ଅନ୍ୟମାନଙ୍କ କ୍ଷେତ୍ରରେ ତୁମେ କିଛି କରି ପାରିବ ନାହିଁ ଯଦି ସେହି କଥାଟିକୁ ତୁମେ ନିଜ କ୍ଷେତ୍ରରେ ନ କରିଛି । ତୁମେ ଅନ୍ୟ ଜଣକୁ ଉତ୍ତମ ଉପଦେଶ ଦେଇ ପାରିବ ନାହିଁ ଯଦି ତୁମେ ତାହା ପ୍ରଥମେ ନିଜକୁ ଦେଇ ନ ପାରିଛ ଓ ଅନୁସରଣ ନ କରିଛ । ଯଦି ତୁମେ କେଉଁଠି ଏକ ଅସୁବିଧା ଦେଖ ସେଇଟିକୁ ପରିବର୍ତ୍ତନ କରିବାର ସର୍ବୋତ୍ତମ ମାର୍ଗ ହେଉଛି ତାକୁ ପ୍ରଥମେ ନିଜ ଭିତରେ ପରିବର୍ତ୍ତନ କରି ଦେବା । ଯଦି ତୁମେ କାହା ଭିତରେ କୌଣସି ତ୍ରୁଟି ଦେଖ, ତେବେ ତୁମେ ନିଶ୍ଚିତ ହୋଇପାର ଯେ ସେ ତୃଟିଟି ତୁମ ମଧ୍ୟରେ ବି ରହିଛି ଏବଂ ତୁମେ ତାକୁ ନିଜ ମଧ୍ୟରୁ ପରିବର୍ତ୍ତନ କରିବାକୁ ଆରମ୍ଭ କରିପାର । ଯେତେବେଳେ ତୁମେ ତାକୁ ନିଜ ମଧ୍ୟରୁ ପରିବର୍ତ୍ତନ କରି ପାରିବ ସେତେବେଳେ ସେଇଟିକୁ ଅନ୍ୟମାନଙ୍କ ମଧ୍ୟରୁ ବି ପରିବର୍ତ୍ତନ କରିବା ଲାଗି ତୁମେ ଯଥେଷ୍ଟ ଶକ୍ତିଶାଳୀ ହୋଇ ଉଠିବ । ଏହା ଏକ ବିଚିତ୍ର କଥା । ଲୋକମାନେ ଭାବନ୍ତି ନାହିଁ ଯେ ଏହା କେତେ ଅସୀମ କୃପାର ନିଦର୍ଶନ ଯେ ଏ ବିଶ୍ୱ ଏପରି ଭାବରେ ବ୍ୟବସ୍ଥିତ ହୋଇଛି ଯେଉଁଥିରେ ଉଚ୍ଚତମ ଆଧ୍ୟାତ୍ମିକ ଉପାଦାନଠାରୁ ଆରମ୍ଭ କରି ନିମ୍ନତମ ଜଡ଼ ଉପାଦାନ ପର୍ଯ୍ୟନ୍ତ ସମସ୍ତ ଉପାଦାନ ସଂଗୃହୀତ ହୋଇଛି ଏବଂ ଆମେ କ୍ଷୁଦ୍ର ବ୍ୟକ୍ତି ବୋଲି କହୁଥିବା ଜୀବ ମଧ୍ୟରେ ସବୁଗୁଡ଼ିକ ଠୁଳ ହୋଇଛି, କିନ୍ତୁ ବ୍ୟକ୍ତି ଏକ କେନ୍ଦ୍ରୀୟ ସଂକଳ୍ପର ଅଧୀନ ହୋଇ ରହିଛି । ତୁମ ମଧ୍ୟରେ ସ୍ଥାନ ପାଇଥିବା ଉପାଦାନଗୁଡ଼ିକ ହେଉଛି ତୁମର, ତାହା ତୁମ କର୍ମର କ୍ଷେତ୍ର, ତାହାକୁ ତୁମଠାରୁ କେହି ନେଇ ଯାଇ ପାରିବେ ନାହିଁ, ତାହା ତୁମର ନିଜସ୍ୱ ସମ୍ପତ୍ତି । ଯେଉଁ ପରିମାଣରେ ତୁମେ ଏହା ଉପରେ କ୍ରିୟା କରି ପାରିବ ସେହି ପରିମାଣରେ ତୁମେ ପୃଥିବୀ ଉପରେ କ୍ରିୟା କରି ପାରିବ । କିନ୍ତୁ କେବଳ ସେତିକି ପରିମାଣରେ । ଅନ୍ୟମାନଙ୍କ କ୍ଷେତ୍ରରେ କିଛି କରିବା ଅପେକ୍ଷା ନିଜ କ୍ଷେତ୍ରରେ ସେଇଟିକୁ ତୁମକୁ ଅଧିକତର ଭାବେ କରିବାକୁ ହେବ ।
– ଶ୍ରୀମା