ଛୋଟ ଥିଲାବେଳେ ଜଣେ ଅଦ୍ଭୁତ ଅଲୌକିକ ଘଟନା ସମ୍ପର୍କରେ ସ୍ଵପ୍ନ ଦେଖେ । ସେ ଚାହେଁ ସମସ୍ତ ଦୁଷ୍ଟାମି ଦୂର ହେଉ, ସବୁକିଛି ସବୁବେଳେ ଜ୍ୟୋତିର୍ମୟ, ସୌନ୍ଦର୍ଯ୍ୟମୟ, ସୁଖମୟ ହୋଇଉଠୁ । ସେତେବେଳେ ସେ ସୁଖାନ୍ତକ ଗଛକୁ ଭଲ ପାଇଥାଏ । ଏହାରି ଉପରେ ତୁମେ ନିର୍ଭରଶୀଳ ହୋଇ ରହିବା ଉଚିତ । ଯେତେବେଳେ ଶରୀର ଦୁଃଖ ଅନୁଭବ କରେ, ସୀମିତତା ଅନୁଭବ କରେ ସେତେବେଳେ ତୁମକୁ ଏହି ସ୍ୱପ୍ନକୁ ସେଠାରେ ସ୍ଥାପନ କରିବାକୁ ହେବ – ସ୍ଥାପନ କରିବାକୁ ହେବ ଏପରି ଏକ ଶକ୍ତି ଯାହାର କି କୌଣସି ସୀମା ନାହିଁ, ଏପରି ଏକ ସୌନ୍ଦର୍ଯ୍ୟ ଯାହା ମଧ୍ୟରେ କୁତ୍ସିତତା ନାହିଁ, ଏପରି ସାମର୍ଥ୍ୟ ସବୁ ଯାହାର ପଟାନ୍ତର ନାହିଁ । ତୁମେ ଯେତେବେଳେ ଛୋଟ ଥାଅ ସେତେବେଳେ ସ୍ୱପ୍ନ ଦେଖୁଥାଅ ଯେ ତୁମେ ଶୂନ୍ୟମଣ୍ଡଳ ମଧ୍ୟରେ ଉପରକୁ ଉଠି ଯାଉଛ, ଯେଉଁଠି ଇଚ୍ଛା ସେଠି ପହଞ୍ଚିପାରୁଛ, କୌଣସି କଥା ବିଗିଡ଼ି ଗଲେ ସଙ୍ଗେ ସଙ୍ଗେ ସଜାଡ଼ି ଦେଉଛ, ରୋଗୀମାନଙ୍କୁ ଆରୋଗ୍ୟ କରି ଦେଉଛ, ଏହିପରି କେତେ କ’ଣ ।… ସାଧାରଣତଃ ପିତାମାତା ଅଥବା ଶିକ୍ଷକମାନେ “ଓ, ଏଗୁଡ଼ାକ ସ୍ଵପ୍ନ, ଏହା ବାସ୍ତବ ନୁହେଁ,” କହି ଏହା ଉପରେ ଶୀତଳ ଜଳ ଢାଳି ଥାଆନ୍ତି । ସେମାନେ ବରଂ ଏହାର ବିପରୀତଟା କରିବା ଦରକାର । ଶିଶୁମାନଙ୍କୁ କୁହାଯିବା ଉଚିତ, “ହଁ, ଏହାହିଁ ତୁମକୁ ଜୀବନରେ ହାସଲ କରିବା ଲାଗି ଚେଷ୍ଟା କରିବାକୁ ହେବ । ଯେଉଁ ଅଂଶଟି ତୁମ ଭିତରେ ଏହା କରିବା ପାଇଁ ସମର୍ଥ ତା’ର ସଂସ୍ପର୍ଶରେ ଆସିଲେ ତାହା ଆଉ ଖାଲି ଏକ ସମ୍ଭାବ୍ୟ କଥା ହୋଇ ରହିବ ନାହିଁ, ତାହା ଏକ ନିଶ୍ଚିତତାରେ ପରିଣତ ହେବ । ଏହି କଥା, ଯାହାକୁ କି ସାଧାରଣ ଜଗତ୍ କହେ ମାୟା ମରୀଚିକା, ତୁମ ଜୀବନକୁ ପଥ ପ୍ରଦର୍ଶନ, ସଙ୍ଗଠିତ ଓ ଯଥାର୍ଥ ସତ୍ୟ ଦିଗରେ ବିକାଶ ପ୍ରାପ୍ତ କରିବା ଉଚିତ ।
