ଏପରି ଏକ ମୁହୂର୍ତ୍ତ ଆସି ପହଞ୍ଚେ ଯେତେବେଳେ ଜୀବନ ଯେପରି ଚାଲିଛି, ମଣିଷ ଚେତନା ଯେପରି ଅବସ୍ଥାରେ ଅଛି ତାହା ଆଉ ସହ୍ୟ କରିବା ସମ୍ପୂର୍ଣ୍ଣ ଅସମ୍ଭବ ବୋଧ ହୁଏ । ଏହା ଏକ ପ୍ରକାର ତୀବ୍ର ବିରକ୍ତି ଓ ଅପ୍ରୀତିକର ଭାବ ସୃଷ୍ଟି କରି ବସେ; ଜଣେ କହି ଉଠେ, ନା, ତାହା ଆଉ ଚଳିବ ନାହିଁ, ମୋଟେ ଚଳିବ ନାହିଁ, ଏହା ସେପରି ହୋଇପାରିବ ନାହିଁ, ଏହା ଆଉ ଆଗକୁ ଚାଲି ପାରିବ ନାହିଁ ।” ଦେଖ, ତୁମେ ଯେତେବେଳେ ଏହିପରି ପରିସ୍ଥିତିରେ ଆସି ଦଣ୍ଡାୟମାନ ହେବ, ତୁମର ସବୁକିଛିକୁ କେବଳ ଫୋପାଡ଼ି ଦେବାକୁ ପଡ଼ିବ – ତୁମର ସବୁ ପ୍ରଚେଷ୍ଟାକୁ, ତୁମର ସମସ୍ତ ସାମର୍ଥ, ନିଜର ସମସ୍ତ ଜୀବନ, ନିଜର ସମସ୍ତ ସତ୍ତା – ଏହି ଆକସ୍ମିକତା ହାତରେ ଛାଡ଼ି ଦେବ, ଯଦି ତୁମେ ଚାହିଁ, ଅଥବା ଛାଡ଼ି ଦେଇପାର ଏହି ବିରଳ ସୁଯୋଗ ହାତରେ ଯାହା ତୁମକୁ ଦିଆ ଯାଇଛି ଅନ୍ୟ ପାଖକୁ ପାର ହୋଇ ଚାଲିଯିବା ପାଇଁ । ନୂତନ ପଥରେ ପାଦ ଦେବାରେ କେତେ ଆଶ୍ଵସ୍ତି ମିଳିବ, ଯାହା ତୁମକୁ ଅନ୍ୟ କେଉଁଠାକୁ ପରିଚାଳିତ କରି ନେଇଯିବ ! ଏହି ଲମ୍ଫ ପ୍ରଦାନ ନିମନ୍ତେ ସମସ୍ତ ବୋଝକୁ ପଛକୁ ପକାଇ ଦେବା ଓ ଅନେକ କଥାକୁ ତ୍ୟାଗ କରିବାର ଯେଉଁ କଷ୍ଟ ତାହା ଯଥାର୍ଥ ବୋଲି ପ୍ରତିପାଦିତ ହୁଏ । ସମସ୍ୟାଟିକୁ ମୁଁ ଏହି ରକମ ଦେଖିଥାଏ ।
ବାସ୍ତବରେ ଏହାହିଁ ହେଉଛି ମହତ୍ତମ ଦୁଃସାହସିକ କାର୍ଯ୍ୟ । ଏବଂ ତୁମ ମଧ୍ୟରେ ଯଦି ଅଳ୍ପ ଟିକିଏ ଦୁଃସାହସିକ କାର୍ଯ୍ୟ ଗ୍ରହଣ କରିବାର ଆଗ୍ରହ ଥାଏ, ତେବେ ସବୁକିଛି ଲାଗି ସବୁ ବିପଦକୁ ବରଣ କରିବା ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ଉଠେ ।
– ଶ୍ରୀମା