ତୁମେ କ’ଣ ଭାବୁଛ ତୁମକୁ ସ୍କୁଲକୁ ପଠାଯାଏ ତୁମକୁ ପଢ଼ାରେ ନିଯୁକ୍ତ କରିବା ଲାଗି ଓ ତୁମକୁ ଏହିସବୁ କଷ୍ଟ ଦେଇ ଆନନ୍ଦ ପାଇବା ଲାଗି ? ନା, ଏହା ସେପରି କଥା ନୁହେଁ ! ତୁମକୁ ସ୍କୁଲକୁ ପଠାଯାଏ କାରଣ ତୁମ ପାଇଁ ଅପରିହାର୍ଯ୍ୟ ଭାବେ ଏକ ଫ୍ରେମ୍ ଦରକାର ଯାହା ଭିତରେ ତୁମେ ନିଜକୁ ଗଠନ କରିବାକୁ ଶିକ୍ଷା କରିବ । ତୁମେ ଯଦି ତୁମର ବ୍ୟକ୍ତିତ୍ବ ନିର୍ମାଣ, ପରିପୂର୍ଣ୍ଣ ଗଠନ ନିଜେ ଏକା ଏକା ଗୋଟିଏ କୋଣରେ ରହି କରି ପାରନ୍ତ ତା’ହେଲେ ତୁମକୁ କିଛି କଥା ଲାଗି ଆଉ କୁହା ଯାଆନ୍ତା ନାହିଁ । କିନ୍ତୁ ତୁମେ ଏହା କର ନାହିଁ କି କରିବ ବି ନାହିଁ, କାରଣ ଗୋଟିଏ ବି ପିଲା ନାହିଁ ଯିଏ ଏହା କରିପାରିବ, ଏପରି କି ଏହା କିପରି କରାଯିବ ଓ କେଉଁଠୁ ଆରମ୍ଭ କରାଯିବ ତାହା ବି ଜାଣି ପାରିବ ନାହିଁ । ଯଦି ଗୋଟିଏ ପିଲାକୁ କିପରି ଜୀବନ ବଞ୍ଚିବାକୁ ହେବ ଶିକ୍ଷା ଦିଆଯାଇ ନ ଥାଏ ତେବେ ସେ ଜୀବନ ବଞ୍ଚି ପାରିବ ନାହିଁ । କୌଣସି ଗୋଟିଏ କଥା କିପରି କରିବାକୁ ହେବ ତା’ ସେ ଜାଣି ପାରିବ ନାହିଁ ।… ଯଦି ପ୍ରତ୍ୟେକ ବ୍ୟକ୍ତିକୁ ତା’ର ବ୍ୟକ୍ତିତ୍ଵ ଗଠନ ଲାଗି ଆବଶ୍ୟକ ହେଉଥିବା ସମସ୍ତ ଅନୁଭୂତି ଭିତର ଦେଇ ଯିବାକୁ ହେଉଥା’ନ୍ତା ତେବେ ସେ ଜୀବନ ବଞ୍ଚିବାକୁ ଆରମ୍ଭ କରିବା ପୂର୍ବରୁ ଜୀବନ ହରାଇ ବସନ୍ତା ! ଯେଉଁମାନଙ୍କର ଅଭିଜ୍ଞତା ଅଛି ଶତାବ୍ଦୀ ଶତାବ୍ଦୀ ଧରି ସାଇତା ଅଭିଜ୍ଞତା – ସେମାନଙ୍କ ପକ୍ଷରେ ଏହା ସୁବିଧାଜନକ ଓ ସେମାନେ ତୁମକୁ କହନ୍ତି, “ଆଚ୍ଛା, ତୁମେ ଯଦି ଚାହଁ ଶୀଘ୍ର ଅଗ୍ରଗତି କରିବାକୁ, ଶତାବ୍ଦୀ ଶତାବ୍ଦୀ ଧରି ଯାହା ଶିକ୍ଷା କରାଯାଇଛି ତାକୁ ଯଦି ଅଳ୍ପ କେତୋଟି ବର୍ଷରେ ଶିକ୍ଷା କରିବାକୁ ଚାହିଁ, ତେବେ ଏଇଆ କର ।” ପଢ଼, ଅଧ୍ୟୟନ କର, ଶିକ୍ଷାକର ଏବଂ ତା’ପରେ ସ୍ଥୂଳ ଜଗତର କ୍ଷେତ୍ରରେ ଏହାକୁ ତୁମେ ଏଇଭଳି ଭାବେ, ତାହାକୁ ସେଭଳି ଭାବେ, ପୁଣି ଏହାକୁ ଏଇ ଢଙ୍ଗରେ (ଇଙ୍ଗିତ କରି ଦେଖାଇ ଦେବା) କରିବା ଲାଗି ଶିକ୍ଷା ଦିଆଯିବ । ଥରେ ଯଦି ତୁମେ କଥାଟି ବିଷୟରେ ଟିକିଏ ଜାଣ, ଯଦି ତୁମର ପ୍ରତିଭା ଥାଏ ତା’ହେଲେ ତୁମେ ତୁମର ନିଜର ଏକ ଧାରା ବାହାର କରିପାରିବ ! କିନ୍ତୁ ପ୍ରଥମେ ନିଜକୁ ନିଜ ଗୋଡ଼ରେ ଛିଡ଼ା ହୋଇ ଚାଲି ଶିଖିବାକୁ ହେବ । ଏହାକୁ ଏକୁଟିଆ ଶିକ୍ଷା କରିବା ବଡ଼ କଷ୍ଟ । ପ୍ରତ୍ୟେକଙ୍କ ଲାଗି ଏହା ସେହିପରି, ତୁମକୁ ନିଜକୁ ଗଠନ କରିବାକୁ ହେବ । ସେଥିପାଇଁ ତୁମର ଶିକ୍ଷା ଦରକାର ।
– ଶ୍ରୀମା