ଅନେକ ଲୋକ କହନ୍ତି ଯେ ଶ୍ରୀଅରବିନ୍ଦଙ୍କ ଆଦର୍ଶ ଏକ ନୂତନ ଧର୍ମ । ତୁମେ କ’ଣ କୁହ ଯେ ଏହା ଏକ ଧର୍ମ ?
ଏପରି ଯେଉଁ ଲୋକମାନେ କହନ୍ତି ସେମାନେ ନିର୍ବୋଧ ଯେଉଁମାନେ କି ନିଜେ କ’ଣ କହୁଛନ୍ତି ତା’ ଜାଣନ୍ତି ନାହିଁ । ଏକ୍ଷେତ୍ରରେ ତୁମକୁ ଶ୍ରୀଅରବିନ୍ଦଙ୍କ ଲିଖତ ସମସ୍ତ ପୁସ୍ତକକୁହିଁ ପଢ଼ିବାକୁ ହେବ, ତା’ ହେଲେ ତୁମେ ଜାଣି ପାରିବ ଯେ ଶ୍ରୀଅରବିନ୍ଦଙ୍କ ଲେଖା ଉପରେ ଭିତ୍ତି କରି କୌଣସି ଧର୍ମ ପ୍ରତିଷ୍ଠା କରିବା ଅସମ୍ଭବ । କାରଣ ସେ ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ପ୍ରଶ୍ନକୁ ତା’ର ସବୁ ଦିଗରୁ ବିଚାର କରିଥାନ୍ତି, ବସ୍ତୁସକଳ ପ୍ରତି ପ୍ରତ୍ୟେକ ଦୃଷ୍ଟିକୋଣ ମଧ୍ୟରେ ଥିବା ସତ୍ୟକୁ ଦର୍ଶାଇଦିଅନ୍ତି ଓ ବୁଝାଇ ଦିଅନ୍ତି ଯେ ସତ୍ୟକୁ ଲାଭ କରିବାକୁ ହେଲେ ତୁମକୁ ଏକ ସମନ୍ଵୟ ପ୍ରତିଷ୍ଠା କରିବାକୁ ହେବ ଯାହାକି ମାନସିକ ଧାରଣାର ଉର୍ଦ୍ଧ୍ୱକୁ ଯାଇ ଚିନ୍ତାର ଅତୀତ ବିଶ୍ବାତୀତଙ୍କ ମଧ୍ୟରେ ଆବିର୍ଭୂତ ହେବ…
ମୁଁ ପୁନର୍ବାର କହୁଛି ଯେ ଆମେ ଯେତେବେଳେ ଶ୍ରୀଅରବିନ୍ଦଙ୍କ କଥା କହୁଛେ ସେତେବେଳେ କୌଣସି ଶିକ୍ଷା କିଂବା ପ୍ରକାଶର ପ୍ରଶ୍ନ ଉଠୁ ନାହିଁ, ପ୍ରଶ୍ନ ଉଠୁଛି ପରମଙ୍କଠାରୁ ସିଧାସଳଖ ଏକ କ୍ରିୟାର; ତାହା ଉପରେ କୌଣସି ଧର୍ମ ପ୍ରତିଷ୍ଠିତ ହୋଇ ନ ପାରେ ।
କିନ୍ତୁ ଲୋକମାନେ ଏତେ ନିର୍ବୋଧ ଓ ସେମାନଙ୍କ ସଂକୀର୍ଣ୍ଣ ଚିନ୍ତାଧାରା ଓ ସୀମିତ କ୍ରିୟା ଲାଗି ଏକ ଧରାବନ୍ଧା ନୀତିନିୟମର ଏତେ ପ୍ରୟୋଜନ ଯେ ସେମାନେ ଯେକୌଣସି କଥାକୁ ଏକ ଧର୍ମରେ ପରିଣତ କରିଦେଇ ପାରିବେ । ସେମାନେ ଗୋଟିଏ କଥାକୁ ସତ୍ୟ ଓ ଅନ୍ୟଟିକୁ ସତ୍ୟ ନୁହେଁ ବୋଲି ଜୋର ଦେଇ କହି ନ ପାରିବା ପର୍ଯ୍ୟନ୍ତ ସେମାନେ ନିରାପଦ ଅନୁଭବ କରିପାରନ୍ତି ନାହିଁ; କିନ୍ତୁ ଯେଉଁମାନେ ଶ୍ରୀଅରବିନ୍ଦଙ୍କ ଲେଖା ପଢ଼ିଛନ୍ତି ଓ ବୁଝିଛନ୍ତି ସେମାନଙ୍କ ପକ୍ଷରେ ଏପରି ଜୋର ଦେଇ କହିବା ଅସମ୍ଭବ । ଧର୍ମ ଓ ଯୋଗ ସତ୍ତାର ସମାନ ସ୍ତରର କଥା ନୁହନ୍ତି ଏବଂ ଆଧ୍ୟାତ୍ମିକ ଜୀବନ ଯେତେବେଳେ ସମସ୍ତ ପ୍ରକାର ମାନସିକ ଧରାବନ୍ଧା ନୀତି ନିୟମରୁ ମୁକ୍ତ ହୁଏ ସେତେବେଳେ ଯାଇ ତାହା ତା’ର ନିଜସ୍ଵ ନିର୍ମଳତାରେ ପ୍ରତିଷ୍ଠିତ ହୋଇପାରେ ।
– ଶ୍ରୀମା