ଚମତ୍କାର ! ତୁମେ ଏପରି କହିବାରେ ଏହାହିଁ ସୁସ୍ପଷ୍ଟ ହେଉଛି ଯେ “ଭଗବାନ୍ ତ ମୋ ଭିତରେ ଅଛନ୍ତି । ମୁଁ ଯଦି ମୋ ନିଜର ସେବା କରେ ତା’ ହେଲେ ତାହା ଭଗବାନଙ୍କ ସେବା ହେଲା !” (ହସ) ବାସ୍ତବରେ ଭଗବାନ୍ ସର୍ବତ୍ର ବିଦ୍ୟମାନ । ଭଗବାନ୍ ତୁମ ବିନା ତାଙ୍କ କାର୍ଯ୍ୟ ଖୁବ୍ ସୁନ୍ଦର ଭାବରେ କରି ପାରିବେ ।
ମୁଁ ଖୁବ୍ ଭଲ ଭାବେ ଜାଣି ପାରୁଛି ଯେ ତୁମେ କଥାଟା ବୁଝିପାରୁ ନାହଁ । କିନ୍ତୁ ଯଥାର୍ଥରେ ତୁମେ ଯଦି ବୁଝିଛ ଯେ ଭଗବାନ୍ ସର୍ବତ୍ର ବିଦ୍ୟମାନ, ତେବେ ମାନବସମାଜର ସେବା ନିମିତ୍ତ ତୁମର ଏତେ ଉତ୍କଣ୍ଠା କାହିଁକି ? ମାନବସମାଜର ସେବା କରିବାକୁ ହେଲେ କ’ଣ କରିବାକୁ ହେବ, ଏ ବିଷୟରେ ତୁମେ ନିଶ୍ଚୟ ଭଗବାନଙ୍କଠାରୁ ବେଶୀ ଜାଣିଥିବା ଉଚିତ । କିପରି ମାନବ ସମାଜର ସେବା କରିବାକୁ ହେବ ତାହା ତୁମେ କ’ଣ ଭଗବାନଙ୍କଠାରୁ ଅଧିକ ଭଲ ଭାବରେ ଜାଣିଛ ?
ଭଗବାନ୍ ସର୍ବତ୍ର ବିଦ୍ୟମାନ ଅଛନ୍ତି । ହିଁ । ବସ୍ତୁ ସକଳ ଦିବ୍ଯବୋଧ ହେଉ ନାହାନ୍ତି ।… ମୋ ମତରେ ଏହାର କେବଳ ଗୋଟିଏ ସମାଧାନ ରହିଛି : ଯଦି ତୁମେ ମାନବସମାଜକୁ ସାହାଯ୍ୟ କରିବାକୁ ଚାହିଁ ସେଥିଲାଗି କେବଳ
ଗୋଟିଏ କଥା କରା ଯାଇପାରେ ତାହା ହେଉଛି ନିଜକୁ ଯେତେଦୂର ସମ୍ଭବ ପରିପୂର୍ଣ୍ଣ ରୂପେ ନେଇ ଭଗବାନଙ୍କ ଚରଣରେ ସମର୍ପଣ କର । ତାହାହିଁ ହେଉଛି ସମାଧାନ । କାରଣ ଏହା ଫଳରେ ଅନ୍ତତଃ ପକ୍ଷେ ତୁମେ ଯେଉଁ ଭୌତିକ ବାସ୍ତବତାଟିର ପ୍ରତିନିଧିତ୍ବ କରୁଛି ତାହା ଟିକିଏ ଭଗବାନଙ୍କ ପରି ଗଢ଼ି ଉଠିବାରେ ସମର୍ଥ ହେବ ।
