ଯୋଗ ସାଧନାର ଦୁଇଟି ପଥ । ଗୋଟିଏ ହେଉଛି ତପସ୍ୟା (discipline) ଏବଂ ଅନ୍ୟଟି ସମର୍ପଣ । ତପସ୍ୟାର ପଥ କଷ୍ଟକର । ଏ କ୍ଷେତ୍ରରେ ତୁମକୁ ସମ୍ପୂର୍ଣ୍ଣ ରୂପେ ନିଜ ଉପରେ ନିର୍ଭର କରିବାକୁ ହୁଏ । ତୁମେ ତୁମ ନିଜ ଶକ୍ତି ବଳରେ ଅଗ୍ରଗତି କରିଥାଅ । ତୁମ ଶକ୍ତି ଅନୁପାତରେ ତୁମେ ଆରୋହଣ ଓ ସଫଳତା ଲାଭ କରିଥାଅ । ସବୁବେଳେ ଖସି ପଡ଼ିବାର ବିପଦ ଥାଏ । ଥରେ ଯଦି ତୁମର ପତନ ହୁଏ ତେବେ ତୁମେ ହାଡ଼ଗୋଡ଼ ଭାଙ୍ଗି ଅନ୍ଧକାରର ଗହ୍ବରରେ ପଡ଼ି ରୁହ ଏବଂ ସେଥିରୁ ନିଷ୍ପତି ପାଇବାର ଆଶା ଖୁବ୍ କମ୍ ଥାଏ । ଅନ୍ୟପଥଟି ସମର୍ପଣର ପଥ, ନିରାପଦ ଓ ନିଶ୍ଚିତ । ଏଇ କ୍ଷେତ୍ରରେ ପାଶ୍ଚାତ୍ୟ ଲୋକମାନେ ଅସୁବିଧା ଅନୁଭବ କରିଥାନ୍ତି । ଯାହାକିଛି ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା ଉପରେ ଆଞ୍ଚ ଆଣେ ସେସବୁକୁ ଭୟ କରିବାକୁ ଓ ଏଡ଼େଇ ଚାଲିବାକୁ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଏହି ବ୍ୟକ୍ତିଗତ ବୋଧକୁ ମାତୃସ୍ତନ୍ୟ ସହ ସେମାନେ ପାନ କରିଥା’ନ୍ତି । ସେମାନଙ୍କ ଲାଗି ସମର୍ପଣ ଅର୍ଥ ସେସବୁକୁ ଦେଇ ଦେବା । ଅନ୍ୟ କଥାରେ କହିବାକୁ ଗଲେ ରାମକୃଷ୍ଣ ପରମହଂସଙ୍କ ମତରେ ତୁମକୁ ମାଙ୍କଡ଼ ଛୁଆ କିଂବା ବିରାଡ଼ି ଛୁଆର ପଥ ଗ୍ରହଣ କରିବାକୁ ହେବ । ମାଙ୍କଡ଼ ଛୁଆଟି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାକୁ ହେଲେ ତା’ ମାଆକୁ ଜାବୁଡ଼ି ଧରିବାକୁ ହେବ ଏବଂ ଦୃଢ଼ ଭାବରେ ଜାବୁଡ଼ି ଧରିବାକୁ ହେବ, ନ ହେଲେ ଟିକିଏ ମୁଠା ଢିଲାହେଲେ ସେ ଗଳିପଡ଼ିବ । ଅନ୍ୟ ପକ୍ଷରେ ବିରାଡ଼ି ଛୁଆ ତା’ର ମାଆକୁ ଜାବୁଡ଼ି ଧରେ ନାହିଁ, ବରଂ ତା’ ମାଆ ତାକୁ କାମୁଡ଼ି ଧରିଥାଏ; ତେଣୁ ତା’ର କୌଣସି ଭୟ କଂବା ଦାୟିତ୍ବବୋଧ ନ ଥାଏ । ନିଜକୁ ଧରିନେଇ ଯିବା ଲାଗି ମାଆ ଉପରେ ଛାଡ଼ିଦେଇ ଖାଲି ମିଆଁଉ, ମିଆଁଉ ହେବା ଅପେକ୍ଷା ତା’ର ଆଉ କିଛି କରିବାର ନ ଥାଏ ।
– ଶ୍ରୀମା