ସାଧାରଣତଃ ତୁମକୁ ବହୁତ କମ୍ କଥା ଶିକ୍ଷା ଦିଆ ଯାଇଥାଏ – ଏପରିକି କିପରି ଶୋଇବାକୁ ହେବ ତା’ ବି ତୁମକୁ ଶିକ୍ଷା ଦିଆ ଯାଇ ନ ଥାଏ । ଲୋକମାନେ ଭାବନ୍ତି ଖାଲି ବିଛଣାରେ ଗଡ଼ି ପଡ଼ିଲେ ଶୋଇବା ହୋଇଗଲା । କିନ୍ତୁ ଏହା ଠିକ୍ ନୁହେଁ ! ତୁମକୁ ଶିକ୍ଷା କରିବାକୁ ହେବ କିପରି ଶୋଇବାକୁ ହୁଏ, ଯେପରି ତୁମକୁ ଶିକ୍ଷା କରିବାକୁ ହେଉଛି କିପରି ଖାଇବାକୁ ହୁଏ ଓ ଅନ୍ୟ କାର୍ଯ୍ୟ କରିବାକୁ ହୁଏ । ଯଦି ତୁମେ ଗୋଟିଏ କଥା କିପରି କରିବାକୁ ହୁଏ ତା’ ଶିକ୍ଷା ନ କର, ତେବେ କଥାଟିକୁ ତୁମେ ଖରାପ ଢଙ୍ଗରେ କରିଥାଅ ! କିଂବା ତୁମେ କଥାଟିକୁ କିପରି କରିବାକୁ ହେବ ତାହା ଜାଣିବା ଲାଗି ବର୍ଷ ବର୍ଷ ଲାଗିଥାଏ ଓ ଏହି ସମୟ ମଧ୍ୟରେ ତୁମେ ଯେତେବେଳେ କଥାଟିକୁ ଖରାପ ଢଙ୍ଗରେ କର, ସେଥି ଜନିତ ସବୁପ୍ରକାର ଅପ୍ରୀତିକର କଥା ଘଟୁଥାଏ । ଏହିପରି ବହୁତ କଷ୍ଟ ଭୋଗିବା ପରେ, ବହୁତ ଭୁଲ୍ କରିବା ପରେ, ଅନେକ ନିର୍ବୋଧତା ପ୍ରକାଶ ପରେ, ତୁମେ ବୁଢ଼ା ହୋଇ ତୁମେ ପକ୍ଵ-କେଶଯୁକ୍ତ ହେଲା ବେଳକୁ ଧୀରେ ଧୀରେ ତୁମେ ଗୋଟିଏ କଥା କିପରି କରିବାକୁ ହୁଏ ତାହା ଜାଣିଥାଅ । କିନ୍ତୁ ତୁମେ ଯେତେବେଳେ ଖୁବ୍ ଛୋଟ ହୋଇଥାଅ ସେତେବେଳେ ଯଦି ତୁମର ପିତାମାତା କିଂବା ତୁମର ଯତ୍ନ ନେଉଥିବା ବ୍ୟକ୍ତିମାନେ ତୁମେ ଯାହା କରୁଛ ତାକୁ କିପରି ଠିକ୍ ଭାବେ ଯଥାର୍ଥ ମାର୍ଗରେ କରିବାକୁ ହୁଏ ତାହା ଶିକ୍ଷା ଦେବାର କଷ୍ଟ ସ୍ୱୀକାର କରନ୍ତେ ତେବେ ତାହା ତୁମକୁ ବର୍ଷ ବର୍ଷ ଧରି କରି ଆସୁଥିବା ଭୁଲ୍ ସବୁକୁ ଏଡ଼େଇ ଦେବାରେ ସାହାଯ୍ୟ କରି ପାରନ୍ତା । ତୁମେ ଖାଲି ଯେ ଭୁଲ୍ କରିଥାଅ ତା’ ନୁହେଁ, ତୁମକୁ କେହି କହନ୍ତି ନାହିଁ ଯେ ତୁମେ ଭୁଲ କରୁଛି ! ଫଳରେ ତୁମେ ଯେତେବେଳେ ଅସୁସ୍ଥ ହୋଇପଡ଼, କ୍ଳାନ୍ତ ହୋଇପଡ଼, ଯାହା କରିବାକୁ ଚାହୁଁଛ ତାହା କିପରି କରିବାକୁ ହୁଏ ଜାଣିପାରୁ ନ ଥାଅ ସେତେବେଳେ ତୁମେ ଆଶ୍ଚର୍ଯ୍ୟ ହୋଇଯାଅ । ଆଉ ସେସବୁ କଥା ତୁମକୁ କେବେ ବି ଶିକ୍ଷା ଦିଆଯାଇ ନ ଥାଏ । କେତେକ ପିଲାଙ୍କୁ କିଛି ବି ଶିକ୍ଷା ଦିଆଯାଇ ନ ଥାଏ; ତେଣୁ ସେମାନେ ଗୋଟିଏ ସହଜତମ କଥାକୁ ଶିକ୍ଷା କରିବା ଲାଗି ବର୍ଷ ବର୍ଷ ଦରକାର କରିଥା’ନ୍ତି, ଏପରିକି ଅତି ମୌଳିକ କଥା, ଯଥା : କିପରି ପରିଷ୍କାର ପରିଚ୍ଛନ୍ନ ରହିବାକୁ ହେବ ।…
ଯଥାର୍ଥ ଢଙ୍ଗରେ ଜୀବନଯାପନ କରିବା ଏକ ଅତିଶୟ କଷ୍ଟକର କଳା । ତୁମେ ଯଦି ଏହାକୁ ଅତି ଛୋଟବେଳୁ ଶିକ୍ଷା କରିବାକୁ ଆରମ୍ଭ ନ କର ଏବଂ ସେ ଦିଗରେ ଟିକିଏ ଉଦ୍ୟମ ନ କର ତେବେ ତୁମେ ତାକୁ କେବେ ବି କିପରି ଖୁବ୍ ଭଲ ଭାବେ କରି ହେବ ତାହା ଜାଣି ପାର ନାହିଁ । ନିଜ ଶରୀରକୁ କିପରି ସୁସ୍ଥ ରଖୁବ, ମନକୁ କିପରି ନିଶ୍ଚଳ କରିବ, ହୃଦୟକୁ କିପରି ସଦିଚ୍ଛାସମ୍ପନ୍ନ କରିବ – ଯାହାକି ଟିକିଏ ଉନ୍ନତ ଢଙ୍ଗ ରେ ଚଳିବା ଲାଗି ଅପରିହାର୍ଯ୍ୟ ତାହା ତୁମକୁ ଶିକ୍ଷା କରିବାକୁ ହେବ । ମୁଁ କହୁ ନାହିଁ ଏକ ଆରାମଭରା ଜୀବନ କଥା, କିଂବା ଏକ ଉଲ୍ଲେଖନୀୟ ଜୀବନ କଥା, ମୁଁ ଖାଲି କହୁଛି ଟିକିଏ ଉନ୍ନତ ଜୀବନର କଥା । ଯାହାହେଉ, ମୁଁ ଭାବୁ ନାହିଁ ଯେ ନିଜ ପିଲାମାନଙ୍କୁ ଏସବୁ କଥା ଶିକ୍ଷା ଦେବାର କଷ୍ଟ ସ୍ବୀକାର କରିବା ଭଳି ବ୍ୟକ୍ତି ଅନେକ ଅଛନ୍ତି ବୋଲି।