ଆମକୁ କୁହାଯାଏ ଯେ ଭଗବାନ୍ ସକଳବସ୍ତୁ ମଧ୍ୟରେ ବିଦ୍ୟମାନ । ତେବେ ବସ୍ତୁସକଳ ପରିବର୍ତ୍ତିତ ହେଉ ନାହାନ୍ତି କାହିଁକି ? କାରଣ ଭଗବାନ୍ କୌଣସି ପ୍ରତ୍ୟୁତ୍ତର ପାଉ ନାହାନ୍ତି । ପ୍ରତ୍ୟେକ ବସ୍ତୁ ଭଗବାନଙ୍କୁ ପ୍ରତ୍ୟୁତ୍ତର ଦିଏ ନାହିଁ । ତାଙ୍କର ଦର୍ଶନ ନିମିତ୍ତ ତୁମକୁ ନିଶ୍ଚୟ ତୁମ ଚେତନାର ଗଭୀରତମ ପ୍ରଦେଶରେ ସନ୍ଧାନ କରିବାକୁ ହେବ । ମାନବସମାଜର ସେବା ନିମିତ୍ତ ତୁମେ କ’ଣ କରିବାକୁ ଚାହଁ ? ତୁମେ କ’ଣ ନିରନ୍ନକୁ ଅନ୍ନ ଦାନ କରିବାକୁ ଚାହିଁ ? ତୁମେ ଲକ୍ଷ ଲକ୍ଷ ଦରିଦ୍ରକୁ ଭୋଜନ ଦେଇପାର । କିନ୍ତୁ ଯଥାର୍ଥରେ ଏହା ସମସ୍ୟାର ସମାଧାନ ନୁହେଁ । ସମସ୍ୟାଟି ଠିକ୍ ସେହିପରି ରହିଯିବ । ଲୋକମାନଙ୍କ ଲାଗି ଏକ ନୂତନ ଏବଂ ଅପେକ୍ଷାକୃତ ଉତ୍ତମ ଅବସ୍ଥା ଆଣିବାକୁ ହେବ କି ? ଭଗବାନ୍ ମଧ୍ୟ ସେମାନଙ୍କ ମଧ୍ୟରେ ବିଦ୍ୟମାନ । ତେବେ ବସ୍ତୁସକଳ ପରିବର୍ତ୍ତିତ ହେଉ ନାହାନ୍ତି କାହିଁକି ? ମାନବସମାଜର ଅବସ୍ଥା ଭଗବାନ୍ ତୁମ ଅପେକ୍ଷା ନିଶ୍ଚୟ ଭଲଭାବରେ ଜାଣନ୍ତି । ତୁମେ ଏପରି କ’ଣ କି ? ତୁମେ ସାମାନ୍ୟ ମାତ୍ର ଚେତନା ଓ ସାମାନ୍ୟ ମାତ୍ର ଜଡ଼ିପଦାର୍ଥର ସମାହାର ମାତ୍ର । ଏହାହିଁ ତୁମର ଅସ୍ତିତ୍ଵ ଓ ଏହାକୁହିଁ ତୁମେ ‘ମୁଁ ବୋଲି କହ । ଯଦି ତୁମେ ମାନବସମାଜ, ଜଗତ୍ କିଂବା ବିଶ୍ଵର ସେବା କରିବାକୁ ଚାହିଁ, ତେବେ ତୁମକୁ ଏକମାତ୍ର ଯାହା କରିବାକୁ ହେବ ତାହା ହେଲା ଏହି କ୍ଷୁଦ୍ର ବସ୍ତୁକୁ (ତୁମର ସତ୍ତାକୁ) ସମ୍ପୂର୍ଣ୍ଣରୂପରେ ଭଗବାନଙ୍କ ହସ୍ତରେ ଅର୍ପଣ କରିବା । ଏହି ପୃଥିବୀ କାହିଁକି ଦିବ୍ୟଜଗତରେ ପରିଣତ ହେଉ ନାହିଁ ?