ତା’ହେଲେ ବି ଏହା ଏକ କାମନା ।
– ଶ୍ରୀମା