ପିଲାମାନଙ୍କୁ ନୀରସ, ବାଜେ ସାଧାରଣ ବୋଧ ସବୁ ଦ୍ଵାରା ଯାହାକି ପରେ ବଦ୍ଧମୂଳ ଅଭ୍ୟାସରେ ପରିଣତ ହୁଏ ସେପରି ସାଧାରଣ ଭାବେ ଗଢ଼ିବା ପରିବର୍ତ୍ତେ ଏଇଆ (ସେମାନଙ୍କ ସ୍ଵପ୍ନରେ ବିଶ୍ଵାସୀ କରାଇବା) କରିବା ଉଚିତ । ଏହିସବୁ ସାଧାରଣ ବୋଧ ହେଉଛି ଯେତେବେଳେ କିଛି କଥା ଭଲ ଚାଲିଛି ସେତେବେଳେ ସଙ୍ଗେ ସଙ୍ଗେ ଏହି ବୋଧ ସତ୍ତା ମଧ୍ୟରେ ଏହି ଧାରଣା ସୃଷ୍ଟି କରେ, “ଓ, ଇଏ ରହିବ ନାହିଁ !” ଯେତେବେଳେ କେହି ଜଣେ ଦୟାପରବଶ ହୋଇଛି ସେତେବେଳେ ଏଇ ଧାରଣା ଆସେ, “ସିଏ ପୁଣି ପରିବର୍ତ୍ତନ ହୋଇଯିବ !” ଯେତେବେଳେ ତୁମେ କିଛି କରିବାକୁ ସମର୍ଥ ହେଉଛ ସେତେବେଳେ ସଙ୍ଗେ ସଙ୍ଗେ ବୋଧ ହେବ ‘‘ଆସନ୍ତା କାଲି ମୁଁ ଏହାକୁ ଏତେ ସୁନ୍ଦର ଭାବେ କରି ପାରିବି ନାହିଁ ।” ସତ୍ତା ମଧ୍ୟରେ ଏହା ଏସିଡ୍, ଏକ ଧ୍ବଂସକାରୀ ଏସିଡ୍ ସଦୃଶ ଯାହାକି ଭବିଷ୍ୟତ୍ ସମ୍ଭାବନା ଉପରୁ ଆଶା, ନିଶ୍ଚୟତା, ଭରସାକୁ କାଢ଼ି ନେଇଯାଏ ।
ଯେତେବେଳେ ଶିଶୁଟିଏ ବହୁତ ଉତ୍ସାହୀ ହୋଇ ଉଠିଛି ସେତେବେଳେ ତା’ ଉପରେ ଶୀତଳ ଜଳ ଢାଳି ଦିଅ ନା । ତାକୁ କେବେ ବି କୁହନା, “ତୁ ଜାଣୁ ଜୀବନ ସେପରି ନୁହେଁ !” ତୁମେ ତାକୁ ସବୁବେଳେ ଉତ୍ସାହିତ କରି କହିବା ଉଚିତ, “ହଁ, ବର୍ତ୍ତମାନ ବସ୍ତୁସକଳ ସେପରି ଅବସ୍ଥାରେ ନାହାନ୍ତି, ସେସବୁ କୁତ୍ସିତ ଜଣା ପଡ଼ୁଛନ୍ତି; କିନ୍ତୁ ଏସବୁର ପଶ୍ଚାତରେ ରହିଛି ଏକ ସୌନ୍ଦର୍ଯ୍ୟ ଯାହାକି ନିଜକୁ ଅଭିବ୍ୟକ୍ତ କରିବା ପାଇଁ ଚେଷ୍ଟା କରୁଛି । ଏଇଆକୁ ତୁମେମାନେ ଭଲ ପାଇ ନିଜ ଆଡ଼କୁ ଆକର୍ଷଣ କରିବା ଉଚିତ । ଏଇଆକୁ ତୁମର ସ୍ବପ୍ନର ତଥା ଉଚ୍ଚାଭିଳାଷର ବିଷୟ ବସ୍ତୁରେ ପରିଣତ କରିବା ଉଚିତ ।”
– ଶ୍ରୀମା