… ଏହା ସୁସ୍ପଷ୍ଟ ଯେ ପୃଥିବୀ ଠିକ୍ ଧାରାରେ ଗତିକରୁ ନାହିଁ । ତେଣୁ ତୁମର ଯାହାକିଛି ଅଛି ସେ ସମସ୍ତ ଭଗବାନଙ୍କୁ ଉତ୍ସର୍ଗ କରିବାହିଁ ସମସ୍ୟାର ଏକମାତ୍ର ସମାଧାନ । ଏହାକୁ ନିଃଶେଷରେ ଓ ସମଗ୍ରଭାବରେ ଭଗବାନଙ୍କୁ ଦାନ କର, କେବଳ ନିଜ ପାଇଁ ନୁହେଁ, ସମଗ୍ର ମାନବସମାଜ ପାଇଁ, ସମଗ୍ର ବିଶ୍ୱ ପାଇଁ । ଏହାଠାରୁ ଅପେକ୍ଷାକୃତ ଉତ୍ତମ ସମାଧାନ ଆଉ ନାହିଁ । ତୁମେ ମାନବସମାଜକୁ କି ଉପାୟରେ ସାହାଯ୍ୟ କରିବାକୁ ଚାହିଁ ? ଏପରିକି ମାନବସମାଜର ଯଥାର୍ଥରେ କ’ଣ ପ୍ରୟୋଜନ ତାହା ତୁମେ ଜାଣି ନାହିଁ । ଏପରିକି ତୁମେ କେଉଁ ଶକ୍ତିର ସେବା କରୁଛି ସେସମ୍ବନ୍ଧରେ ତୁମର କୌଣସି ଜ୍ଞାନ ନାହିଁ । ପ୍ରଥମେ ତୁମେ ନିଜକୁ ପରିବର୍ତ୍ତନ ନ କରି ଅନ୍ୟକୁ କିପରି ପରିବର୍ତ୍ତିତ କରିପାରିବ ?
ସେ ଯାହାହେଉ, ତୁମେ ଏ କାର୍ଯ୍ୟ କରିବାକୁ ଖୁବ ସମର୍ଥ ନୁହଁ । ତୁମେ ଯାହାଙ୍କୁ ସାହାଯ୍ୟ କରିବ ତାଙ୍କ ଅପେକ୍ଷା ଯଦି ତୁମର ଉଚ୍ଚତର ଚେତନା ନ ଥାଏ, ତେବେ ତାଙ୍କୁ ସାହାଯ୍ୟ କରିବ କିପରି ? ଏହା ଏପରି ଗୋଟିଏ ବାଳସୁଲଭ ଧାରଣା ! ଶିଶୁମାନେ କହନ୍ତି : ମୁଁ ଗୋଟିଏ ଶୟନାଗାର ଖୋଲୁଛି, ମୁଁ ଗୋଟିଏ ସେବାସଦନ ନିର୍ମାଣ କରିବାକୁ ଯାଉଛି, ମୁଁ ଦରିଦ୍ରମାନଙ୍କୁ ପରିବା-ଝୋଳ ( soup) ବିତରଣ କରିବି, ଜ୍ଞାନ ପ୍ରଚାର କରିବି, ଗୋଟିଏ ଧର୍ମ ପ୍ରଚାର କରିବି ! ଇତ୍ୟାଦି, ଇତ୍ୟାଦି ।… ତୁମେ ଏପରି କର, କାରଣ ତୁମେ ବିଚାର କରି ଯେ ତୁମେ ଅନ୍ୟମାନଙ୍କଠାରୁ ଉତ୍ତମ, ଭାବ ଯେ ସେମାନେ କ’ଣ ହେବା ଉଚିତ ଓ ସେମାନଙ୍କର କ’ଣ କରିବା ଉଚିତ, ସେମାନଙ୍କ ଅପେକ୍ଷା ତୁମେ ତାହା ଭଲ ଜାଣ । ଏହାହିଁ ମାନବସମାଜର ସେବା । ତୁମେ କ’ଣ ଏହିସବୁ କାର୍ଯ୍ୟ ବର୍ତ୍ତମାନ ବି ଚାଲୁ ରଖୁବାକୁ ଚାହଁ ? କିନ୍ତୁ ଏହିପରି କାର୍ଯ୍ୟ ଦ୍ଵାରା ଏପର୍ଯ୍ୟନ୍ତ କିଛି ବି ପରିବର୍ତ୍ତିତ ହୋଇ ନାହିଁ । ଡାକ୍ତରଖାନା କିଂବା ସ୍କୁଲ ଯେଉଁମାନେ ଖୋଲିଛନ୍ତି ସେମାନେ ଠିକ୍ ମଣିଷସମାଜର ଉପକାର ଲାଗି ତାହା କରି ନାହାନ୍ତି ।…
ତୁମେ ଲକ୍ଷ ଲକ୍ଷ ଡାକ୍ତରଖାନା ଖୋଲିପାର, କିନ୍ତୁ ତାହା ଲୋକଙ୍କୁ ରୋଗରେ ପଡ଼ିବାରୁ ନିବର୍ତ୍ତାଇ ପାରିବ ନାହିଁ । ଅନ୍ୟପକ୍ଷରେ ସେମାନେ ରୋଗରେ ପଡ଼ିବାର ସମସ୍ତ ସୁବିଧା ଓ ଉତ୍ସାହ ପାଇବେ । ଆମେମାନେ ଏହିପରି ଧାରଣାରେ ବୁଡ଼ି ରହିଛୁ । ଆମେ ନିଜର ବିବେକକୁ ଏହି କଥା କହି ଆଶ୍ୱାସନା ଦେଇଥାଉ : “ମୁଁ ଏହି ଜଗତକୁ ଆସିଛି, ମୁଁ ନିଶ୍ଚୟ ଅନ୍ୟମାନଙ୍କୁ ସାହାଯ୍ୟ କରିବି ।” ଆମେ ନିଜକୁ କହୁ : ମୁଁ କେଡ଼େ ନିଃସ୍ୱାର୍ଥପର ! ମୁଁ ମାନବସମାଜର ସେବା କରିବାକୁ ଯାଉଛି । ଏସବୁ ଅହଂକାର ଛଡ଼ା ଆଉ କିଛି ନୁହେଁ ।
ବାସ୍ତବପକ୍ଷରେ ଯେଉଁ ପ୍ରଥମ ମନୁଷ୍ୟଟିକୁ ତୁମକୁ ସାହାଯ୍ୟ କରିବାକୁ ହେବ ସେ ହେଲା ତୁମେ ନିଜେ। ତୁମେ ଦୁଃଖକଷ୍ଟକୁ ଲାଘବ କରିବାକୁ ଚାହୁଁଛି, କିନ୍ତୁ ତୁମେ ଦୁଃଖକଷ୍ଟର ଅନ୍ତର୍ନିହିତ ସାମର୍ଥ୍ୟକୁ ଆନନ୍ଦର ନିଶ୍ଚୟତାରେ ପରିଣତ କରି ନ ପାରିଲେ ପୃଥିବୀ ପରିବର୍ତ୍ତିତ ହେବ ନାହିଁ । ଏହା ସବୁବେଳେ ସେହିପରି ରହିଯିବ । ତୁମେ କେବଳ ବୃତ୍ତାକାରରେ ଘୂରୁଥିବ । ଗୋଟିଏ ସଭ୍ୟତା ପରେ ଆଉ ଗୋଟିଏ ସଭ୍ୟତା ଆସିବ, ଗୋଟିଏ ବିପର୍ଯ୍ୟୟ ପରେ ଆଉ ଗୋଟିଏ ବିପର୍ଯ୍ୟୟ ଆସିବ, କିନ୍ତୁ ସଂସାରର କୌଣସି ପରିବର୍ତ୍ତନ ହେବ ନାହିଁ, କାରଣ କିଛି ଗୋଟିଏ କଥାର ଅଭାବ ରହି ଯାଏ, କିଛି ଗୋଟାଏ କଥା ବାଦ୍ ପଡ଼ିଯାଏ – ତାହା ହେଲା ଚେତନା (consciousness) । ଏଇହେଲା ମୋଟାମୋଟି କଥା।
– ଶ୍ରୀମା